ଭୁବନେଶ୍ୱର: ପ୍ରଭୁ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ଘଟଣା ଆଜି ନୂଆମୋଡ଼ ନେଇଛି। ତେବେ ଲିଙ୍ଗରାଜଙ୍କ ଜମି ଉପରେ ନିର୍ମାଣକୁ ନେଇ ଆରମ୍ଭ ହୋଇଥିବା ବିବାଦର ସ୍ଥିତି ଯେଉଁଠି ସେଇଠି ରହିଥିଲେ ହେଁ ଆଜି ମଧ୍ୟାହ୍ନରୁ ପ୍ରଭୁଙ୍କ ନୀତିକାନ୍ତି ସ୍ବାଭାବିକ ହୋଇଛି। ଅନ୍ୟପଟେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପଦରୁ ପୂଜାପଣ୍ଡା ଓ ବ୍ରହ୍ମଣ ନିଯୋଗ ଇସ୍ତଫା ଦେଇଛନ୍ତି। ସେମାନେ ଦେବୋତ୍ତର କମିସନରଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି। ଠାକୁରଙ୍କ ସେବକ ଭାବେ ନୀତିକାନ୍ତି କରିବୁ, କିନ୍ତୁ ପ୍ରଶାସନକୁ କୌଣସି ସହଯୋଗ କରିବେ ନାହିଁ ବୋଲି ଦୁଇ ନିଯୋଗ ସ୍ପଷ୍ଟ କରିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ନୂଆଗାଁ ମୌଜା ସାମନ୍ତରାପୁର ଗଙ୍ଗୁଆ ନାଳ ନିକଟରେ ଥିବା ପ୍ରଭୁ ଲିଙ୍ଗରାଜଙ୍କ ୨ ଏକର ୬୩ ଡେସିମିଲ୍‌ ଜମି ଉପରେ ବଡ଼ୁ ନିଯୋଗ ବେଆଇନ ନିର୍ମାଣ କରୁଛି ବୋଲି ଅଭିଯୋଗ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ବୁଧବାରଠାରୁ ଠାକୁରଙ୍କ ନୀତିରୁ ଦୂରେଇ ରହିଥିଲେ। ଭକ୍ତଙ୍କ ପାଇଁ ସାହାଣମେଲା ଦର୍ଶନ ଖୋଲା ରହିଥିଲେ ବି ଦେବନୀତି ବନ୍ଦ ରହିଥିଲା। ଏହାକୁ ନେଇ ସାରା ଓଡ଼ିଶାରେ ସଂସ୍କୃତି ଗବେଷକ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଗୁରୁବାର ଦିନ ଦେବୋତ୍ତର କମିସନର ତିନି ନିଯୋଗଙ୍କ ସହ ପୃଥକ ପୃଥକ ଆଲୋଚନା କରିଥିଲେ। କିନ୍ତୁ ସମାଧାନର କୌଣସି ସୂତ୍ର ବାହାରି ନଥିଲା। ଅନ୍ୟପଟେ ଦେବୋତ୍ତର କମିସନର ବିବାଦର ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୁଣି କୌଣସି ପକ୍ଷ ରାଜି ନହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ସହ ପୁରୁଣା ବିବାଦ ଓ ନୀତିକାନ୍ତି ବନ୍ଦ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଯେଉଁଦିନ ଯେଉଁ ପାଳିଆ ସେବାୟତଙ୍କ ଯାହା ସେବାପୂଜା ରହିଛି, ଯଦି ସେ ନକରନ୍ତି ତେବେ ତା’ର ବିକଳ୍ପ ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ। ଆଜି ତିନି ନିଯୋଗଙ୍କ ସହ ଆଲୋଚନା କରି ବିବାଦର ସମାଧାନ ପାଇଁ କାର୍ଯ୍ୟନିର୍ବାହୀ ପରିଷଦର ବୈଠକ ବସିବବୋଲି ସ୍ଥିର ହୋଇଥିଲା।
କିନ୍ତୁ ଏହା ପୂର୍ବରୁ ଘଟଣା ନାଟକୀୟ ମୋଡ଼ ନେଇଥିଲା। ଗୋଟିଏ ପଟେ ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ମଧ୍ୟାହ୍ନ ୧୨ଟା ୩୦ରେ ଠାକୁରଙ୍କ ନୀତି ଆରମ୍ଭ କରିଥିଲେ। ଶ୍ରୀଲିଙ୍ଗରାଜଙ୍କୁ ମାଘସ୍ନାନ କରାଯିବା ପରେ ବିଧି ମୁତାବକ ନୀତିକାନ୍ତି କରାଯାଇଥିଲା। ଅନ୍ୟପଟେ ପୂଜାପଣ୍ଡା ନିଯୋଗର ପ୍ରତିନିଧି ପ୍ରସନ୍ନ କୁମାର ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗର ପ୍ରତିନିଧି ହେମନ୍ତ କୁମାର ପଣ୍ଡା ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

ଏହି ଦୁଇ ନିଯୋଗ ମହାପ୍ରଭୁଙ୍କ ଜମି ସୁରକ୍ଷିତ ନାହିଁ ବୋଲି କ୍ଷୋଭ ପ୍ରକାଶ କରି କହିଛନ୍ତି, ପ୍ରଶାସନ ଲିଙ୍ଗରାଜଙ୍କ ଜମିକୁ ସୁରକ୍ଷା ଦେଇପାରୁନଥିବା ବେଳେ ଟ୍ରଷ୍ଟ ବୋର୍ଡ ବୈଠକରେ ମଧ୍ୟ ଆଲୋଚନା କରୁନାହାନ୍ତି। ପ୍ରଶାସନର ପକ୍ଷପାତିତାକୁ ବିରୋଧ କରି ଦୁଇ ଟ୍ରଷ୍ଟ ବୋର୍ଡ ସଭ୍ୟ ଇସ୍ତଫା ଦେଇଛନ୍ତି। ମନ୍ଦିର ଜମି ସୁରକ୍ଷିତ ରଖିବାରେ ଟ୍ରଷ୍ଟ ବୋର୍ଡ କିଛି ପଦକ୍ଷେପ ନେଇ ପାରିନାହିଁ। ଜବର ଦଖଲ ଜମି ସମ୍ପର୍କରେ ଟ୍ରଷ୍ଟ ବୋର୍ଡ ଆଲୋଚନା ଥିବା ଦିନ ସଭାପତି ସମୟ ଦେଲେନାହିଁ। ଏଣୁ ଲିଙ୍ଗରାଜଙ୍କ ଜମିକୁ ବେଆଇନ ଜବର ଦଖଲ ସହ ନିର୍ମାଣ ପାଇଁ ନିୟମ ନଥିବା ବେଳେ ଏହାକୁ ଦେବୋତ୍ତର ବିଭାଗ ସହଯୋଗ କରୁଛି। ଏ ସମ୍ପର୍କରେ ବ୍ରାହ୍ମଣ ନିଯୋଗ ସମ୍ପାଦକ ବୀରଞ୍ଚି ନାରାୟଣ ପତି କହିଛନ୍ତି, ବଡ଼ୁ ନିଯୋଗ ଜବରଦଖଲ କରିଥିବା ଜମିରେ ସଂପୂର୍ଣ୍ଣ ବେଆଇନ ଭାବେ ନିର୍ମାଣ କାମ ଚାଲିଛି। ପାଖରେ ଥିବା ଅନ୍ୟ ଏକ ଜମିର ପ୍ଲଟ୍ ନମ୍ବର ପକାଇ ଏହା ବଡ଼ୁ ନିଯୋଗର ବୋଲି ଦର୍ଶାଇ ପ୍ରଶାସନ ଓ କୋର୍ଟକୁ ଭୁଆଁ ବୁଲାଯାଉଥିବା ସେ ଅଭିଯୋଗ କରିଛନ୍ତି। ଏହା ଉପରେ ତଦନ୍ତ କରାଗଲେ ସତ୍ୟ ସମ୍ନାକୁ ଆସିବ ବୋଲି ସେ କହିଛନ୍ତି। ଦେବୋତ୍ତର ବିଭାଗ ଏକ ତରଫା ହୋଇ ଲିଙ୍ଗରାଜଙ୍କ ଜମି ଅନ୍ୟ ହାତକୁ ଟେକି ଦେଉଛି। ଏହା ଦ୍ୱାରା ଲିଙ୍ଗରାଜଙ୍କ ଜମି ଜବରଦଖଲ ବୃଦ୍ଧି ପାଇବ।

ପାଞ୍ଚବର୍ଷ ତଳେ ଯେଉଁ ଜମିକୁ ମନ୍ଦିର ପ୍ରଶାସନ ଓ ଦେବୋତ୍ତର ବିଭାଗ ଶ୍ରୀଲିଙ୍ଗରାଜଙ୍କ ଜମି ବୋଲି କହୁଥିଲେ, ଏବେ କେମିତି ସେମାନଙ୍କ ଭାଷା ବଦଳିଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ‘‘ଆମେ କାହା ଚାପ କିମ୍ବା ଭୟରେ ନୀତି କରିନାହୁଁ। ଆଗକୁ ଗ୍ରହଣ ଓ କାର୍ତ୍ତିକ ମାସ ଆସୁଥିବାରୁ ସ୍ବଇଚ୍ଛାରେ ନୀତି କରିଛୁ। ଠାକୁରଙ୍କ ନୀତି ଯେମିତି ହୁଏ, କରାଯିବ କିନ୍ତୁ ପ୍ରଶାସନର କୌଣସି ପ୍ରସ୍ତାବ ଗ୍ରହଣ କରାଯିବ ନାହିଁ।’’ ସେ କହିଛନ୍ତି। ପୂଜାପଣ୍ଡା ନିଯୋଗ ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା କହିଛନ୍ତି, ଶ୍ରୀଲିଙ୍ଗରାଜଙ୍କ ବେବନ୍ଦୋବସ୍ତ ଜମି ସମ୍ପର୍କରେ ସମସ୍ତ ସେବାୟତ ନିଯୋଗ ସଭାପତି ଓ ସମ୍ପାଦକଙ୍କୁ ନେଇ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ସେଥିରେ ଦେବୋତ୍ତର ଆୟୁକ୍ତ ଶିଶିର କୁମାର ରଥ କହିଥିଲେ- ବେବନ୍ଦୋବସ୍ତ ଜମିରେ ସେବାୟତ ଦଖଲରେ ରହିପାରିବେ, କିନ୍ତୁ କୌଣସି ନିର୍ମାଣ କାର୍ଯ୍ୟ କରିପାରିବେ ନାହିଁ। ଏବେ କେମିତି ବଡୁ ନିଯୋଗ ଦିଅଁଙ୍କ ବେବନ୍ଦୋବସ୍ତ ଜମିରେ ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି? ଏଠାରେ ପ୍ରଶାସନ ସହାୟତାରେ ଜବର ଦଖଲ ବୃଦ୍ଧି ପାଉଥିବା ଭଳି ଗୁରତର ଅଭିଯୋଗ ସେ ଉଠାଇଛନ୍ତି। ଏହି ଦୁଇ ନିଯୋଗ ଯଦି ପ୍ରଶାସନକୁ ଅସହଯୋଗ କରିବେ, ତେବେ ଆଗକୁ ଆହୁରି ବଡ଼ ସମସ୍ୟା ଆସିବ ବୋଲି ଚର୍ଚ୍ଚା ହେଉଛି।