ଭୁବନେଶ୍ୱର : ଗତକାଲି ‘ମୋ ବସ’ରୁ ଖସି ପଡ଼ି ବାଲିଅନ୍ତା ଅଞ୍ଚଳର ନିର୍ମଳେନ୍ଦୁ ପରିଡ଼ା ଆହତ ହେବା ଘଟଣାକୁ ନେଇ ଆଜି ମଞ୍ଚେଶ୍ବର ଥାନାରେ ଲିଖିତ ଅଭିଯୋଗ ହୋଇଛି। ବସ୍ ଗାଇଡ୍ ଠେଲି ଦେବାରୁ ସେ ପଡ଼ି ଯାଇଥିଲେ ବୋଲି ନିର୍ମଳେନ୍ଦୁ ଏତଲାରେ ଦର୍ଶାଇଛନ୍ତି। ଅନ୍ୟପଟେ କ୍ରୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ସରିବା ପର୍ଯ୍ୟନ୍ତ ସମ୍ପୃକ୍ତ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସହଯାତ୍ରୀମାନଙ୍କର ମତାମତ ଆଣିବା ସହ କ୍ରୁଟ୍ କର୍ତ୍ତୃପକ୍ଷ ବସ୍ର ସିସିଟିଭି ଫୁଟେଜ୍ ସଂଗ୍ରହ କରିଛନ୍ତି। ନିର୍ମଳେନ୍ଦୁ ଗାଇଡ୍ଙ୍କ କ୍ୟାସ୍ ବ୍ୟାଗ୍ ଟାଣିବା ସହ ଟିକେଟ୍ ମେସିନ୍କୁ ଟାଣି ନେଉଥିବାର ଚିତ୍ର ରହିଛି। ତାଙ୍କର ଏଭଳି ବ୍ୟବହାରରେ ଅତିଷ୍ଠ ହୋଇ ଅନ୍ୟ ସହଯାତ୍ରୀମାନେ ମଧ୍ୟ ତାଙ୍କ ସହ ଯୁକ୍ତି କରୁଥିବା ଦେଖିବାକୁ ମିଳିଛି। ତେବେ ମଞ୍ଚେଶ୍ବର ଥାନା ପୁଲିସ ଏତଲା ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିଛି। ଏନେଇ ଥାନା କ୍ରୁଟ୍କୁ ନୋଟିସ୍ କରିଛି।
ଥାନରେ ନିର୍ମଳେନ୍ଦୁ କରିଥିବା ଅଭିଯୋଗ ଅନୁସାରେ ଗତ ସନ୍ଧ୍ୟାରେ ସେ ମାଷ୍ଟରକ୍ୟାଣ୍ଟିନ୍ରୁ ହଂସପାଳ ଯିବା ପାଇଁ ମୋ ବସ୍ରେ ଯାତ୍ରା କରିଥିଲେ। ଟିକେଟ୍ ବାବଦରେ ଗାଇଡ୍ ୧୦ ଟଙ୍କା ଅଧିକ ମାଗିବାରୁ ସେ ବିରୋଧ କରିଥିଲେ। ତେଣୁ ଗାଇଡ୍ ତାଙ୍କୁ ବସ୍ରୁ ଠେଲି ଦେବାରୁ ସେ ପଡ଼ି ଯାଇଥିଲେ। ଅନ୍ୟପଟେ କ୍ରୁଟ୍ ପକ୍ଷରୁ ଏକ ପ୍ରେସ୍ ବିବୃତିରେ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସ୍ପଷ୍ଟ କରିଛନ୍ତି କି, ଯାତ୍ରୀମାନଙ୍କ ସୁରକ୍ଷାକୁ କ୍ରୁଟ୍ ପ୍ରାଥମିକତା ଦେଇଛି। ଗତକାଲିର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଜଣାପଡ଼ିଛି କି ହଂସପାଳ ନିକଟରେ ଯାତ୍ରୀଜଣକ ଓହ୍ଲାଇବା କଥା। ହେଲେ ସେ ଗାଇଡ୍ ସହ ଯୁକ୍ତିତର୍କ କରି ଓହ୍ଲାଇନଥିଲେ। ବରଂ ସେ ଗାଇଡ୍ଙ୍କ କ୍ୟାସ୍ବ୍ୟାଗ୍ ଓ ମେସିନ୍କୁ ଭିଡ଼ି ଧରି ତାଙ୍କୁ ବାହାରକୁ ଟାଣି ନେବାକୁ ଉଦ୍ୟମ କରୁଥିଲେ। ସେ ବସ୍ର ଫାଟକକୁ ପଛ କରି ଛିଡ଼ା ହୋଇଥିଲେ। ଫାଟକ ସ୍ବତଃ ବନ୍ଦ ହେଉଥିବା ବେଳେ ସେ ଏହାକୁ ଜବରଦସ୍ତ ଖୋଲିବାକୁ ଚେଷ୍ଟା କରୁଥିଲେ।
ଏତିକିବେଳେ କେହି ଜରୁରିକାଳୀନ ଫାଟକ ସୁଇଚ୍ ଅନ୍ କରିଦେବାରୁ ଫାଟକ ଖୋଲି ଯାଇଥିଲା ଓ ସେ ଖସି ପଡ଼ିଥିଲେ। ତେବେ ନିର୍ମଳେନ୍ଦୁ ପଡ଼ିଯିବା ପରେ ମୋ ବସ୍ କର୍ମଚାରୀ ତାଙ୍କୁ ଉଠାଇବା ପାଇଁ ଯାଉ ନଥିବା ସିସିଟିଭି ଫୁଟେଜ୍ରେ ଦେଖାଯାଇଛି। ସେହିଭଳି ଜରୁରିକାଳୀନ ସୁଇଚ୍କୁ ସମ୍ପୃକ୍ତ ଗାଇଡ୍ ହିଁ ଟିପିଥିବା ସିସିଟିଭି ଫୁଟେଜ୍ରେ ଦେଖାଯାଇଛି। ତେବେ ଉଭୟ କ୍ରୁଟ୍ ଓ ମଞ୍ଚେଶ୍ବର ଥାନା ପୁଲିସ ଉଭୟ ମାମଲାର ତଦନ୍ତ କରୁଛନ୍ତି।