ବାହ୍ୟ ମଳତ୍ୟାଗମୁକ୍ତ ସହର ଘୋଷଣା ପ୍ରହସନ, ଆନ୍ତର୍ଜାତିକ ହକି ଷ୍ଟାଡିୟମ୍‌ ପାଚେରି ଏବେ ଶୌଚାଳୟ

ଭୁବନେଶ୍ବର: ଚଳିତ ବର୍ଷ ପ୍ରାରମ୍ଭରୁ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ରାଜଧାନୀ ଭୁବନେଶ୍ବରକୁ ବାହ୍ୟ ମଳତ୍ୟାଗ ମୁକ୍ତ ସହର ଭାବେ ଘୋଷଣା କରିଛି। ସ୍ମାର୍ଟସିଟି ଭୁବନେଶ୍ବରର ଓଡିଏଫ୍++(ଓପନ୍ ଡେଫିକେସନ୍ ଫ୍ରି)ର ମାନ୍ୟତା ପାଇଥିଲେ ମଧ୍ୟ ବାସ୍ତବିକ ଚିତ୍ର କିନ୍ତୁ କିଛି ଅଲଗା। ଆନ୍ତର୍ଜାତିକ ହକି ଷ୍ଟାଡିୟମର ମାନ୍ୟତା ପାଇଥିବା କଳିଙ୍ଗ ଷ୍ଟାଡିୟମର ଦୁଇ ନମ୍ବର ଗେଟ୍ ନିକଟସ୍ଥ ପାଚେରି ପାଲଟିଛି କିଛି ଲୋକଙ୍କ ପାଇଁ ଶୌଚାଳୟ। ଦୁଇ ନମ୍ବର ଗେଟ୍ ସମ୍ମୁଖରେ ଦୀର୍ଘ ୨୭ ବର୍ଷ ହେଲା ଏକ ବ୍ୟବସାୟୀ ସଂଘ ରହିଛି। ଏହି ସଂଘରେ ଛୋଟ ବଡ଼ ଦୋକାନ ମିଶି ପ୍ରାୟ ୧୮୦ଟି ଦୋକାନୀ ଅଛନ୍ତି। କିନ୍ତୁ ଏହି ମାର୍କେଟ୍ ପରିସରରେ ଶୌଚାଳୟଟିଏ ନ ଥିବାରୁ ବ୍ୟବସାୟୀମାନେ ଶୌଚ ହେବା ପାଇଁ ରାସ୍ତା କଡ଼କୁ ଯାଉଛନ୍ତି। ଏପରିକି ମାର୍କେଟ୍‌କୁ ଜିନିଷ କିଣିବାକୁ ଆସୁଥିବା ଗ୍ରାହକମାନେ ମଧ୍ୟ ପରିସ୍ରା କରିବା ପାଇଁ ରାସ୍ତା କଡ଼କୁ ଯାଉଛନ୍ତି। ମାର୍କେଟ୍‌ରୁ ପ୍ରାୟ ୧ କିମି ଦୂରରେ ଦୁଇଟି ଇ-ଟଏଲେଟ୍ ରହିଛି। ଦୋକାନ ଛାଡ଼ି ଏତେ ଦୂର ଯିବା ସମ୍ଭବ ହେଉ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅପର ପକ୍ଷରେ ଏହି ଇ-ଟଏଲେଟ୍ ଦୁଇଟି ସ୍ବୟଂଚାଳିତ ହୋଇଥିବାରୁ ସେଗୁଡ଼ିକର ବ୍ୟବହାର ସଂପର୍କରେ ଲୋକେ ଅବଗତ ନ ଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ଟଏଲେଟ୍ ଦ୍ବୟ ବ୍ୟବହାର ହେଉ ନ ଥିବାରୁ ତାହା ବି ଅଚଳ ଅବସ୍ଥାକୁ ଆସିଗଲାଣି। ସଂଘ ପକ୍ଷରୁ ପୂର୍ବତନ କମିସନର, ପୂର୍ବତନ ମେୟର ଓ ପୂର୍ବତନ କର୍ପୋରେଟରଙ୍କୁ ଅନେକ ବାର କୁହାଯାଇ ଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଏପରିକି ସଂଘର ସମସ୍ତ ବ୍ୟବସାୟୀଙ୍କ ଦସ୍ତଖତରେ ଏ ନେଇ ଦରଖାସ୍ତ ଦିଆଯାଇ ଥିଲେ ସୁଦ୍ଧା ଆଜି ଯା‌ଏ ଶୌଚାଳୟ ନିର୍ମାଣ ହୋଇପାରି ନାହିଁ।

