ବାଣୀବିହାରରେ ରୁସା ଆଳରେ ନିଯୁକ୍ତି ପ୍ରସଙ୍ଗ, କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗର ରିପୋର୍ଟ ତଲବ

୭ ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦେଶ, ପୂର୍ବରୁ କୁଳାଧିପତିଙ୍କୁ ଦେଇଥିଲେ ଉତ୍ତର

ଭୁବନେଶ୍ୱର: ଲକ୍‌ଡାଉନ ବେଳେ ରୁସା ଆଳରେ ଉତ୍କଳ ବିଶ୍ବବିଦ୍ୟାଳୟ (ବାଣୀବିହାର)ରେ ଚାଲିଥିବା ନିଯୁକ୍ତିକୁ ନେଇ ତନାଘନା ଆରମ୍ଭ ହୋଇଛି। ୨୦୨୦ ଜୁଲାଇ ୨୭ରେ ‘ସମ୍ବାଦ’ରେ ପ୍ରକାଶ ପାଇଥିବା ରିପୋର୍ଟ ଆଧାରରେ ପ୍ରଥମେ ରାଜଭବନ ଆଉ ଏବେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳପତିଙ୍କଠାରୁ ରିପୋର୍ଟ ତଲବ କରାଯାଇଛି। କେଉଁ ପରିସ୍ଥିତିରେ ନିଯୁକ୍ତି ପ୍ରକ୍ରିୟା ଚାଲିଥିଲା ଆସନ୍ତା ୭ ଦିନ ମଧ୍ୟରେ ଉତ୍ତର ରଖିବାକୁ କୁଳପତିଙ୍କୁ କୁହାଯାଇଛି।

ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ରାଜଶ୍ରୀ ମହାନ୍ତି ମାଗିଥିବା ରିପୋର୍ଟରେ କହିଛନ୍ତି ଯେ ୨୦୧୯ ଅଗଷ୍ଟ ୧୯ରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞାପନର ସମ୍ପୂର୍ଣ୍ଣ ତଥ୍ୟ ଦିଅ? ୨୦୧୯ ସେପ୍ଟେମ୍ବର ସୁଦ୍ଧା ଆବେଦନ କରିଥିବା ୧୦୨ଜଣ ଆବେଦନକାରୀଙ୍କ ତଥ୍ୟ ପ୍ରଦାନ କର। ସଂକ୍ଷିପ୍ତ ତାଲିକା ପାଇଁ ବଛା ଯାଇଥିବା ୯୧ଜଣଙ୍କ ଆବେଦନପତ୍ରକୁ ଯାଞ୍ଚ ଲାଗି ଗଠନ ହୋଇଥିବା ୮ଜଣିଆ ବିଶେଷଜ୍ଞଙ୍କ ତଥ୍ୟ ପ୍ରଦାନ, ସାକ୍ଷାତକାର ପରୀକ୍ଷା ଲାଗି ଗଠିତ ହୋଇଥିବା ଇଣ୍ଟରନାଲ ଓ ଏକ୍ସଟର୍ନାଲ ବିଶେଷଜ୍ଞଙ୍କ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ କୁହାଯାଇଛି। ସାକ୍ଷାତକାର ଲାଗି ଗେଷ୍ଟ ହାଉସ ବ୍ୟବହାର ହୋଇ ନ ଥିବାର ପ୍ରମାଣପତ୍ର, ୨୦୧୯ ଜୁଲାଇ ୫ରେ ସିଣ୍ଡିକେଟ ବୈଠକ ବସି ଅଧ୍ୟାପକ ନିଯୁକ୍ତି ପାଇଁ ଜାରି ହୋଇଥିବା ଗାଇଡ୍‌ଲାଇନ ଆଦି ମଗାଯାଇଛି। ୨୬ଜଣ ଅତିଥି ଅଧ୍ୟାପକ ନିଯୁକ୍ତି ଲାଗି କମିଟି ଦେଇଥିବା ଅନୁମତି ପତ୍ର, ୨୦୧୯ ଅକ୍ଟୋବର ୨୪ ଓ ୨୯ତାରିଖରେ ହୋଇଥିବା ସାକ୍ଷାତକାର, ୬ଜଣ ଭାରତୀୟ ଅତିଥି ଓ ୪ଜଣ ବିଦେଶୀ ଅତିଥି ଅଧ୍ୟାପକଙ୍କ ସମ୍ପୂର୍ଣ୍ଣ ତଥ୍ୟ, ୨୦୧୯ ଜୁନ ୧୮ରେ ରୁସା-୨ରେ ନିଯୁକ୍ତି ଲାଗି ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିବା ବିଜ୍ଞାପନ, ୨୦୧୯ ଜୁଲାଇ ୮ରୁ ୧୧ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସାକ୍ଷାତକାର ପରୀକ୍ଷାର ପାନେଲ ସଦସ୍ୟଙ୍କ ତଥ୍ୟ ଓ ରୁସା-୨.୦ରେ ନିଯୁକ୍ତି ପାଇଥିବା ୩୦ଜଣ ଅତିଥି ଅଧ୍ୟାପକଙ୍କ ନିଯୁକ୍ତିପତ୍ର ଦେବାକୁ କୁହାଯାଇଛି। ଆସନ୍ତା ୭ଦିନ ମଧ୍ୟରେ ଏହାର ଉତ୍ତର ପହଞ୍ଚିବା ଆବଶ୍ୟକ। କୁଳାଧିପତିଙ୍କ ଅତିରିକ୍ତ ସଚିବଙ୍କଠାରୁ ଗତ ଅଗଷ୍ଟ ୧୦ରେ ମିଳିଥିବା ଚିଠି ଆଧାରରେ ତଥ୍ୟ ମଗାଯାଇଥିବା ଶ୍ରୀମତୀ ମହାନ୍ତି କହିଛନ୍ତି।

