ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ଲୋକସେବା ଭବନରେ ପହଞ୍ଚିଛି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିଶ୍ବବିଦ୍ୟାଳୟରେ ସୃଷ୍ଟି ହୋଇଥିବା ପରିସ୍ଥିତି, ଏହାର ନିରାକରଣ ଦିଗରେ ନିଆଯାଇଥିବା ପଦକ୍ଷେପ ଏବଂ ଆଗକୁ କ୍ୟାମ୍ପସ୍ ଚାରିପାଖରୁ କିଭଳି ଭାବେ ବସ୍ତି ହଟାଯିବ, ସେନେଇ ବ୍ୟାପକ ଆଲୋଚନା ହୋଇଛି। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ, ପୁଲିସ ଓ ବିଏମ୍ସି ମିଳିତ ଭାବେ ‘ଅପରେସନ ଅଲ୍ଆଉଟ୍’ କରିବାକୁ ରୂପରେଖ ପ୍ରସ୍ତୁତ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ୟାମ୍ପସ୍ରେ ଭଡ଼ା ଲାଗିଥିବା ସରକାରୀ କ୍ବାର୍ଟର୍ସଗୁଡ଼ିକୁ ଖାଲି କରାଯିବ। ବର୍ଷ ବର୍ଷ ଧରି ଯେଉଁମାନେ କ୍ବାର୍ଟର୍ସ ମାଡ଼ିବସିଛନ୍ତି ସେମାନଙ୍କୁ ତଡ଼ାଯିବା ପରେ ବସ୍ତି ଉଚ୍ଛେଦ ଦିଗରେ ପଦକ୍ଷେପ ନିଆଯିବ।
ଉଚ୍ଚଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ
କ୍ୟାମ୍ପସ୍ ସ୍ଥିତି ଅବଗତ କରାଇଲେ କୁଳପତି
ପୁଲିସ ସହଯୋଗରେ ବିଏମ୍ସି କରିବ ବସ୍ତି ସର୍ଭେ
ବୈଠକରେ ମୁଖ୍ୟତଃ ତିନୋଟି ଜିନିଷକୁ ଗୁରୁତ୍ବ ଦିଆଯାଇଥିଲା। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ଅଣଛାତ୍ରଙ୍କୁ ହଟାଯିବା ସମ୍ପର୍କରେ ସଚିବ ଶ୍ରୀ ଅଗ୍ରୱାଲ୍ଙ୍କୁ ଅବଗତ କରାଇଥିଲେ। ୪ଟି ଛାତ୍ରାବାସର ୨୧୫ଟି ରୁମ୍କୁ ଅଣଛାତ୍ରଙ୍କ କବଳରୁ ମୁକ୍ତ କରାଯାଇଛି। ସେମାନଙ୍କ ସାମଗ୍ରୀଗୁଡ଼ିକୁ ଖେଳପଡ଼ିଆ ହଲ୍ରେ ରଖାଯାଇଛି ଏବଂ ହଷ୍ଟେଲ ସମ୍ମୁଖରେ ପୁଲିସ ମୁତୟନ ହୋଇଛନ୍ତି। କୌଣସି ଅଣଛାତ୍ର ଯେପରି କ୍ୟାମ୍ପସକୁ ପ୍ରବେଶ କରି ନ ପାରନ୍ତି, ସେଥିପାଇଁ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ‘ଅପରେସନ୍ ଅଣଛାତ୍ର’ ପରେ କ୍ୟାମ୍ପସରେ ଅପ୍ରିତିକର ପରିସ୍ଥିତି ଉପୁଜିବା ଆଶଙ୍କା ଥିବାରୁ ୭ ଦିନ ପାଇଁ ପୁଲିସ ମୁତୟନ କରିବାକୁ କମିସନରରେଟ୍ ପୁଲିସର ସହାୟତା ନିଆଯାଇଛି। ପ୍ରବେଶ ପଥଠାରୁ ଆରମ୍ଭ କରି ପ୍ରଶାସନିକ ଭବନ, ଛାତ୍ରାବାସ, କୁଳପତିଙ୍କ ବାସଭବନରେ ପୁଲିସ ମୁତୟନ ଅଛନ୍ତି। କ୍ବାର୍ଟର୍ସଗୁଡ଼ିକ ଭାଙ୍ଗିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ଚିହ୍ନଟ ହୋଇଥିବା କ୍ବାର୍ଟର୍ସଗୁଡ଼ିକ ଭଙ୍ଗାଯିବ ବୋଲି କୁଳପତି ପ୍ରଫେସର ଦଣ୍ଡପାଟ କହିଛନ୍ତି। ଅନ୍ୟପକ୍ଷରେ କ୍ୟାମ୍ପସ ଭିତରେ ଓ ବାହାରେ ଥିବା ବସ୍ତି ହଟାଇବାକୁ ବୈଠକରେ ଆଲୋଚନା ହୋଇଛି। ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲଙ୍କ ଉପସ୍ଥିତିରେ ବିଏମ୍ସି କମିସନର ଚଞ୍ଚଲ ରାଣା ଓ କୁଳପତିଙ୍କ ମଧ୍ୟରେ ବ୍ୟାପକ ଆଲୋଚନା କରାଯାଇଛି। ବିଶ୍ବବିଦ୍ୟାଳୟର କେତେ ଅଞ୍ଚଳକୁ ବସ୍ତିବାସିନ୍ଦା ମାଡ଼ି ବସିଛନ୍ତି, କେଉଁ ବସ୍ତି କ୍ୟାମ୍ପସ ଭିତରକୁ ପଶି ଆସିଛି, ସେନେଇ ବିଏମ୍ସି ପକ୍ଷରୁ ସର୍ଭେ କରାଯିବ। ସମ୍ପୂର୍ଣ୍ଣ ତଥ୍ୟ ହସ୍ତଗତ ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ପୁଲିସ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ବୋଲି ବୈଠକରେ ସହମତି ପ୍ରକାଶ ପାଇଛି।
ମହଙ୍ଗା ପଡ଼ିଲା ମେହେନ୍ଦି ପାର୍ଟି
୩ ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ୍
ସରକାରୀ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟ ଭିତରେ ମେହେନ୍ଦି ପାର୍ଟି କରିବା ବିଶ୍ବବିଦ୍ୟାଳୟର ତିନିଜଣ ମହିଳା ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। କାର୍ଯ୍ୟାଳୟ ଭିତରେ ମେହେନ୍ଦି ପାର୍ଟି କରିଥିବା ତିନିଜଣ ମହିଳା ଅଧିକାରୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି ହୋଇଛି। କେଉଁ ପରିସ୍ଥିତିରେ ମେହେନ୍ଦି ପାର୍ଟି ହେଲା, ତାହାର ରିପୋର୍ଟ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କାର୍ଯ୍ୟାଳୟ ଭିତରେ ଏଭଳି କାର୍ଯ୍ୟକଳାପ ପାଇଁ କାହିଁକି କାର୍ଯ୍ୟାନୁଷ୍ଠାନ ନ ହେବ ବୋଲି ଦର୍ଶାଇବାକୁ ନୋଟିସ୍ରେ ଦର୍ଶାଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦଣ୍ଡପାଟ ମଧ୍ୟ ଏସମ୍ପର୍କରେ ଉଚ୍ଚଶିକ୍ଷା ସଚିବ ଶ୍ରୀ ଅଗ୍ରୱାଲ୍ଙ୍କୁ ଅବଗତ କରାଇଛନ୍ତି। ଛାତ୍ର ଓ ପୁରାତନ ଛାତ୍ରମାନେ ମେହେନ୍ଦି ଘଟଣା ସମ୍ପର୍କରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଘେରିଥିବାରୁ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ତିନିଜଣ ମହିଳା ଅଧିକାରୀଙ୍କ ପାଇଁ ଆଜି ଉତ୍କଳ ବିଶ୍ବବିଦ୍ୟାଳୟ ପରି ଶିକ୍ଷାନୁଷ୍ଠାନ ଆଜି ବଦନାମ ମୁଣ୍ଡାଇଛି। ପୂର୍ବତନ କୁଳପତିମାନେ ମଧ୍ୟ ଘଟଣାକୁ ନିନ୍ଦା କରିବା ସହ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କହିଛନ୍ତି। ସେମାନଙ୍କ କହିବାନୁଯାୟୀ ବାଣୀଭଣ୍ଡାର ହେଉଛି ବାଣୀବିହାର। ସରକାରୀ ପଦବିରେ ରହିଥିବା ଅଧିକାରୀମାନେ ଯେଉଁଭଳି ଭାବେ କ୍ୟାମ୍ପସକୁ ପାର୍ଲରରେ ପରିବର୍ତ୍ତନ କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ। ଯେଉଁ ଅଧିକାରୀମାନେ ଏଭଳି କରିଛନ୍ତି ସେମାନଙ୍କୁ ତୁରନ୍ତ କ୍ୟାମ୍ପସରୁ ବିଦା କରାଯାଉ।
ଧାରଣାରେ ବସିଲେ ଛାତ୍ର
ବିଶ୍ବବିଦ୍ୟାଳୟରୁ ଅଣଛାତ୍ର ତଡ଼ା ଖାଇବା ପରେ ସୃଷ୍ଟି ହୋଇଥିବା ଅସ୍ଥିରତା ଜାରି ରହିଛି। କ୍ୟାମ୍ପସରେ ଭଡ଼ାରେ ଲାଗିଥିବା କ୍ବାର୍ଟର୍ସରୁ ଜବରଦଖଲ ହଟାଇବା ଏବଂ କ୍ୟାମ୍ପସକୁ ବସ୍ତି ମୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି। ସେମାନେ କହିଛନ୍ତି ଯେ ଆମକୁ ‘ଅପରେସନ୍ ଅଲ୍ଆଉଟ୍’ ଦରକାର। ସରକାରୀ କ୍ବାର୍ଟର୍ସ ଏଠି ଭଡ଼ାରେ ଲାଗିଛି। ତେଣୁ କ୍ବାର୍ଟର୍ସଗୁଡ଼ିକୁ ତୁରନ୍ତ ଭଙ୍ଗାଯାଇ ଜବରଦଖଲମୁକ୍ତ କରାଯାଉ। ବାରମ୍ବାର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହାକୁ କର୍ଯ୍ୟକାରୀ କରାଯାଉ ନାହିଁ। ଯେପେର୍ଯ୍ୟନ୍ତ କ୍ବାର୍ଟର୍ସ ନ ଭାଙ୍ଗିଛି, ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଥିଲେ।