ବଡ଼ବଡ଼ିଆ ଦେଉନାହାନ୍ତି ହୋଲ୍ଡିଂ ଟ୍ୟାକ୍ସ

ହାତ ଚିକ୍କଣ କରିଛନ୍ତି ଅଧିକାରୀ, ପରିମଳ କାମରେ ୱାର୍ଡ ଅଫିସର ଆସେସ୍‌ମେଣ୍ଟ ହେଉନି

ଭୁବନେଶ୍ବର: କେବଳ ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ଓ ଆସେସ୍‌ମେଣ୍ଟ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଦୁର୍ନୀତି ଅଭିଯୋଗ କମୁନାହିଁ। ଅନେକ ବଡ଼ବଡ଼ିଆ ବର୍ଷ ବର୍ଷ ଧରି ହୋଲ୍ଡିଂ ଟ୍ୟାକ୍ସ ଦେଉନାହାନ୍ତି। ଯାହାକୁ ତଦନ୍ତ କରିବା ବା ପୁନଃ ଆସେସ୍‌ମେଣ୍ଟ କରିବା ଦିଗରେ ବିଏମ୍‌ସି ତତ୍ପର ହେଉନାହିଁ। ଫଳରେ ଦାୟିତ୍ବରେ ଥିବା କର୍ମଚାରୀ ଓ ଅଧିକାରୀ ହାତ ମିଶାଇ ଘରମାଲିକଙ୍କୁ ସୁରକ୍ଷା ଦେଇ ହାତ ଚିକ୍କଣ କରୁଛନ୍ତି। ଆକଳନ ମୁତାବକ, ଏବାବଦ‌ରେ ବିଏମ୍‌ସି ୨୦କୋଟିରୁ ଊର୍ଦ୍ଧ୍ବ ରାଜସ୍ବ ହରାଉଛି। ଅନ୍‌ଲାଇନ୍‌ ବ୍ୟବସ୍ଥା ହେବା ପରେ କିଛି ମାତ୍ରାରେ ରାଜସ୍ବ ଆଦାୟ ବଢ଼ିଥିଲେ ମଧ୍ୟ ଏହି ବାଟମାରଣା ବାବଦରେ କୌଣସି ସମୀକ୍ଷା ହେଉନାହିଁ। ବାସ୍ତବରେ ବଡ଼ବଡ଼ିଆଙ୍କୁ ବିଏମ୍‌ସି ଡରୁଛି ନା ହାତ ଚିକ୍କଣ କରିଥିବା ଅଧିକାରୀଙ୍କ ନାଁ ପଦାରେ ପଡ଼ିଯିବା ଭୟରେ ବିଏମ୍‌ସି ଚୁପ୍‌ ରହିଛି, ତାହାକୁ ନେଇ ପ୍ରଶ୍ନ ଉଠିଛି।

ଏଥିରେ ସ୍ବଚ୍ଛତା ଆଣିବା ପାଇଁ ଅନେକ ମାନସ ମନ୍ଥନ ହେବା ପରେ ଗତବର୍ଷ ଏହି ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ କରାଯାଇଛି। କିନ୍ତୁ ଏହା ମଧ୍ୟ ସଫଳ ହୋଇନାହିଁ। ଯେଉଁ କେତେକ ସଚେତନ ନାଗରିକ ଟ୍ୟାକ୍ସ ଦେଇ ‘ଅପ୍‌-ଟୁ-ଡେଟ୍‌’ ରହିବାକୁ ଚାହୁଥିଲେ ସେମାନଙ୍କ ପାଇଁ ଏହା ବେଶ୍‌ ଗ୍ରହଣୀୟ ହୋଇଛି। କିନ୍ତୁ ଯେଉଁମାନେ ଠକୁଥିଲେ, ସେମାନେ ସେମିତି ଠକି ଚାଲିଛନ୍ତି। ନିଜ ଆଡ଼ୁ ଟ୍ୟାକ୍ସ ଦେଉନାହାନ୍ତି। ଏହି ନାଗରିକଙ୍କୁ ଖୋଜି ସେମାନଙ୍କ ଠାରୁ ସମସ୍ତ ବକେୟା ଆଦାୟ କରିବା କଥା। ହେଲେ ଏହା କରାଯାଉନାହିଁ। ବର୍ଷ ବର୍ଷ ଧରି ଅନେକ ବଡ଼ବଡ଼ିଆ ବା ବ୍ୟାବସାୟିକ ପ୍ରତିଷ୍ଠାନ ହୋଲ୍ଡିଂ ଟ୍ୟାକ୍ସ ଜମା କରୁନାହାନ୍ତି ବା କମ୍‌ ଦେଉଛନ୍ତି।

