ଭୋକ ଉପାସରେ ଆଶ୍ରୟସ୍ଥଳୀରୁ ଫେରିବା ପ୍ରସଙ୍ଗ, ବ୍ଲକ୍‌ ପ୍ରଶାସନର ଖୋଳତାଡ଼

ବାଲିଅନ୍ତା: ସାମୁଦ୍ରିକ ବାତ୍ୟା ଅମ୍ଫାନ୍ ସମୟରେ ଆଶ୍ରୟସ୍ଥଳରୁ ଆଶ୍ରିତମାନେ ଭୋକ ଉପାସରେ ଫେରିଥିବା ପ୍ରସଙ୍ଗ ଏବେ ସମଗ୍ର ବ୍ଲକରେ ହଇଚଇ ସୃଷ୍ଟି କରିଛି। ଗରିବ ଲୋକଙ୍କ ପିଲାଛୁଆଙ୍କୁ ଭୋକ ଉପାସରେ ଘରକୁ ଫେରାଇବା ଏକ ଅମାନବୀୟ ଓ ସ୍ପର୍ଶକାତର ଘଟଣା ବୋଲି ଅଭିଯୋଗ ଉଠିବା ପରେ ବ୍ଲକ୍‌ ପ୍ରଶାସନ ଏହାକୁ ଗୁରୁତ୍ବର ସହ ନେଇଛି ଓ ଖୋଳତାଡ଼ ଆରମ୍ଭ କରିଛି। ଅଭିଯୋଗରେ ସତ୍ୟତା ଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଭୟ ବିଡିଓ ଓ ତହସିଲଦାର କହିଛନ୍ତି। ପଞ୍ଚାୟତ ପ୍ରଶାସନ ସହ ଏହି ମାମଲାରେ ଇଟାଭାଟି ମାଲିକମାନଙ୍କୁ ମଧ୍ୟ ସାମିଲ୍ କରାଯିବ ବୋଲି ସୂଚନା ମିଳିଛି।

ଗତକାଲି ବାତ୍ୟା ଅମ୍ଫାନ୍‌ ପାଇଁ ବ୍ଲକର ପାଖାପାଖି ୯ ଶହ ଲୋକ ବିଭିନ୍ନ ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଥିଲେ। କିନ୍ତୁ ପରିତାପର କଥା, ଏହି ଆଶ୍ରିତମାନଙ୍କୁ ଖାଇବାକୁ ଦିଆଯାଇ ନଥିଲା। ବ୍ଲକର ‌୧୬ଟି ଯାକ ପଞ୍ଚାୟତରେ କୌଣସି ଆଶ୍ରିତଙ୍କୁ ରନ୍ଧା କିମ୍ବା ଶୁଖିଲା ଖାଦ୍ୟ ଖାଇବାକୁ ଦିଆଯାଇ ନଥିଲା। ଫଳରେ ସେମାନେ ଦିନ ଯାକ ଭୋକ ଉପାସରେ ରହିଥିଲେ ଓ ବାତ୍ୟା ପ୍ରକୋପ କମିବା ପରେ ଅପରାହ୍‌ଣରେ ଘରକୁ ଫେରିଥିଲେ। ସେମାନେ ପୂର୍ବ ରାତିରୁ ଘର ଛାଡ଼ିଥିବାରୁ ସାଙ୍ଗରେ ଖାଦ୍ୟ ପଦାର୍ଥ ଆଣି ପାରିନଥିଲେ। ବାତ୍ୟା ସମୟରେ ଆଶ୍ରିତମାନଙ୍କୁ ଖାଇବାକୁ ମିଳିଥାଏ ବୋଲି ଭାବି ସେମାନେ ନିଜ ଆଡ଼ୁ ଖାଦ୍ୟ ଯୋଗାଡ଼ କରିନଥିଲେ। ମାତ୍ର ଖାଇବାକୁ ନ ମିଳିବାରୁ ଭୋକରେ ରହିବା ଛଡ଼ା ସେମାନଙ୍କ ପାଖରେ କିଛି ବିକଳ୍ପ ନଥିଲା। ବଡ଼ ଲୋକମାନେ ସିନା ଭୋକ ସମ୍ଭାଳିଗଲେ, ପିଲାଛୁଆମାନେ ବଡ଼ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲେ। ବିଶେଷକରି ବିଭିନ୍ନ ଗ୍ରାମ ଏବଂ ପଡ଼ାର ବିପନ୍ନମାନଙ୍କ ସମସ୍ୟାଠାରୁ ଇଟାଭାଟି ଶ୍ରମିକ ଓ ନିର୍ମାଣ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା ବଳି ପଡ଼ିଥିଲା। ସେମାନଙ୍କୁ ଇଟାଭାଟି ମାଲିକ ଏବଂ ବିଲ୍ଡର୍‌ମାନେ କିଛି ବି ଖାଇବାକୁ ଦେଇ ନଥିଲେ। ଏହି ଘଟଣାକୁ ନେଇ ସମଗ୍ର ବ୍ଲକର ବୁଦ୍ଧିଜୀବୀମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଲୋକେ ବ୍ଲକ ପ୍ରଶାସନର ଏଭଳି ଅମାନବୀୟ କାର୍ଯ୍ୟକୁ ନେଇ ସମାଲୋଚନା କରିଥିଲେ। ଆଜି ଏ ନେଇ ‘ସମ୍ବାଦ’ରେ ଖବର ପ୍ରସାରଣ ପରେ ମାମଲାକୁ ନେଇ ବ୍ଲକ ପ୍ରଶାସନ ଅଡ଼ୁଆରେ ପଡ଼ି ଯାଇଥିଲା।

