ଭୁବନେଶ୍ବର: ଡୁମୁଡ଼ୁମା ଛକରେ ବିଦେଶୀ ଫଟୋ ସାମ୍ବାଦିକ ମୁକୁଳା ଡ୍ରେନ୍ରେ ଖସି ପଡ଼ିବା ଘଟଣାରେ ତନାଘନା ହୋଇଛି। ହକି ବିଶ୍ବକପ୍ ଆୟୋଜନ ଓ ଆତିଥେୟତାରେ ରାଜ୍ୟ ସରକାର ପୁଳାପୁଳା ପ୍ରଶଂସା ସାଉଁଟିଥିବା ବେଳେ ପୂର୍ତ୍ତ ବିଭାଗର ଅବହେଳା ପାଇଁ ସରକାର ନିନ୍ଦିତ ହୋଇଛନ୍ତି। ହକି ପୂର୍ବରୁ ସବୁ ମୁକୁଳା ଡ୍ରେନ୍କୁ ଘୋଡ଼ାଇବାକୁ ସମନ୍ବୟ ବୈଠକରେ ଯୋଜନା ହୋଇଥିଲେ ମଧ୍ୟ କାହିଁକି ହୋଇପାରିଲା ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ପୂର୍ତ୍ତ ବିଭାଗ ଏ ନେଇ ମାନସମନ୍ଥନ କରିଥିବା ବେଳେ ଦାୟିତ୍ବରେ ଥିବା ଇଞ୍ଜିନିୟରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଏଣେ ଅଘଟଣ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ସମ୍ପୃକ୍ତ ଡ୍ରେନ୍ କଡ଼ରେ ବାଡ଼ ଦିଆଯାଇଛି। ବାଡ଼ ଦିଆଯିବା ପରେ ସେଥିରେ କଳା ଓ ଧଳା ରଙ୍ଗ ଦିଆଯାଇଛି। ଦୁଇଦିନ ଭିତରେ ସେଠାରେ ସ୍ଲାବ୍ ପକାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଅଘଟଣ ପରେ ବାଡ଼ ବାନ୍ଧିଲେ, ରାତିଅଧିଆ ଚା’ ଦୋକାନ ଉଚ୍ଛେଦ
ସବୁ ନଳାରେ ସ୍ଲାବ୍ ପକାଇବାକୁ ବିଏମ୍ସିକୁ ହୋଇଥିଲା ଚିଠି
ଆଜି ସକାଳୁ ସକାଳୁ ପୂର୍ତ୍ତ ବିଭାଗ ଡିଭିଜନ୍-୨ ଇଞ୍ଜିନିୟରଙ୍କ ସମେତ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ପୂର୍ବରୁ ସବୁ ସ୍ଲାବ୍ ପକାଯାଇଥିବା ରିପୋର୍ଟ ରହିଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଡ୍ରେନ୍ ମୁକୁଳା ରହିଲା, ସେନେଇ ତନାଘନା କରିଥିଲେ। ସମ୍ପୃକ୍ତ ଅଧିକାରୀଙ୍କ ସୂଚନା ମୁତାବକ, ଯାଞ୍ଚ ବେଳେ ଜଣାପଡ଼ିଥିଲା କି କେହି ଏହି ସ୍ଲାବ୍କୁ ନେଇ ଯାଇ ଏକ ଟିଣ ପକାଇ ଦେଇଥିଲା। ଫଳରେ ଉପରକୁ ମୁକୁଳା ବୋଲି ଜଣାପଡ଼ୁନଥିଲା। ଏଣୁ ପାଦ ପଡ଼ିଯିବା ପରେ ଟିଣ ଦବିଯିବାରୁ ସମ୍ପୃକ୍ତ ବିଦେଶୀ ଫଟୋ ସାମ୍ବାଦିକ ନଳାରେ ଗଳି ପଡ଼ିଥିଲେ। ତେବେ ପୂର୍ତ୍ତ ବିଭାଗ ନିଜ ଉପରୁ ଦୋଷ ଖସାଇ ଦେବାକୁ ଏଭଳି ଯୋଜନା କରିଥିବା ଚର୍ଚ୍ଚା ହେଉଛି।
ଏଣେ ବିଏମ୍ସି ମଧ୍ୟ ତନାଘନା କରିଛି। ହକି ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିଲେ ମଧ୍ୟ ବିଏମ୍ସି ଅଞ୍ଚଳରେ ଡ୍ରେନ୍ ମୁକୁଳା ପଡ଼ିଛି, ତାହା କିଭଳି ବିଏମ୍ସି କର୍ତ୍ତୃପକ୍ଷ ଜାଣିପାରିଲେ ନାହିଁ ବା ପୂର୍ତ୍ତ ବିଭାଗ ସହ ସମନ୍ବୟ ରଖିପାରିଲେ ନାହିଁ, ତାହାର ମାନସ ମନ୍ଥନ ହୋଇଛି। ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ହକି ପାଇଁ ବସିଥିବା ସମନ୍ବୟ ବୈଠକରେ ଏହା ଉପରେ ଆଲୋଚନା ହୋଇଥିଲା। ବିଏମ୍ସି ଖୋଲା ନାଳ ସବୁ ଖୋଜି ସ୍ଲାବ୍ ପକାଇବା ପାଇଁ ସମ୍ପୃକ୍ତ ଏଜେନ୍ସି(ପୂର୍ତ୍ତ ଓ ଏନ୍ଏଚ୍ଏଆଇ) ମାନଙ୍କୁ ତାଗିଦ କରିବା କଥା। କିନ୍ତୁ ଏନେଇ ବିଏମ୍ସି ସମ୍ପୃକ୍ତ ବିଭାଗମାନଙ୍କୁ ଅବଗତ କରାଇନାହିଁ। ଫଳରେ ଏଭଳି ଅଘଟଣ ଘଟିଛି। ଏହା ଉପରେ ବିଏମ୍ସି ତନାଘନା କରିବା ସହ ଅଘଟଣ ଘଟିବା ପରେ ବିଏମ୍ସିର ଏକ ସ୍ବତନ୍ତ୍ର ଦଳ ଗତ ରାତିରେ ଘଟଣାସ୍ଥଳ ଅନୁଧ୍ୟାନ କରିଥିଲା। ‘ନା ରହିବ ବାଉଁଶ, ନା ବାଜିବ ବଂଶୀ’ ନ୍ୟାୟରେ ସମ୍ପୃକ୍ତ ମହିଳାଙ୍କର ଚା’ ଦୋକାନକୁ ଉଚ୍ଛେଦ କରିଥିଲା। ବିଏମ୍ସି ସୂଚନା ମୁତାବକ, ଏହି ଦୋକାନ ପୂର୍ବରୁ ଅନେକଥର ଉଚ୍ଛେଦ ହୋଇଛି। କିନ୍ତୁ ପୁଣିଥରେ ସମ୍ପୃକ୍ତ ମହିଳା କ୍ୟାବିନ୍ ପକାଇ ଦେଉଛନ୍ତି। ଏଣୁ ଏହାକୁ ଉଚ୍ଛେଦ କରାଯାଇଛି।
ଅନ୍ୟପଟେ ତନାଘନା ବେଳେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପଦାକୁ ଆସିଛି। ୨୦୨୧ ମସିହାରେ ନଳାରେ ପଡ଼ି ଜଣେ ଛାତ୍ର ମୃତ୍ୟୁବରଣ କରିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ତତ୍ପର ହୋଇଥିଲା। କେବଳ ଭୁବନେଶ୍ବର ନୁହେଁ, ବରଂ ସାରା ରାଜ୍ୟରେ ଏଭଳି ଅଘଟଣ ପୁନରାବୃତ୍ତି ନ ହେବା ପାଇଁ ଚିନ୍ତା କରାଯାଇଥିଲା। ପୌରାଞ୍ଚଳରେ ଯେ କୌଣସି ସଂସ୍ଥାର ଡ୍ରେନ୍ ଥିବ ତାହା ଉପରେ ସମ୍ପୃକ୍ତ ପୌରସଂସ୍ଥା ହିଁ ସ୍ଲାବ୍ ପକାଇବ। ଅର୍ଥାତ୍ ପୂର୍ତ୍ତ ବିଭାଗ ନଳା ଯଦି ବିଏମ୍ସି ଅଞ୍ଚଳରେ ଥିବ ତେବେ ବିଏମ୍ସି ହିଁ ସ୍ଲାବ୍ ପକାଇବ। ଏହି ମର୍ମରେ ନଗର ଉନ୍ନୟନ ବିଭାଗ ବିଏମ୍ସି ସମେତ ଅନ୍ୟ ସମସ୍ତ ପୌରସଂସ୍ଥାକୁ ଚିଠି ଲେଖିଥିଲା। ଏହା ଉପରେ ଅନେକଥର ସମନ୍ବୟ ବୈଠକ ମଧ୍ୟ ବସିଥିଲା। କିନ୍ତୁ ବିଏମ୍ସି କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା। ପୂର୍ତ୍ତ ଓ ଏନ୍ଏଚ୍ଏଆଇ ନିଜ ନିଜର ସ୍ଲାବ୍ ପକାଉଛନ୍ତି। ବିଏମ୍ସିର ପ୍ରତି ୱାର୍ଡରେ ଅଫିସର ରହିଛନ୍ତି। ଏଣୁ କେଉଁଠି ଡ୍ରେନ୍ ଖାଲି ରହିଲା ବା ସ୍ଲାବ୍ ଚୋରି ହୋଇଗଲା, ତାହା ଦେଖିବାକୁ ସୁଯୋଗ ରହିଛି। କିନ୍ତୁ ପୂର୍ତ୍ତ କିମ୍ବା ଏନ୍ଏଚ୍ଏଆଇର ବ୍ୟବସ୍ଥା ନଥିବାରୁ ଏଭଳି ଅଘଟଣ ଘଟୁଛି। ଏହାକୁ ନଜରରେ ରଖି ଗୃହ ଓ ସଗର ଉନ୍ନୟନ ବିଭାଗ ସ୍ଲାବ୍ ପ୍ରସଙ୍ଗରେ ସମସ୍ତ ପୌରାଞ୍ଚଳକୁ ଚିଠି ଲେଖିଥିଲା।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ୱେଲ୍କମ୍ ହୋଟେଲରେ ରହୁଥିବା ଉତ୍ତର କୋରିଆର ଫଟୋ ସାମ୍ବାଦିକ ପାର୍କ ସାଙ୍ଗ ମ୍ୟୁ(୩୦) ଚା’ ଦୋକାନ କଡ଼ରେ ଥିବା ନାଳରେ ପଡ଼ି ଆହତ ହୋଇଥିଲେ।