ସବୁ ପ୍ରତିଶ୍ରୁତି ପାଣିର ଗାର
୨୦୧୪ ମସିହା ପୂର୍ବରୁ ଆମ ମାର୍କେଟ ପରିସରରେ ଶୌଚାଳୟ କରିବା ପାଇଁ ସ୍ଥାନୀୟ ନେତାଙ୍କ ଠାରୁ ଆରମ୍ଭ କରି ମେୟରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦେଖା କରି ଅଭିଯୋଗ କଲୁ। ନେତାଏ ପ୍ରତିଶ୍ରୁତି ଦେଇ କାମ ନିଶ୍ଚିତ ହୋଇଯିବ ବୋଲି କୁହନ୍ତି। ପଚାରିଲେ ଆଜି ହବ, କାଲି ହବ, ଜାଗା ନାହିଁ ଏପରି ନାନା ବାହାନା ଦେଖେଇ କାମ ଝୁଲେଇ ରଖନ୍ତି। କିନ୍ତୁ ନିର୍ବାଚନ ସରିବା ପରେ ସବୁ ପ୍ରତିଶ୍ରୁତି ମିଳେଇ ଯାଏ। ମାର୍କେଟ୍‌ର ଦୋକାନୀଙ୍କ ଠାରୁ ଆରମ୍ଭ କରି ଗ୍ରାହକଙ୍କ ପର୍ଯ୍ୟନ୍ତ ସମସ୍ତେ ଶୌଚାଳୟ ଅଭାବରୁ ନାନା ହଇରାଣ ହିଁ ହେଉଛନ୍ତି।
ହରିହର ମହାପାତ୍ର,
ସଂପାଦକ, କଳିଙ୍ଗ ମାର୍କେଟ୍ ବ୍ୟବସାୟୀ ସଂଘ

ବାଲ୍‌କୋନିକୁ ଆସିଲେ ଲୋକ ପରିସ୍ରା କରୁଥିବା ଦେଖୁଛୁ
ମୁଁ ଏଠାରେ ଦୀର୍ଘ ଦିନ ହେବ ରହିଆସୁଛି। ମୋ ଘର ବାଲ୍‌କୋନିକୁ ଆସିଲେ କେହି ନା କେହି ଷ୍ଟାଡିୟମ ପାଚେରିରେ ପରିସ୍ରା କରୁଥିବା ଦେଖିବାକୁ ମିଳେ। ସଂଘର ମହିଳା ବ୍ୟବସାୟୀଙ୍କୁ ଅତି ଦରକାର ପଡ଼ିଲେ ମୋ ଘରେ ଶୌଚ ଓ ପରିସ୍ରା କରିବା ପାଇଁ ଅନୁମତି ଦିଏ। କିନ୍ତୁ ସବୁବେଳେ ଘରେ ଶୌଚ ହେବା ପାଇଁ ଅନୁମତି ଦେବା ସମ୍ଭବ ନୁହେଁ। ଏଠାରେ ଏକ ଶୌଚାଳୟ କରିବା ପାଇଁ ମୁଁ ବି ଅନେକ ଥର ପୂର୍ବତନ କର୍ପୋରେଟରଙ୍କୁ କହିଛି। କିନ୍ତୁ କିଛି ସୁଫଳ ମିଳିନାହିଁ।
ପ୍ରଶାନ୍ତ ମିଶ୍ର, ସ୍ଥାନୀୟ ବାସିନ୍ଦା

ଦୀର୍ଘ ଦିନର ସମସ୍ୟା
ଦୀର୍ଘ ୨୫ବର୍ଷ ହେଲାଣି ମୁଁ ଏଠାରେ ତେଜରାତି ଦୋକାନ ଦେଇଛି। ମାର୍କେଟ୍‌ରେ ଶୌଚାଳୟ ସମସ୍ୟା ଆଜିର ନୁହେଁ, ବହୁ ପୁରୁଣା। ଆଗରୁ ଯେମିତି ଆମେ ବାହାରେ ପରିସ୍ରା କରୁଥିଲୁ ଏବେ ବି କରୁଛୁ। ସଂଘ ଅନେକ ଥର ନେତା, ପ୍ରଶାସନକୁ ଫେରାଦ ହୋଇଥିଲେ ବି ଶୌଚାଳୟର ବ୍ୟବସ୍ଥା କରୁନାହାନ୍ତି। ଦୌଡ଼ି ଦୌଡ଼ି ନୟାନ୍ତ ହେଲୁଣି କିନ୍ତୁ କେହି କରୁନାହାନ୍ତି। ବିଭିନ୍ନ ବାହାନା ଦେଖାଇ ଶୌଚାଳୟ କରାଯାଉ ନ ଥିବା କହୁଛନ୍ତି।
ଅକ୍ଷୟ କୁମାର ସାହୁ, ବ୍ୟବସାୟୀ

ବେପାର ଚିନ୍ତା କମ୍, ପରିସ୍ରା ଚିନ୍ତା ଅଧିକ
ଆମ ମାର୍କେଟ୍ ସଂଘ ଆନ୍ତର୍ଜାତିକ ଷ୍ଟାଡିୟମ ନିକଟରେ ଥିବାରୁ ବର୍ଷରେ ପ୍ରାୟ ସମୟରେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ଖେଳ ଷ୍ଟାଡିୟମରେ ହୁଏ। ଖେଳ ହେଲେ ଷ୍ଟାଡିୟମ ଚାରି ପାଖରେ ସୁରକ୍ଷା ପାଇଁ ପୁଲିସ୍ ନିଯୁକ୍ତ ହୁଅନ୍ତି। ତେଣୁ ସେତେବେଳେ ପରିସ୍ରା ଯିବା ନାନା ସମସ୍ୟା ହୁଏ। ସେଥିପାଇଁ ବର୍ଷରେ ଅଧିକାଂଶ ଦିନ ବେପାର ଚିନ୍ତା କମ୍ ପରିସ୍ରା ଚିନ୍ତା ଅଧିକ ଘାରେ।
ଜ୍ଞାନ ରଂଜନ ଜେନା, ବ୍ୟବସାୟୀ

ସମ୍ବନ୍ଧିତ ଖବର