ଅନ୍ୟପକ୍ଷରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ କୁଳାଧିପତିଙ୍କ ପକ୍ଷରୁ ଜୁଲାଇ ୨୮ତାରିଖରେ କୁଳପତିଙ୍କ ନିକଟକୁ କାରଣଦର୍ଶାଅ ନୋଟିସ ପଠା ଯାଇଥିଲା। ଯାହାର ଉତ୍ତର ଜୁଲାଇ ୨୯ରେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଉଲ୍ଲେଖ କରିଥିଲେ ଯେ ସମସ୍ତ ନିଯୁକ୍ତି ପ୍ରକ୍ରିୟା ନିୟମରେ ଚାଲିଥିଲା। ଜୁଲାଇ ୨୧ରୁ ୨୫ଯାଏ ସକାଳ ୯ଟା ୪୫ରୁ ରାତି ୭ଟା ୪୫ଯାଏ ବାରଣାସୀ, ଦିଲ୍ଲୀ, ମୁମ୍ବାଇ, ଭୁବନେଶ୍ୱରର ବିଶେଷଜ୍ଞମାନେ ଅନ୍‌ଲାଇନରେ ଆବେଦନକାରୀଙ୍କ ସାକ୍ଷାତକାର ନେଇଥିଲେ। ଡିଜିଟାଲ ପ୍ଲାଟଫର୍ମରେ ଏହି ପ୍ରକ୍ରିୟା ହେଉଥିବାରୁ ସାକ୍ଷାତକାର ପାଇଁ ଗେଷ୍ଟ ହାଉସ ବ୍ୟବହାର ହୋଇ ନ ଥିଲା। ତେବେ ୪ ଜଣ ସହଯୋଗୀଙ୍କ ପାଇଁ ସେଠାରେ ଚା’, ଖାଦ୍ୟର ବ୍ୟବସ୍ଥା ହୋଇଥିଲା। ଏଠାରେ ପ୍ରଶ୍ନ ଉଠୁଛି ୨୦୨୦ ମାର୍ଚ୍ଚ ୨୦ରେ ରୁସା-୨.୦ର ଅବଧି ସରୁଥିବା କୁଳପତି ଜାଣିଥିଲେ ମଧ୍ୟ ଏହା ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ହେଲାନାହିଁ କାହିଁକି? କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେବାର ୧୦ ଦିନ ପୂର୍ବରୁ ସାକ୍ଷାତ କରାଯିବା ପଛର କାରଣ କ’ଣ? ଏହି ସମସ୍ତ ପ୍ରକ୍ରିୟାରେ କୁଳସଚିବ ସାମିଲ ଥିଲେ କି?

ସମ୍ବନ୍ଧିତ ଖବର