ଏଠାରେ ଗୋଟିଏ ଜୋନ୍‌ର ଉଦାହରଣ ନେଲେ, ଏହା ସ୍ପଷ୍ଟ ହୋଇଯିବ। ଉତ୍ତର ଜୋନ୍‌ରେ ଥିବା ଡିଏଲ୍‌ଏଫ୍‌ଏ କୋଠା ଜଣକ ନାମରେ ହୋଲ୍‌ଡିଂ କରାଯାଇଛି। ଏଥିରେ ୩୦ରୁ ଊର୍ଦ୍ଧ୍ବ ବଡ଼ ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ରହିଥିବା‌ ବେଳେ ୫୦ ଊର୍ଦ୍ଧ୍ବ କାର୍ଯ୍ୟାଳୟ କାମ କରୁଛି। ନିୟମ ମୁତାବକ ଏଠାରେ ସମସ୍ତ ହୋଲ୍ଡିଂ ହେଲେ ବର୍ଷକୁ କୋଟିଏ ଟଙ୍କା ହେବ ବୋଲି ଆକଳନ କରାଯାଉଛି। କିନ୍ତୁ ବିଏମ୍‌ସି ଜଣଙ୍କ ନାମରେ ହୋଲ୍ଡିଂ କରି ବସିଯାଇଛି। ଏହି ଜୋନ୍‌ର ଦାୟିତ୍ବରେ ଥିବା ଡେପୁଟି କମିସନର ପ୍ରମୋଦ ପୃଷ୍ଟି ଓ ଅବସରପ୍ରାପ୍ତ କର୍ମଚାରୀ କିଶୋର ମହାନ୍ତିଙ୍କ ଅମଳରେ ଏହି ହୋଲ୍ଡିଂ ଟ୍ୟାକ୍ସ ଧାର୍ଯ୍ୟ ହୋଇଛି। କିଭଳି ଅଧିକାରୀ ଜାଣି ପାରିଲେ ନାହିଁ? କିମ୍ବା ଜାଣି ଜାଣି ନିରବ ରହିଲେ, ସେ ନେଇ ପ୍ରଶ୍ନ ଉଠିଛି।

ଠିକ୍‌ ସେହିଭଳି ମୈତ୍ରୀବିହାରରେ ଥିବା ଜୀବନ ବୀମାନଗର, ଲେମନ୍‌ ଟ୍ରି ହୋଟେଲ୍‌, ଆଲେନ୍‌ କୋଚିଂ ସେଣ୍ଟର ଥିବା କୋଠା, ହୋଟେଲ୍‌ ସୂର୍ଯ୍ୟାଂଶ, ନ୍ୟୁ ରେଲ୍‌ ବିହାର, ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ୱାଟର ମ୍ୟାନେଜ୍‌ମେଣ୍ଟ‌ ପ୍ରଭୃତିରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ହୋଇଛି। ବିଭିନ୍ନ କାରଣ ଦେଖାଇ ଏଠାରେ ହୋଲ୍ଡିଂ ଟ୍ୟାକ୍ସ ଧାର୍ଯ୍ୟ କରାଯାଇନାହିଁ। କେଉଁଠି ମାମଲା ବିଚାରାଧୀନ ଦର୍ଶାଯାଇଛି, କେଉଁଠି ବିଲ୍ଡର ପ୍ଲାନ୍‌ ଦାଖଲ କରିନଥିବା ଦର୍ଶାଯାଇ ବିଲ୍ଡରକୁ ନୋଟିସ୍‌ ଦିଆଯାଇଛି। ଏହା ପରେ ବିଏମ୍‌ସି ଭୁଲିଯାଇଛି। ଏହାର କାରଣ ଖୋଜି ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବାକୁ ବିଏମ୍‌ସି ଚାହିନାହିଁ। ଏହା କେବଳ କେତୋଟି ହାତଗଣତି ଉଦାହରଣ। ସମସ୍ତ ତିନିଟି ଜୋନ୍‌ର ହୋଲ୍ଡିଂ ଯାଞ୍ଚ କଲେ, କୋଟି କୋଟି ଟଙ୍କାର କାରବାର ଧରାପଡ଼ିବ ବୋଲି ଅଭିଯୋଗ ହୋଇଛି।

