ଭୁବନେଶ୍ବର: ସାର୍ଥପରତାର ମହାଯଜ୍ଞରେ ସୂର୍ଯ୍ୟନାରାୟଣ ପ୍ରଥମ ବଳିସ୍ବରୂପ ଅର୍ପଣ କରନ୍ତି ନିଜର ଏକମାତ୍ର କନ୍ୟା ସରସୀକୁ। ସରସୀ ଡାକ୍ତର ସରୋଜକୁ ଭଲ ପାଉଥିଲେ ହେଁ ବିଶ୍ବାସ କରିପାରେ ନାହିଁ। ଅଭିମାନରେ ସାମୟିକ ଉତ୍ତେଜନାରେ ସେ ନିଜକୁ ଶରତ ହାତରେ ଟେକିଦିଏ। ହାତଗଣ୍ଠି ପଡ଼େ ସତ, ମନର ଗଣ୍ଠି କିନ୍ତୁ ହୁଗୁଳା ହୋଇଯାଏ। ଅପୂର୍ଣ କାମନା ଜାଲରେ ଛନ୍ଦି ହୋଇ ଶରତ ମାନସିକ ଭାରସାମ୍ୟ ହରାଇ ସରୋଜ କ୍ଲିନିକ୍କୁ ଯାଇ ଅଧିକ ଛନ୍ଦି ହୋଇଯାଏ କଲ୍ୟାଣୀର ଆକର୍ଷଣରେ। ଏଭଳି ୪ଜଣ ନରନାରୀଙ୍କର ଅର୍ନ୍ତଦ୍ୱନ୍ଦକୁ ନେଇ ଆଜି ରବୀନ୍ଦ୍ରମଣ୍ଡପରେ ଓଡ଼ିଆ ନାଟ୍ୟ ଜଗତର ପ୍ରବାଦ ପୁରୁଷ ସ୍ବର୍ଗତ ମନୋରଞ୍ଜନ ଦାସଙ୍କ ଜନ୍ମଶତବାର୍ଷକୀ ପାଳନ ଅବସରରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ଆଗାମୀ’।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଏହି ୫ ଦିନିଆ ନାଟକ ଉତ୍ସବର ଉଦ୍ଘାଟନୀ ସନ୍ଧ୍ୟାରେ ଉତ୍କଳ ରଙ୍ଗମଞ୍ଚ ପକ୍ଷରୁ ମନୋରଞ୍ଜନ ଦାସଙ୍କ ରଚିତ ବହୁ ଚର୍ଚ୍ଚିତ ନାଟକ ‘ସାଗର ମନ୍ଥନ’ ଗତକାଲି ମଞ୍ଚସ୍ଥ ହୋଇଥିଲା। ଅନନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ବର ଉତ୍କଳ ରଙ୍ଗମଞ୍ଚ ଟ୍ରଷ୍ଟର କଳାକରମାନେ ସେ ନାଟକ ପରିବେଷଣ କରିଥିଲେ। ଆଜି ଦ୍ବିତୀୟ ଦିନରେ ମିହିର ମେହେରଙ୍କ ନିର୍ଦ୍ଦେଶନାରେ ନାଟକ ‘ଆଗାମୀ’କୁ ଇଣ୍ଟରନ୍ୟାସନାଲ୍ ଥିଏଟରର କଳାକାରମାନେ ପରିବେଷଣ କରିଥିଲେ। ଉତ୍ସବରେ ଅତିଥିଭାବେ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଲାଲା ବିରେନ୍ ରାୟ ଓ ପ୍ରସନ୍ନ ମିଶ୍ର ଯୋଗଦେଇଥିଲେ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ ପରିଚାଳନା କରିଥିଲେ। ଆସନ୍ତାକାଲି ମନୋରଞ୍ଜନ ଦାସଙ୍କ ନାଟକ ‘ଜନ୍ମମାଟି’କୁ ରାଉରକେଲା ‘ସମ୍ପର୍କ’ ନାଟ୍ୟାନୁଷ୍ଠାନର କଳାକାରମାନେ ପରିବେଷଣ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/hsfhsfshf.jpg)