ଭୁବନେଶ୍ବର: ସମୁଦ୍ର କୂଳ ନୋଳିଆ ବସ୍ତିର ସୁନ୍ଦରୀ ରାଜହଂସୀ ଭଲ ପାଇବସେ ଜଣେ ସାହିତ୍ୟିକଙ୍କୁ। ବାପାମା’ଙ୍କ ଅରାଜି ସତ୍ତ୍ବେ ପ୍ରେମ ବିବାହ କରେ ତା’ ମନର ମଣିଷ ସେହି ସାହିତ୍ୟିକଙ୍କୁ। କିନ୍ତୁ ଏହାକୁ ସହ୍ୟ କରିପାରନ୍ତିନି ରାଜହଂସୀର ବାପା। କୌଶଳକ୍ରମେ ନିଷ୍ଠୁର ବାପା ରାଜହଂସୀକୁ ସମୁଦ୍ରକୁ ଠେଲି ଦିଅନ୍ତି ଓ ସଲିଳ ସମାଧି ନିଏ ରାଜହଂସୀ। କିନ୍ତୁ ସାହିତ୍ୟିକ ରାଜହଂସୀର ମୃତଦେହକୁ ଆଣି ଘରେ ରଖନ୍ତି ଓ ମାନସିକ ବିକାରଗ୍ରସ୍ତ ହୋଇ ମୃତ ଶରୀର ସହ ବାର୍ତ୍ତାଳାପ କରନ୍ତି। ଏମିତି ଅବସ୍ଥା‌ରେ ତାଙ୍କର ଗଳ୍ପ ଲେଖା ଜାରି ରହେ। ମାତ୍ର ସେସବୁ ଗପ କୌଣସି ପତ୍ରିକାର ଛାପି ହୁଏ ନାହିଁ।

Advertisment

ତେବେ କିଛି ବର୍ଷ ପରେ ସେ ଲେଖିଥିବା ‘ନାରୀର କଙ୍କାଳ’ ଗଳ୍ପଟି ସାହିତ୍ୟ ଅକାଦେମି ଦ୍ବାରା ପୁରସ୍କୃତ ହୁଏ। ଏମିତି ଏକ ବିଶ୍ବାସ ଓ ପ୍ରେମ ବନ୍ଧନର କାହାଣୀକୁ ନେଇ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ନାରୀର କଙ୍କାଳ’। ଉତ୍ତରପୁରୁଷ ଥିଏଟର ଗ୍ରୁପ୍‌ ଦ୍ବାରା ପରିବେଷିତ ଏହି ନାଟକକୁ ଶକ୍ତି ମହାନ୍ତି ରଚନା କରିଥିବା ବେଳେ ଦେବଦତ୍ତ ପତି ନିର୍ଦ୍ଦେଶନା ଦେଇଥିଲେ। ଚକ୍ରଧର ଓ ନିଶିକାନ୍ତ ସହ ନିର୍ଦ୍ଦେଶନା ଦେଇଥିଲେ। ଅରବିନ୍ଦ, ଦେବଦତ୍ତ, ଚକ୍ରଧର, ରବୀନ୍ଦ୍ର ଓ ପ୍ରତିମାଙ୍କ ଅଭିନୟ ଓ କୈଳାସ ସେନାପତିଙ୍କ ସଂଗୀତ ଦର୍ଶକମାନଙ୍କୁ ରୋମାଞ୍ଚିତ କରିଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, ନବୀନ କୁମାର ପରିଡ଼ା, ଶକ୍ତି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।