ଭୁବନେଶ୍ୱର: ଅପର୍ଚୁନିଟି ହବ୍ (‘ଓ’ ହବ୍)କୁ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଅଚାନକ ପରିଦର୍ଶନ କରିବା ପରେ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ବାହାରର ଅଣଓଡ଼ିଆ ସଂସ୍ଥାକୁ ଷ୍ଟାର୍ଟ ଅପ୍ ଓଡ଼ିଶା ଦେଇଥିବା ଆର୍ଥିକ ଅନୁଦାନ ବାବଦରେ ମନ୍ତ୍ରୀ ରିପୋର୍ଟ ତଲବ କରିବା ପରେ ଏଥିରେ ସମ୍ପୃକ୍ତ ଅଧିକାରୀ ଛାନିଆ ହୋଇଛନ୍ତି। ସର୍ବାଧିକ ଅଣଓଡ଼ିଆ ଷ୍ଟାର୍ଟଅପ୍କୁ ପ୍ରୋତ୍ସାହନ ମିଳିଥିବାରୁ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନ ଭୟ ଘାରିଛି। ଏଭଳି ଏକ କୋକୁଆ ଭୟର ପରିବେଶରେ ଷ୍ଟାର୍ଟ ଅପ୍ ଓଡ଼ିଶା କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷଙ୍କୁ ଆଉ ଏକ ଝଟ୍କା ଲାଗିଛି। ମନ୍ତ୍ରୀ ପରିଦର୍ଶନ କରିବାର ଦୁଇ ଦିନ ପରେ ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତାରେ ଅଙ୍କୁଶ ଲାଗିଛି। ପୂର୍ବରୁ ବିଭିନ୍ନ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ କରିବା ନେଇ ଯେଉଁ ସ୍ବାଧୀନତା ରହିଥିଲା ତାହା ଆଉ ନାହିଁ। ଅଧ୍ୟକ୍ଷଙ୍କ ସମେତ ‘ବୋର୍ଡ ଅଫ୍ ଡାଇରେକ୍ଟର’ଙ୍କ ଆର୍ଥିକ କ୍ଷମତାରେ ହୋଇଥିବା କଟକଣା ନେଇ ଏମ୍ଏସ୍ଏମ୍ଇ ବିଭାଗ ବିଜ୍ଞପ୍ତି ଜାରି କରିଛି।
‘ଷ୍ଟାର୍ଟ ଅଫ୍ ଓଡ଼ିଶା’ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଓମ୍କାର ରାୟ ସରକାରୀ ଅର୍ଥକୁ ବ୍ୟକ୍ତିଗତ ସମ୍ପତ୍ତି ଭାବେ ଖର୍ଚ୍ଚ କରିଥିଲେ। ଓଡ଼ିଶା ବାହାରକୁ ଯିବାଆସିବା କରି ଫ୍ଲାଇଟ୍ ଭଡ଼ା ବାବଦକୁ ବର୍ଷକୁ ୨୦ ଲକ୍ଷ ଟଙ୍କା ଉଡ଼ାଇ ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ‘ଓ ହବ୍’ରେ ଷ୍ଟାର୍ଟ ଅପ୍ ଓଡ଼ିଶା ନାଁରେ ଏଭଳି ବ୍ୟାପକ ଅର୍ଥ ହେର୍ଫେର୍ ନେଇ ଗଦା ଗଦା ଅଭିଯୋଗ ନୂଆ ସରକାରଙ୍କ ନିକଟରେ ପହଞ୍ଚିବା ପରେ ତନାଘନା ହୋଇଥିଲା। ପ୍ରଥମ କାର୍ଯ୍ୟାନୁଷ୍ଠାନ ଭାବେ ବିଭାଗ ବୋର୍ଡ ଅଫ୍ଡାଇରେକ୍ଟର ଓ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ଆର୍ଥିକ କ୍ଷମତା ଉପରେ ଅଙ୍କୁଶ ଲଗାଇଛି। ପୂର୍ବରୁ ମନଇଚ୍ଛା ହେଉଥିବା ଖର୍ଚ୍ଚରେ କଟକଣା ଲାଗିଛି। କନ୍ସଲ୍ଟାଣ୍ଟ ନିଯୁକ୍ତି କିମ୍ବା ଆଉଟ୍ ସୋର୍ସିଂ ସେବା ପାଇବା ପାଇଁ ଅଧ୍ୟକ୍ଷ ୧ କୋଟି ଓ ବୋର୍ଡ ଅଫ୍ ଡାଇରେକ୍ଟର ୧୦ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ଏଥିପାଇଁ ବଜେଟ୍ରେ ବ୍ୟବସ୍ଥା ରହିଥିବା ଜରୁରୀ। ତା’ ସହିତ ସରକାରଙ୍କର ଧାର୍ଯ୍ୟ ପ୍ରକ୍ରିୟା ପାଳନ ହେବା ଆବଶ୍ୟକ। ବିଭିନ୍ନ ସାମଗ୍ରୀ କିଣିବା ଓ ନୂଆ ପ୍ରକଳ୍ପ ଆରମ୍ଭ କରିବା ପାଇଁ ମଧ୍ୟ ସମାନ ପ୍ରକ୍ରିୟା ପାଳନ ହେବ। କର୍ମଚାରୀଙ୍କ ଦରମା ଖର୍ଚ୍ଚ ବାବଦରେ ଅଧ୍ୟକ୍ଷଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି ଯେଉଁଥିରେ ଆର୍ଥିକ ଅନିୟମିତତା ସମ୍ଭାବନା କ୍ବଚିତ ରହିଛି। ତେବେ ଷ୍ଟାର୍ଟ ଅପ୍ ଓଡ଼ିଶାରୁ ରିପୋର୍ଟ ପାଇବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଉଛି।
