ଭୁବନେଶ୍ବର: ରାଜ୍ୟ‌ରେ ମଦ, ଗଂଜେଇ ସହ ଅନ୍ୟାନ୍ୟ ନିଶାଦ୍ରବ୍ୟର ଅବୈଧ କାରବାର ପଛରେ ପୁଲିସର ହାତ ରହିଛି। ନିକଟ ଅତୀତରେ ପୁରୀ ଅବକାରୀ ଇନ୍ସପେକ୍ଟର୍‌ ସଞ୍ଜୟ ପଣ୍ଡାଙ୍କ ବୟାନରୁ ଏହା ସ୍ପଷ୍ଟ ହୋଇସାରିଛି। କିନ୍ତୁ ପୁଲିସ ପ୍ରଶାସନ ଓ ଅବକାରୀ ବିଭାଗ ନିଜ ମଳିନ ଛବିକୁ ସୁଧାରିବା ପାଇଁ ଶ୍ରୀ ପଣ୍ଡାଙ୍କ ଉପରେ ଚାପ ପକାଇ ତାଙ୍କୁ ବୟାନ ବଦଳାଇବାକୁ ବାଧ୍ୟ କରିଛନ୍ତି। ଆଜି ୟୁନିଟ୍‌-୪ ମଧୁସୂଦନ ନଗରସ୍ଥିତ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା) କାର୍ଯ୍ୟାଳୟ‌ରେ ମୋନା ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରାଯାଇଛି।

Advertisment

ମୋନାର ସଭାପତି ପଦ୍ମଚରଣ ନାୟକ କହିଥିଲେ ଯେ ରାଜ୍ୟରେ ମଦର ପ୍ରସାର ନିମନ୍ତେ ସରକାର ନେତୃତ୍ବ ନେଉଥିବା ବେଳେ ମଦ, ଗଂଜେଇ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ମାଫିଆଙ୍କଠାରୁ ପଇସା ନେଇ ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବା, ମାମଲା ରୁଜୁ ନ କରିବା; ମଦ ସମସ୍ୟାକୁ ଆହୁରି ଉତ୍କଟ କରିଦେଉଛି। ପୁରୀ ଅବକାରୀ ଇନ୍ସ‌ପେକ୍ଟର୍‌ ସଂଜୟ ପଣ୍ଡାଙ୍କ ପ୍ରଥମ ବୟାନ, ତାହା ହିଁ ସୂଚାଉଛି। କିନ୍ତୁ ବିଭାଗ ପକ୍ଷରୁ ତାଙ୍କ ଉପରେ ଚାପ ପକାଯିବା ସହ ତାଙ୍କୁ ବୟାନ ବଦଳାଇବା ପାଇଁ ବାଧ୍ୟ କରାଯାଇଛି। ତେଣୁ ଆଜି ସେ ମାନସିକ ଅବସାଦଗ୍ରସ୍ତ ଥିବା, ମାସେ ହେଲା ମେଡିସିନ୍‌ ଖାଇ ନଥିବା ଭଳି ଅମୂଳକ କାରଣ ଦର୍ଶାଇଛନ୍ତି। ଏହା ସହଜରେ ଗ୍ରହଣଯୋଗ୍ୟ ନୁହେଁ ବୋଲି ଶ୍ରୀ ନାୟକ ଯୁକ୍ତି ବାଢ଼ିଛନ୍ତି।

ମୋନାର କାର୍ଯ୍ୟକାରୀ ସଭ‌ାପତି କାହ୍ନୁଚରଣ ବେହୁରା କହିଥିଲେ, ଇନ୍ସପେକ୍ଟର ଶ୍ରୀ ପଣ୍ଡା ସାମାନ୍ୟ ଜଣେ କର୍ମଚାରୀ। ଚାପରେ ପଡ଼ି ସେ ମତ ପରିବର୍ତ୍ତନ କରିଛନ୍ତି। କିନ୍ତୁ ଆଗାମୀ ଦିନରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ତେଣୁ ତାଙ୍କୁ ସୁରକ୍ଷା ଦିଆଯିବା ନିତାନ୍ତ ଆବଶ୍ୟକ। ମୋନାର ମହିଳା ଶାଖାର ସମ୍ପାଦିକା ଅପର୍ଣ୍ଣା ମହାନ୍ତି କହିଥିଲେ ଯେ ନିଶା ପାଇଁ ରାଜ୍ୟରେ ‌ବହୁ ପରିବାର ନଷ୍ଟ ହୋଇଯାଉଛି। ସୂଚନାଯୋଗ୍ୟ, ଆଜି ଅବକାରୀ ଇନ୍ସପେକ୍ଟର୍‌ ଶ୍ରୀ ପଣ୍ଡା ଗଣମାଧ୍ୟମରେ ମତ ପରିବର୍ତ୍ତନ କରିଛନ୍ତି। ସେ କହିଛନ୍ତି ଯେ ମାନସିକ ଅବସାଦଗ୍ରସ୍ତ, କୋ‌ରୋନାରୁ ସୁସ୍ଥ ହୋଇ ଗତ ଏକ ମାସ ଧରି ମେଡିସନ୍ ଖାଇ ନଥିବା କାରଣରୁ ସେ ପୁଲିସ୍‌ ବିରୋଧରେ ଏମିତି ଭୁଲ୍‌ ବୟାନ ଦେଇଥିଲେ।