ରାତି ଅଧ ଯାଏଁ ଡ୍ୟାନ୍ସ ବାର୍‌କୁ ଅନୁମତି ପ୍ରସଙ୍ଗ: ରାଜଧାନୀରେ ବିଜେପିର ବିକ୍ଷୋଭ

ଭୁବନେଶ୍ବର: ଭୁବନେଶ୍ୱରରେ ୧୪ଟି ନୂତନ ବାର୍‌କୁ ନାଚଗୀତ ସହ ରାତି ୧୨ଟା ଯାଏଁ ଖୋଲିବାକୁ ଦିଆଯାଇଥିବା ଅନୁମତିକୁ ବିରୋଧ କରିଛି ଜିଲ୍ଲା ବିଜେପି। ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ରାମମନ୍ଦିର ଛକଠାରେ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବାର୍‌ରେ ଡ୍ୟାନ୍ସକୁ ଅନୁମତି ଦେବା, ଅଳ୍ପ ବୟସର ଯୁବତୀମାନଙ୍କୁ ସେଠାରେ ନଚାଇବା ଅତ୍ୟନ୍ତ ଲଜ୍ଜାଜନକ ଓ ସଂସ୍କୃତି ବିରୋଧୀ। ଏହା ତୁରନ୍ତ ବନ୍ଦ ନକ‌ଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ବିଜେପି ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହ ଓ ମୁଖପାତ୍ର ଦିଲୀପ ମହାନ୍ତି କହିଛନ୍ତି।

ସେମାନେ ପ୍ରଶ୍ନ କରିଛନ୍ତି, କାହା ସ୍ୱାର୍ଥରେ ଏହି ଅନୁମତି ପ୍ରଦାନ କରାଯାଇଛି? ତ୍ରୁଟିପୂର୍ଣ୍ଣ ଅବକାରୀ ନୀତି ଓ ନୂତନ ବାର୍‌ ଖୋଲିବାର ଅନୁମତି ପ୍ରଦାନ କରି ରାଜ୍ୟ ସରକାର ଯୁବ, ଛାତ୍ରସମାଜକୁ ବିଶୃଙ୍ଖଳିତ କରୁନାହାନ୍ତି କି? ଏହା ଓଡ଼ିଶାର ପର୍ଯ୍ୟଟନ ଓ ସଂସ୍କୃତି ପାଇଁ ଆତଙ୍କ ସୃଷ୍ଟି କରିବା ସହ ଆପରାଧିକ ତତ୍ତ୍ବ ଭୁବନେଶ୍ୱରକୁ କବଳିତ କରିବେ ବୋଲି ସେମାନେ କହିଛନ୍ତି। ବିକ୍ଷୋଭରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନଙ୍କ ସମେତ ୫୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର