ତଦନ୍ତ କମିଟି ଗଢ଼ିଲେ ଓୟୁଏଟି କୁଳପତି

ଛାତ୍ରୀଙ୍କୁ ପ୍ରଫେସର୍‌ଙ୍କ ନିର୍ଯାତନା ଘଟଣାର ତନାଘନା ଆରମ୍ଭ

ଭୁବନେଶ୍ୱର: ଛାତ୍ରୀଙ୍କୁ ପ୍ରଫେସର୍‌ଙ୍କ ନିର୍ଯାତନା ଘଟଣାର ଖୋଳତାଡ଼ ଆରମ୍ଭ ହୋଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଅଧୀନ ବେସିକ୍‌-ସାଇନ୍ସ କଲେଜରେ ଏଭଳି ଘଟଣା ଘଟିଥିବା, ଆଜି କର୍ତ୍ତୃପକ୍ଷ ସ୍ବୀକାର କରିବା ସହ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅପରପକ୍ଷେ, କଲେଜ କର୍ତ୍ତୃପକ୍ଷ ଆଜି ଏହାର ଏକ ରିପୋର୍ଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର୍‌ ପ୍ରଭାତ ରାଉଳଙ୍କ ନିକଟରେ ଦାଖଲ କରିବା ପରେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ତଦନ୍ତ କମିଟି ଗଠନ ହୋଇଛି।

କମ୍ୟୁନିଟି ସାଇନ୍ସ କଲେଜର ନିର୍ଦ୍ଦେଶିକା ତୃପ୍ତି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ବିଶ୍ୱବିଦ୍ୟାଳୟ ମହିଳା ପ୍ରଫେସରଙ୍କୁ ସାମିଲ କରାଯାଇଛି। ଯେତେଶୀଘ୍ର ସମ୍ଭବ ଏହି ଘଟଣାର ତଦନ୍ତ ରିପୋର୍ଟ ଦେବାକୁ କୁଳପତି ପ୍ରଫେସର୍‌ ରାଉଳ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି। ତେଣୁ କମିଟିର ସଦସ୍ୟମାନେ ଆଜି ଅପରାହ୍‌ଣରେ ପାଖାପାଖି ୧୫ଜଣ ଛାତ୍ରୀଙ୍କୁ ବିଭିନ୍ନ ବିଷୟରେ ପଚରାଉଚରା କରିଛନ୍ତି। ଅଭିଯୁକ୍ତ ପ୍ରଫେସରଙ୍କୁ ମଧ୍ୟ ଡାକି ପଚରାଉଚରା କରାଯିବ। ଦୁଇ ପକ୍ଷଙ୍କୁ ଶୁଣିବା ପରେ ତଦନ୍ତ କମିଟି ରିପୋର୍ଟ ପ୍ରସ୍ତୁତ କରି ସୋମବାର ସୁଦ୍ଧା ଦାଖଲ କରିବ ବୋଲି ଜଣାପଡ଼ିଛି।

ଅପରପକ୍ଷେ, ଛାତ୍ରୀମାନଙ୍କ ଅଭିଯୋଗ ଆଧାରରେ ଗତ ଅକ୍ଟୋବର ୩୧ ତାରିଖରେ କଲେଜ କର୍ତ୍ତୃପକ୍ଷ ଗଠନ କରିଥିବା ୪ଜଣିଆ ତଦନ୍ତକାରୀ କମିଟିର ବୈଠକ ଆଜି ସକାଳେ ବସିଥିଲା। ସେଥିରେ ଛାତ୍ରୀଙ୍କ ଅଭିଯୋଗ ଓ ପ୍ରଫେସର୍‌ଙ୍କ ବ୍ୟବହାର ନେଇ ବିଶଦ୍‌ ଆଲୋଚନା କରାଯାଇଥିଲା। ପ୍ରଫେସର୍‌ଜଣକ ଛାତ୍ରୀମାନଙ୍କୁ ରାତିରେ ମେସେଜ୍‌ ପଠାଇବା ସହ ଖରାପ ବ୍ୟବହାର କରୁଥିଲେ। ବିଭିନ୍ନ ଜାଗା ବୁଲିବାକୁ ଓ ସାଙ୍ଗରେ ଚା’ ପିଇବାକୁ ନିମନ୍ତ୍ରଣ ଦେଉଥିଲେ। ଏପରିକି ଶ୍ରେଣୀଗୃହରେ ନିଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଛାତ୍ରୀମାନଙ୍କୁ ସୋନିଆ ଗାନ୍ଧୀ ବୋଲି ସମ୍ବୋଧିତ କରୁଥିଲେ।