ଭୁବନେଶ୍ୱର: ଷ୍ଟାର୍ଟ ଅପ୍ ଓଡ଼ିଶାରେ ବାହାର ରାଜ୍ୟର ଷ୍ଟାର୍ଟ ଅପ୍ଗୁଡ଼ିକୁ ଆର୍ଥିକ ପ୍ରୋତ୍ସାହନ ଦେବା ନେଇ ତନାଘନା ଚାଲିଥିବା ବେଳେ ଗତ ୯ ତାରିଖରେ ମନ୍ତ୍ରୀ ‘ଓ’ ହବ୍ରେ ପହଞ୍ଚି ତନାଘନା କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଏଭଳି ସ୍ଥିତିରେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ଓଏସ୍ଡି ଭାବରେ କାମ କରୁଥିବା ଅବସରପ୍ରାପ୍ତ ଅଧିକାରୀ ପବିତ୍ର ମଣ୍ଡଳ ୯ ତାରିଖରେ ହିଁ ଇସ୍ତଫା ଦେବା ଘଟଣା ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ‘‘ଚାକିରିରୁ ଅବସର ପରେ ମୁଁ ଷ୍ଟାର୍ଟ ଅପ୍ ଓଡ଼ିଶାରେ ଚିଫ୍ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର ଭାବେ ୨୦୨୨ ମସିହା ଅକ୍ଟୋବର ୭ ତାରିଖରୁ ୨୦୨୪ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲି।
ତା’ପରେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ଓଏସ୍ଡି ଭାବରେ ମାର୍ଚ୍ଚ ୨୧ ତାରିଖରୁ କାମ କରୁଥିଲି। କିନ୍ତୁ ବ୍ୟକ୍ତିଗତ କାରଣରୁ ଗତ ମେ’ ୧ ତାରିଖରେ ଇସ୍ତଫା ଦେଇଥିଲି। ମୋ’ ଇସ୍ତଫାକୁ ଗ୍ରହଣ ନ କରି ସଂପୃକ୍ତ କର୍ତ୍ତୃପକ୍ଷ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ରହିବା ପାଇଁ ନିର୍ଦ୍ଦେଶ ଦେଲେ। ପରେ ପୁଣିଥରେ ଜୁଲାଇ ୬ ତାରିଖରେ ବ୍ୟକ୍ତିଗତ କାରଣ ଯୋଗୁଁ ଇସ୍ତଫା ପ୍ରଦାନ କଲି। ମୋ’ ଇସ୍ତଫା ପତ୍ର ୯ ତାରିଖରେ ଗୃହୀତ ହେଲା ଓ ସେହିଦିନ ହିଁ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଅଚାନକ ଷ୍ଟାର୍ଟ ଅପ୍ ଓଡ଼ିଶା କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଏଣୁ ଏହା ଏକ ସଂଯୋଗ ହୋଇଥିବାରୁ ମନ୍ତ୍ରୀଙ୍କ ତନାଘନା ପରେ ମୁଁ ଇସ୍ତଫା ଦେଇ ଚାଲିଯିବା ଖବର ପ୍ରକାଶକରି ‘ସମ୍ବାଦ’ ମୋର ଆତ୍ମସମ୍ମାନ ଓ ପଦମର୍ଯାଦା ଉପରେ ଆଞ୍ଚ ଆଣିଛି।’’
କିନ୍ତୁ ବ୍ୟକ୍ତିଗତ କାରଣ କଣ, ସେ ନେଇ ଶ୍ରୀ ମଣ୍ଡଳ ଉଲ୍ଲେଖ କରିନାହାନ୍ତି। ମେ’ ୧ ତାରିଖରେ ସେ ଇସ୍ତଫା ଦେଇଥିଲେ ମଧ୍ୟ କର୍ତ୍ତୃପକ୍ଷ କାର୍ଯ୍ୟକାଳ ଶେଷଯାଏ ରହିବାକୁ କହି ଇସ୍ତଫାପତ୍ର ଗ୍ରହଣ କରିନଥିଲେ। କିନ୍ତୁ ପୁଣିଥରେ ସେ କାହିଁକି ଇସ୍ତଫା ଦେଲେ, ତାହାକୁ ସେ ‘ବ୍ୟକ୍ତିଗତ କାରଣ’ରେ ସୀମିତ ରଖିଛନ୍ତି। ପୁଣି ଯେଉଁ କାରଣରୁ ତାଙ୍କୁ କାର୍ଯ୍ୟକାଳ ଶେଷ ପର୍ଯ୍ୟନ୍ତ ରହିବାକୁ କୁହାଯାଇଥିଲା, ଇସ୍ତଫାପତ୍ର ଗ୍ରହଣ କଲାବେଳେ ସେହି କାରଣ କାହିଁକି ଖୋଜାଗଲା ନାହିଁ ତାହା ମଧ୍ୟ ତଦନ୍ତ ସାପେକ୍ଷ।