ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କୁ ସହାୟତା ପ୍ରସଙ୍ଗ, ବେସରକାରୀ ତାଲିକା ପ୍ରସ୍ତୁତ କରୁଛି କିଏ?

ପୁରୁଣା ଭୁବନେଶ୍ବର: ମାର୍ଚ୍ଚ ମାସରୁ ରୋଜଗାର ହରାଇ ଅସହାୟ ହୋଇପଡ଼ିଥିବା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାୟତମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ସ୍ତରରୁ ଦାବି ହେଉଛି। କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଓ ମନ୍ଦିର ପ୍ରଶାସନ ଏହି ଦାବି ପ୍ରତି ଉଦାସୀନ ରହି ଆସିଛନ୍ତି। ଫଳରେ ଘୋର ଦୁର୍ଦ୍ଦିନରେ ସେବାୟତମାନେ କାଳ କାଟୁଛନ୍ତି। ତେବେ ଏଭଳି ଏକ ସମୟରେ ସେମାନଙ୍କୁ ସରକାରୀ ସହାୟତା ମିଳିବ ବୋଲି କହି କିଛି ଯୁବକ ଏକ ତାଲିକା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ନିଜକୁ ସରକାରୀ ଦଳର କର୍ମୀ ବୋଲି କହୁଥିବା ଏହି ଯୁବକମାନେ ଲୁଚାଚୋରାରେ ଏହି ତାଲିକା ପ୍ରସ୍ତୁତ କରୁଥିବାରୁ ଏହାକୁ ନେଇ ନାନା କଥା ଆଲୋଚନା ହେଉଛି।

କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ୨୦ ତାରିଖରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଫଳରେ ସେବାୟତଙ୍କ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି। ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରି ବିଜେପି ପକ୍ଷରୁ ମନ୍ଦିର ନିକଟରେ ବିକ୍ଷୋଭ କରାଯାଇଥିଲା। ବିଜେପି ଜିଲ୍ଲା ସଭାପତି ବାବୁ ସିଂହଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଏକାମ୍ର କ୍ଷେତ୍ରର ସମସ୍ତ ସେବାୟତଙ୍କୁ ସରକାରୀ ସହାୟତା ଦେବା ପାଇଁ ଦାବି କରାଯାଇଥିଲା। ତେବେ ବିଜେପିର ଏହି ପଦକ୍ଷେପକୁ ମାତ୍‌ ଦେବା ପାଇଁ କିଛି ଯୁବକ ସେବାୟତମାନଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି। ତାଲିକାଭୁକ୍ତ ସେବାୟତଙ୍କୁ ସହାୟତା ମିଳିବ ବୋଲି ସେମା‌ନେ କହଛନ୍ତି। ‌ତେବେ ଏହି ଯୁବକମାନେ ପ୍ରକୃତରେ କିଏ, ତାହା ସ୍ପଷ୍ଟ ହୋଇନାହିଁ। ସେମାନେ ନିଜକୁ ସରକାରୀ ଦଳର କର୍ମୀ ବୋଲି କହୁଥିଲେ ମଧ୍ୟ ତାହା କେତେ ଦୂର ସତ ଜଣାପଡ଼ିନାହିଁ। ଏ ନେଇ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶଙ୍କ କହିବା କଥା ଏପରି ତାଲିକା ବାବଦରେ ସେ କିଛି ଜାଣିନାହାନ୍ତି। ସେହିଭଳି ଜଣେ ସେବାୟତ ନିଜ ନାମ ଗୋପନ ରଖି କହିଛନ୍ତି ସରକାରୀ ଦଳର ଜଣେ ଯୁବକ ଏପରି ତାଲିକା ନେଇଛନ୍ତି। ତେବେ ସେ ସହାୟତା କାହାଠୁ ଆଣିବେ, କିଏ ଦେବ, ତାହା ତାଙ୍କୁ କୁହାଯାଇନାହିଁ। ତେବେ ଏହି ତାଲିକା ବାବଦରେ ଖବର ପ୍ରଚାର ହେବା ପରେ ଏକାମ୍ର କ୍ଷେତ୍ରରେ ଥିବା ଶତାଧିକ ମନ୍ଦିରର ସେବାୟତମାନଙ୍କ ଭିତରେ ଉତ୍କଣ୍ଠା ସୃଷ୍ଟି ହୋଇଛି। ଯଦି ଏହା ମିଛ ବୋଲି ପ୍ରମାଣିତ ହେବ, ଆଗାମୀ ଦିନରେ ସମ୍ପୃକ୍ତ ଯୁବକମାନଙ୍କୁ ଏହି ଭଣ୍ଡାମୀର ପରିଣତି ଭୋଗିବାକୁ ପଡ଼ିବ ବୋଲି କିଛି ସେବାୟତ କହିଛନ୍ତି।

ସମ୍ବନ୍ଧିତ ଖବର