ରିପୋର୍ଟ ଦେଲା ବେସିକ୍‌-ସାଇନ୍ସ କଲେଜ ଆଭ୍ୟନ୍ତରୀଣ କମିଟି
ଅଧରାତିରେ ମେସେଜ୍‌ କରୁଥିଲେ ପ୍ରଫେସର୍‌
ତଦନ୍ତ କମିଟି ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ

ଏହାବ୍ୟତୀତ ହ୍ବାଟସ୍‌-ଆପ୍‌ରେ ଡିସପ୍ଲେ-ପିକ୍ଚର୍‌(ଡିପି) ପରିବର୍ତ୍ତନ କରିବାକୁ ଛାତ୍ରୀମାନଙ୍କୁ ବାରମ୍ବାର ଚାପ ପକାଉଥିଲେ। ଡିପି ପରିବର୍ତ୍ତନ ନକଲେ ପରଦିନ କ୍ଲାସ୍‌ରେ ମାଡ଼ ମାରିବେ ବୋଲି ଧମକାଉଥିଲେ। ସେହିପରି ଅଧ ରାତିରେ ମେସେଜ୍‌ କରି ଫଟୋ ପଠାଇବାକୁ କହୁଥିଲେ। ଫଟୋରେ ଭଲ-ଖରାପ କମେଣ୍ଟ ମଧ୍ୟ ଦେଉଥିଲେ। ଏତେ ସବୁ ସଂଗିନ୍‌ ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରି କମିଟି ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରି କୁଳପତିଙ୍କୁ ଦେଇଥିବା ଜଣାଯାଇଛି।

ବେସିକ ସାଇନ୍ସ କଲେଜର ନିର୍ଦ୍ଦେଶକ ଚୌଧୁରୀ ସୂର୍ଯ୍ୟକାନ୍ତ ମିଶ୍ର କହିଛନ୍ତି ଯେ କିଛି ଛାତ୍ରୀ ଗତ ୩୧ ତାରିଖରେ ଏ ସଂପର୍କରେ ଅଭିଯୋଗ କରିଥିଲେ। ଏହାପରେ କଲେଜର ୪ଜଣ ଅଧ୍ୟାପିକାଙ୍କୁ ନେଇ ତଦନ୍ତ କମିଟି ଗଠନ କରାଯାଇଥିଲା। ତୁରନ୍ତ ରିପୋର୍ଟ ଦେବାକୁ ବି କୁହାଯାଇଥିଲା। ସେମାନେ ଆଜି ରିପୋର୍ଟ ଦାଖଲ କରିବା ପରେ ତାହାକୁ ଓୟୁଏଟି କୁଳପତିଙ୍କୁ ହସ୍ତାନ୍ତର କରାଯାଇଛି। କୁଳପତି ଘଟଣାକୁ ଗୁରୁତ୍ୱର ସହ ନେଇ ବିଶ୍ୱବିଦ୍ୟାଳୟ ଅଧୀନ ଅନ୍ୟ କଲେଜର ଅଧ୍ୟାପିକାଙ୍କୁ ନେଇ କମିଟି ଗଠନ କରିଛନ୍ତି। ସେମାନେ ରିପୋର୍ଟ ଦେବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ପରବର୍ତ୍ତୀ ପଦକ୍ଷେପ ନେବୁ। ଘଟଣା ସମ୍ପର୍କରେ ଜାଣିବା ଲାଗି ଓୟୁଏଟି କୁଳପତି ପ୍ରଫେସର ରାଉଳଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା।

ସୂଚନାଯୋଗ୍ୟ, ଖଣ୍ଡଗିରି ଥାନା ଅଧୀନ ଏକ ସରକାରୀ କଲେଜରେ ଛାତ୍ରୀଙ୍କୁ ପ୍ରଫେସର୍‌ଙ୍କ ନିର୍ଯାତନା ସମ୍ପର୍କିତ ଖବର ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ତନାଘନା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର