ଭୁବନେଶ୍ବର: ବିଭିନ୍ନ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀମାନଙ୍କୁ ଦିଆଯାଉଥିବା ଅମାନବୀୟ ନିର୍ଯାତନାକୁ ନେଇ ଚର୍ଚ୍ଚା ଥମିନାହିଁ। କେଉଁଠି ନିର୍ଘାତ୍ ମାଡ଼ ମରାଯାଉଥିବା ଅଭିଯୋଗ ହେଉଛି ତ କେଉଁଠୁ ହତ୍ୟା ଅଭିଯୋଗ ବି ଆସୁଛି। ପୂର୍ବରୁ ଏମିତି ଅନେକ ଉଦାହରଣ ରହିଛି। ଗତ କିଛି ମାସ ପୂର୍ବେ ଏଭଳି ନିର୍ମମ ଘଟଣାର ଭିଡିଓ ଭାଇରାଲ୍ ହୋଇ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା। ଠିକ୍ ସେମିତି ଆଜି ଅପରାହ୍ନରେ କୋଳଥିଆସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ମୃତକ ହେଲେ ଡୁମୁଡୁମା ହାଉସିଂବୋର୍ଡ କଲୋନି ଫେଜ୍-୨ରେ ରହୁଥିବା ରାଜୀବ କୁମାର ଶ୍ରୀଚନ୍ଦନ। ରାଜୀବ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗରେ ସେକ୍ସନ୍ ଅଫିସର ଭାବେ କାମ କରୁଥିଲେ। ମୃତଦେହରେ ଅନେକ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ପିଟିପିଟି ମାରିଦିଆଯାଇଛି ବୋଲି ତାଙ୍କ ବନ୍ଧୁ ମାନସ ଗୌଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ କ୍ୟାପିଟାଲ ହସ୍ପିଟାଲ୍ରେ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଶବ ସଂରକ୍ଷଣ ଗୃହରେ ରଖାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ରାଜୀବଙ୍କ ମୃତ୍ୟୁ ବାବଦରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ ସୂଚନା ଦେଇଛି। ତେବେ ଘଟଣା ସମ୍ପର୍କରେ ଖୋଳତାଡ଼୍ କରିବାକୁ ପୁଲିସ ନିଶା ନିବାରଣ କେନ୍ଦ୍ରର ୨ କର୍ମଚାରୀଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି।
ଅଭିଯୋଗକାରୀ ମାନସଙ୍କ ସୂଚନାନୁସାରେ ରାଜୀବ କିଛି ମାସ ହେଲା କୁସଙ୍ଗରେ ପଡ଼ି ନିଶାସକ୍ତ ହୋଇଯାଇଥିଲେ। ତେବେ ନିଶା ଛାଡ଼ିବା ପାଇଁ ସେ ନିଜ ଆଡ଼ୁ ସାଙ୍ଗ ମାନସଙ୍କୁ କହିଥିଲେ ଏବଂ ଦୀପାବଳି ଦିନ ମାନସ ତାଙ୍କୁ ନେଇ କୋଳଥିଆସ୍ଥିତ ନିଶା ନିବାରଣ କେନ୍ଦ୍ର ‘ନିଷ୍ଠା’ରେ ଛାଡ଼ିଥିଲେ। ସେଠାରେ ଛାଡ଼ିବା ବେଳେ ମାସେ ଯାଏ କେହି ତାଙ୍କ ସହ ସାକ୍ଷାତ ନକରିବାକୁ ନିଷ୍ଠାର ପରିଚାଳକ ଓ କର୍ମଚାରୀମାନେ କହିଥିଲେ। କିନ୍ତୁ ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ସଂଜୀବ ପଣ୍ଡା ନାମକ ଜଣେ ବ୍ୟକ୍ତି ତାଙ୍କୁ ଫୋନ୍ କରି କ୍ୟାପିଟାଲ ହସ୍ପିଟାଲକୁ ଆସିବା ପାଇଁ କହିଥିଲେ। ରାଜୀବ ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ସେ କହିଥିଲେ। ଫୋନ୍ ପାଇ ତୁରନ୍ତ ମାନସ ଓ ତାଙ୍କର କିଛି ବନ୍ଧୁ ହସ୍ପିଟାଲରେ ପହଞ୍ଚିବା ବେଳକୁ ରାଜୀବଙ୍କ ମୃତ୍ୟୁ ହୋଇଛି ବୋଲି ଜାଣିବାକୁ ପାଇଥିଲେ। ମାନସଙ୍କ କହିବା କଥା ରାଜୀବଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନସବୁ ରହିଛି। ତେଣୁ ତାଙ୍କୁ ପ୍ରବଳ ମାଡ଼ ମରାଯାଇଥିବା ସନ୍ଦେହ କରାଯାଉଛି।
ମୁଖାଗ୍ନି ଦେବ କିଏ?
ସୂଚନାଯୋଗ୍ୟ ଯେ ରାଜୀବଙ୍କ ବାପା ସୁରେନ୍ଦ୍ରନାଥ ଓ ଅବିବାହିତ ବଡ଼ଭାଇଙ୍କର ପୂର୍ବରୁ ମୃତ୍ୟୁ ହୋଇସାରିଛି। ଏବେ ତାଙ୍କ ପରିବାରରେ କେବଳ ଦୁଇ ବୃଦ୍ଧା ରାଜୀବଙ୍କ ମା’ ଓ ଜେଜେମା’ ଅଛନ୍ତି। ସେମାନେ ବିଭିନ୍ନ ରୋଗରେ ପୀଡ଼ିତ ଥିବାରୁ ଶଯ୍ୟାଶାୟୀ ଅବସ୍ଥାରେ ଅଛନ୍ତି। ବଡ଼ ଦୁଃଖର କଥା ଆସନ୍ତାକାଲି ଅନ୍ତିମ ସଂସ୍କାର ବେଳେ ରାଜୀବଙ୍କୁ ମୁଖାଗ୍ନି ଦେବାକୁ କେହି ନାହାନ୍ତି। ସଂପର୍କୀୟ ନଚେତ୍ ସାଙ୍ଗମାନେ ହିଁ କ୍ରିୟା କରିବେ ବୋଲି ଜଣାପଡ଼ିଛି।