ବିଡିଓ ଆଦିକନ୍ଦ ବେହେରାଙ୍କ ସୂଚନାନୁସାରେ, ବାତ୍ୟା ପୂର୍ବ ଦିନ ମାଇକ ଯୋଗେ ପ୍ରଚାର କରାଇ ଲୋକଙ୍କୁ ସତର୍କ କରାଇ ଦିଆଯାଇଥିଲା। ବାସହରା ପରିବାରଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଆଶ୍ରିତମାନଙ୍କୁ ଖାଇବାକୁ ଦେବା ପାଇଁ ସରପଞ୍ଚ ଏବଂ ପଞ୍ଚାୟତ ସଂପ୍ରସାରଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସେମାନେ ଉକ୍ତ ନିର୍ଦ୍ଦେଶାନୁସା‌ରେ ପଦକ୍ଷେପ ନେଇନାହାଁନ୍ତି ବୋଲି ଅଭିଯୋଗ ହୋଇଛି। ତେଣୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ଯେଉଁ ଇଟାଭାଟି ମାଲିକ ଓ ବିଲ୍ଡର୍‌ମାନେ ଶ୍ରମିକମାନଙ୍କୁ ଆଶ୍ରୟସ୍ଥଳୀରେ ଖାଇବାକୁ ଦେଇନାହାନ୍ତି, ସେମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରମ ବିଭାଗ ପକ୍ଷରୁ ଏହାର ତଦନ୍ତ ହେବ। ଶିଶୁ ଶ୍ରମିକମାନଙ୍କ ସଂପର୍କରେ ସବିଶେଷ ତଥ୍ୟ ହାସଲ ପାଇଁ ପ୍ରମାଣ ସଂଗ୍ରହ ହେବ ବୋଲି ସେ କହିଛନ୍ତି। ତହସିଲଦାର ରଶ୍ମିରେଖା ପ୍ରଧାନଙ୍କ କହିବାନୁସାରେ, ଇଟାଭାଟି ମାଲିକମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେବ। ତେବେ ଏନେଇ କିଛି ସରପଞ୍ଚ ଅଜବ ଯୁକ୍ତି ବାଢ଼ିଛନ୍ତି। ସେମାନଙ୍କ କହିବା କଥା, ବାତ୍ୟା ସକାଳେ ଆରମ୍ଭ ହୋଇ ଅପରାହ୍‌ଣ ବେଳକୁ ଛାଡ଼ିଗଲା। ତେଣୁ ଖାଇବାକୁ ଦେବା ଆବଶ୍ୟକ ନଥିଲା।

ସମ୍ବନ୍ଧିତ ଖବର