ଭୁବନେଶ୍ବର: ମଞ୍ଚେଶ୍ବର ଗାଁ ନିକଟ କୁଆଖାଇ ନଦୀପଠାରେ ଥିବା ରେଳବାଇର ଏକ ପରିତ୍ୟକ୍ତ ଘର ଏବେ ଅସାମାଜିକଙ୍କ ଆଡ଼ା ପାଲଟିଛି। ରାତିରେ ଏଠାରେ ଅସାମାଜିକ ତତ୍ତ୍ବ ଏକାଠି ହୋଇ ନିଶା ସେବନ କରିବା ସହ ପାଟିତୁଣ୍ଡ କରି ରାତିର ନିରବତା ଭାଙ୍ଗୁଛନ୍ତି। ଏପରିକି ଏଇ ଘରୁ ଚୋରି, ଲୁଟ୍‌, ରାହାଜାନି ଭଳି ଯାବତୀୟ ଅପରାଧର ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହେଉଛି। କିନ୍ତୁ ସବୁ ଜାଣି ମଞ୍ଚେଶ୍ବର ଥାନା ପୁଲିସ୍‌ ଚୁପ୍‌ ବସିଛି ବୋଲି ଗାଁ ଲୋକ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା, ସପ୍ତାହକୁ ଥରେ ଅଧେ ଏପଟେ ପିସିଆର୍‌ ଭ୍ୟାନ୍‌ ବୁଲାଇ ଦେଇ ପୁଲିସ୍‌ ତା’ ଡ୍ୟୁଟି ସାରି ଦେଉଛି। ପୁଲିସ୍‌ର ଏହି ନିଷ୍କ୍ରିୟତା ପାଇଁ ଏହି ଅଞ୍ଚଳରେ ଅସାମାଜିକଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଫଳରେ ସ୍ଥାନୀୟ ଅଞ୍ଚଳର ଝିଅ ବୋହୂମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।

Advertisment

ସୂଚନାନୁସାରେ, ମଞ୍ଚେଶ୍ବର ରେଳଡବା ମରାମତି କାରଖାନାକୁ ପାଣି ଯୋଗାଣ ପାଇଁ ୧୯୮୦ ମସିହାରେ ଏଠାରେ ଏକ ପମ୍ପ ହାଉସ୍‌ ନିର୍ମାଣ କରାଯାଇଥିଲା। ପମ୍ପ ହାଉସ୍‌ ପରିଚାଳନା ପାଇଁ ଏହାକୁ ଲାଗି ରେଳବାଇ ପକ୍ଷରୁ ଏଠାରେ ଏକ କ୍ବାର୍ଟର୍‌ ନିର୍ମାଣ କରାଯାଇଥିଲା। କିନ୍ତୁ ୧୯୯୦ ମସିହା‌ରେ ଏଠାରେ ଜଳସ୍ତର କମିଯିବାରୁ ଏହି ପମ୍ପ ହାଉସ୍‌ ପାଣି ଯୋଗାଇବାରେ ଅକ୍ଷମ ହୋଇପଡ଼ିଲା। ସେବେଠାରୁ ରେଳବାଇର ଏହି ଜଳ ପ୍ରକଳ୍ପ ବନ୍ଦ ହୋଇଗଲାଣି। କିନ୍ତୁ ଉକ୍ତ ପରିତ୍ୟକ୍ତ କ୍ବାର୍ଟର୍‌ଟି ଏବେ ଅସାମାଜିକଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି। ଦୁର୍ବୃତ୍ତମାନେ ଏହି ଘରେ ମଦ, ଗଂଜେଇଠାରୁ ଆରମ୍ଭ କରି ବ୍ରାଉନସୁଗାର ପର୍ଯ୍ୟନ୍ତ ଯାବତୀୟ ନିଶା ସେବନ କରିବା ସହ ଅପରାଧର ବ୍ଲୁ-ପ୍ରିଣ୍ଟ ତିଆରି କରୁଛନ୍ତି। କିନ୍ତୁ ମଞ୍ଚେଶ୍ବର ପୁଲିସ୍‌କୁ ସତେଯେମିତି ଏସବୁ ଦେଖାଯାଉନାହିଁ। ଏଠାରେ ଚଢ଼ଉ କରିବା ତ ଦୂରର କଥା, ସପ୍ତାହକୁ ଥରେ ଅଧେ ଏହି ଅଞ୍ଚଳରେ ପିସିଆର୍‌ ଭ୍ୟାନ୍‌ ବୁଲାଇ କାମ ସାରିଦେଉଛି।
ଗାଁ ଲୋକଙ୍କ କହିବା କଥା, ରାତି ୯ଟା ପରେ ଏହି ପରିତ୍ୟକ୍ତ ଘର ପାଖରେ ମାଳମାଳ ‌ବାଇକ୍‌ ଓ କାର୍‌ ଲାଗୁଛି। ଅନ୍ଧାରରେ ଦୁର୍ବୃତ୍ତମାନେ ନିଶା ସେବନ କରିବା ସହ ଅଶ୍ଳୀଳ ଭାଷାରେ ବଡ଼ ପାଟିରେ ପରସ୍ପରକୁ ଗାଳିଗୁଲଜ କରୁଛନ୍ତି। ଫଳରେ ସେହି ବାଟ ଦେଇ ଯିବା ଆସିବା କରିବା ଲୋକଙ୍କ ପାଇଁ ମୁସ୍କିଲ୍‌ ହୋଇପଡ଼ୁଛି। ପ୍ରତିଦିନ ଏମିତି ଚାଲିଥିଲେ ମଧ୍ୟ ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ତେଣୁ ଏହି ଘରକୁ ଏଠୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ ନଚେତ ପୁଲିସ ଏହାକୁ ନିଜ ହେପାଜତ୍‌କୁ ନେଇ ତାଲା ପକାଇ ରଖୁ ବୋଲି ସେମାନେ ଦାବି କରିଛନ୍ତି।