ସେହିଭଳି ଆସେସ୍‌ମେଣ୍ଟରେ ବ୍ୟାପକ ଦୁର୍ନୀତି ହୋଇଛି। କେହି ନିଜ ଆଡ଼ୁ ଆସେସ୍‌ମେଣ୍ଟ ପାଇଁ ଆବେଦନ କରୁନାହାନ୍ତି କିମ୍ବା ବିଏମ୍‌ସି ନିଜଆଡ଼ୁ ସ୍ବତନ୍ତ୍ର ଡ୍ରାଇଭ୍‌ କରି ଆସେସ୍‌ମେଣ୍ଟ କରୁନାହିଁ। କରୋନା ପରେ ପରେ ଶହ ଶହ ଆବାସିକ ହୋଲ୍ଡିଂ ଥିବା ପ୍ଲଟ୍‌ ବ୍ୟାବସାୟିକ ହୋଇଯାଇଛି। କିନ୍ତୁ ହୋଲ୍ଡିଂରେ ପରିବର୍ତ୍ତନ ହୋଇନାହିଁ। ଯେଉଁଥିପାଇଁ ବିଏମ୍‌ସି କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି। ୱାର୍ଡ ଅଫିସରମାନେ ଘର ଘର ବୁଲି ଏସବୁ ଯାଞ୍ଚ କରିବା କଥା। କିନ୍ତୁ ସେମାନଙ୍କୁ ପରିମଳ ବ୍ୟବସ୍ଥାରେ ଲଗାଯାଇଛି। ସେମାନେ ଦୋକାନ ଦୋକାନ ବୁଲି ଆବର୍ଜନା ଉପରେ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏଣେ କୋଟି କୋଟି ଟଙ୍କା ଭୂତ ଖାଉଛି। ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଏ ସବୁ ଉପରେ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି। ନୂଆ ଆସେସ୍‌ମେଣ୍ଟ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏହି ଟିକସ ବାବଦକୁ ବର୍ଷକୁ ୨୦ କୋଟିରୁ ୨୫ କୋଟି ଆଦାୟ ହେଉଥିବା ବେଳେ ଚଳିତ ବର୍ଷ ଏପ୍ରିଲ୍‌ ମାସରୁ ସେପ୍ଟେମ୍ବର ଯାଏ ୨୦ କୋଟି ୩୭ ଲକ୍ଷ ୪୫ ହଜାର ୫୮୨ ଟଙ୍କା ଆଦାୟ ହୋଇଛି। ବର୍ଷ ଶେଷରେ ଏହା ୫୦ କୋଟି ହେବ ବୋଲି ବିଏମ୍‌ସି ଆଶା କରିଛି। କିନ୍ତୁ ଠକୁଥିବା ବଡ଼ବଡ଼ ସଂସ୍ଥାଙ୍କଠାରୁ ଏହି ଟିକସ ଆଦାୟ ହେଲେ, ଶହେ କୋଟିରୁ ଊର୍ଦ୍ଧ୍ବ ରାଜସ୍ବ ଆଦାୟ ହେବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର