ଭୁବନେଶ୍ବର : ବରମୁଣ୍ଡାରେ ସରକାରଙ୍କ ଜମି ସରକାରଙ୍କୁ ବିକି ଦେବା ପ୍ରସଙ୍ଗରେ ନୂଆ ମୋଡ଼ ଆସିଛି। ରାଜସ୍ବ ମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧୀନରେ ସ୍ବତନ୍ତ୍ର ଟିମ୍ ଗଠନ ହେବା ସହ ତନାଘନା ଆରମ୍ଭ ହୋଇଛି। ପ୍ରଥମେ ସେତେବେଳର ‘ଆବେଟ୍ମେଣ୍ଟ ଅର୍ଡର’ ଖୋଜା ଯାଇଥିଲା। କେବେ ମାଲିକାନା ସ୍ବତ୍ବ ପରିବର୍ତ୍ତନ ପାଇଁ ଆଦେଶ ହୋଇଥିଲା ଓ କାହିଁକି ହୋଇ ନାହିଁର ଉତ୍ତର ଖୋଜିବା ବେଳେ ଏହି ଆବେଟ୍ମେଣ୍ଟ ଅର୍ଡର ମିଳି ନଥିଲା। ଶେଷରେ ସେହି ଆବେଟ୍ମେଣ୍ଟ ଅର୍ଡର ପୁରୀ ଜମି ଅଧିଗ୍ରହଣ କାର୍ଯ୍ୟାଳୟରୁ ମିଳିଛି। ଏହା ତଦନ୍ତକାରୀ ଟିମ୍ ହାତକୁ ଆସିବା ପରେ ଏବେ କାର୍ଯ୍ୟାନୁଷ୍ଠାନ ହେବା ପାଇଁ ବାଟ ଫିଟିଛି। ଜମି ଅଧିଗ୍ରହଣ ସମୟରେ ଅବିଭକ୍ତ ଜିଲ୍ଲା ପୁରୀର ଭୂ-ଅର୍ଜନ କାର୍ଯ୍ୟାଳୟରେ ଏକ ମାମଲା(ଏଲ୍ଏ.୪୩/୮୭) ରୁଜୁ ହୋଇଥିଲା। ମାମଲାର ବିଚାର କରାଯାଇ ୧୯୯୨ ମସିହା ଡିସେମ୍ବର ୨୮ ତାରିଖରେ ମାଲିକାନା ସ୍ବତ୍ବ ପରିବର୍ତ୍ତନ ପାଇଁ ଭୁବନେଶ୍ବର ତହସିଲଦାରଙ୍କୁ ଆଦେଶ ହୋଇଥିଲା। ସେବେଠାରୁ ଏହି ଆଦେଶ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଫଳରେ ଏହା ପରେ କିଣାବିକା ଚାଲିଥିଲା। ପ୍ରଥମେ ଯେଉଁ ଜମିକୁ ସରକାର ସ୍ବେରେଜ୍ ପ୍ରକଳ୍ପ ପାଇଁ କିଣିଥିଲେ ସେହି ଜମିକୁ ପୁଣି ଥରେ ଦୁଇଶହ ଫୁଟିଆ ରାସ୍ତା ପାଇଁ କିଣିଲେ। ସରକାରୀ ଅଧିକାରୀଙ୍କ ଅବହେଳା କାରଣରୁ ଲୋକମାନେ ସରକାରଙ୍କ ଜମି ସରକାରଙ୍କୁ ବିକି ଦେଇଥିଲେ।
ଆବେଟ୍ମେଣ୍ଟ ଅର୍ଡର ମିଳିବା ପରେ ସରକାରୀ ଅଧିକାରୀଙ୍କ ଅବହେଳା କାରଣରୁ ଏହି ଠକେଇ ହେବା ସହ ଗୋଟିଏ ଜମିକୁ ଦୁଇ ଥର କିଣି ସରକାର ଖର୍ଚ୍ଚାନ୍ତ ହୋଇଛନ୍ତି। ସରକାରଙ୍କ ପାଣ୍ଠିରୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହୋଇଛି। ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟିମ୍ ଗଠନ ହେବା ସହ ତଦନ୍ତ ଆରମ୍ଭ ହୋଇଥିବାରୁ ଏବେ କାର୍ଯ୍ୟାନୁଷ୍ଠାନ ହେବା ଥୟ ହୋଇଛି। କିନ୍ତୁ କାହା ଉପରେ ହେବ କାର୍ଯ୍ୟାନୁଷ୍ଠାନ? ୧୯୮୭ ମସିହାର ଭୂ-ଅର୍ଜନ ଅଧିକାରୀ, ଭୁବନେଶ୍ବର ତହସିଲଦାରଙ୍କୁ ଖୋଜାଯିବ କି? ରେକର୍ଡ ସଂଶୋଧନ କରିନଥିବା ବା ଆବେଟ୍ମେଣ୍ଟ ଅର୍ଡରକୁ ପାଳନ କରିନଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି? ଜମିକୁ ଦୁଇ ଥର ସରକାରଙ୍କୁ ବିକି କ୍ଷତିପୂରଣ ସ୍ବରୂପ ଲକ୍ଷ ଲକ୍ଷ ଟଙ୍କା ହାତେଇଥିବା ବେଆଇନ ହିତାଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି? ଏଭଳି ଅନେକ ପ୍ରଶ୍ନ ଉଠିଥିବା ବେଳେ ‘ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ହେବ’ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଅନ୍ୟପଟେ ଏଥିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବାରୁ ତଦନ୍ତ ପାଇଁ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)ରେ ଅଭିଯୋଗ ହୋଇଥିଲା। କିନ୍ତୁ ଇଓଡବ୍ଲୁ ଏହାର ତଦନ୍ତ କଲା ନାହିଁ। ବରଂ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ କମିସନର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛି।
ଉଲ୍ଲେଖଯୋଗ୍ୟ, ତତ୍କାଳୀନ ଶିରିପୁର ମୌଜା(ବର୍ତ୍ତମାନ ବରମୁଣ୍ଡା)ରେ ଗଞ୍ଜାମର ଉର୍ମିଳା ଗନ୍ତାୟତଙ୍କ ନାମରେ ୩୩୦ ଡିସିମିଲ୍ ଜମି ରହିଥିଲା। ୧୯୭୩ ମସିହାରେ ଏଠାରେ ସ୍ବେରେଜ୍ ପ୍ରକଳ୍ପ କରିବା ପାଇଁ ସରକାର ଜମି ଅଧିଗ୍ରହଣ କଲେ। ଏଥିପାଇଁ ଉର୍ମିଳାଙ୍କର ଏହି ୩୩୦ ଡିସିମିଲି ଜମି ଅଧିଗ୍ରହଣ କରି ସରକାର ମଧୁସୁଦନ ନଗରରେ ତାଙ୍କୁ ସମପରିମାଣର ଜମି ଦେଇଥିଲେ। କିନ୍ତୁ ଖାତାରୁ ଉର୍ମିଳାଙ୍କ ନାଁ କାଟି ସରକାରଙ୍କ ନାମ ସଂଶୋଧନ କଲେ ନାହିଁ। ଫଳରେ ସରକାରୀ ରେକର୍ଡରେ ଉର୍ମିଳା ଗନ୍ତାୟତ ରହିଥିଲେ। କାଗଜପତ୍ରରେ ଉର୍ମିଳା ମାଲିକ ଥିବାରୁ କିଣାବିକା ଚାଲିଥିଲା। ପ୍ରାୟ ୪ ଦଫାରେ ଏହା ବିକାକିଣା ହେବା ପରେ ୨୦୦୮ ମସିହାରେ ଶହେ ଫୁଟିଆ ରାସ୍ତା କରିବା ପାଇଁ ସରକାର ଜମି ଅଧିଗ୍ରହଣ କଲା ବେଳେ ସରକାରଙ୍କୁ ବି ଏହି ଜମି ବିକିବା ସହ କ୍ଷତିପୂରଣ ବି ନେଇଗଲେ।