ଚନ୍ଦ୍ରଶେଖରପୁର : ଏଣିକି ଜୟଦେବବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମିବ। ଟ୍ରାଫିକ୍ ଛକରେ ଆଉ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଟ୍ରାଫିକ୍ ଭିଡ଼ ଥିଲେ ଯାତ୍ରୀମାନେ ବିକଳ୍ପ ରାସ୍ତା ଦେଇ ନିଜ ଗସ୍ତବ୍ୟ ସ୍ଥଳକୁ ଯାଇପାରିବେ। ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁର, ଇନ୍ଫୋସିଟି, ଶିଖରଚଣ୍ଡି, କିଟ୍, କିସ୍ ପ୍ରଭୃତି ଅଞ୍ଚଳକୁ ଯିବାକୁ ଚାହୁଁଥିବା ଯାତ୍ରୀମାନେ ଆଉ ଭିଡ଼ ଭିତରେ ଫସିବେ ନାହିଁ। କାରଣ ବହୁ ପ୍ରତୀକ୍ଷିତ ଜୟଦେବବିହାର-ନନ୍ଦନକାନନ ରାସ୍ତାର ବାମ ପାର୍ଶ୍ବରେ ସମାନ୍ତରାଳ ରାସ୍ତା ଏବେ ଫିଟିଛି। କାମ ସମ୍ପୂର୍ଣ୍ଣ ହୋଇ ନ ଥିଲେ ମଧ୍ୟ ଦୁଇ ଥାକିଆ ରାସ୍ତା ଖୋଲାଯାଇଛି। ଏହାଦ୍ବାରା ଯାତ୍ରୀମାନେ ବିନା କୌଣସି ଟ୍ରାଫିକ୍ ଜାମ୍ରେ ସିଧାସଳଖ ଜାଭିୟର ଛକରୁ ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତାରେ ଯାଇ ନିଜ ଗସ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ।
ଜଣେ ଯାତ୍ରୀ ଜାଭିୟର୍ ଛକରୁ ବାହାରି ସରକାରୀ ପଲି ଟେକ୍ନିକ୍-ରେଳବିହାର- ଉତ୍କଳ ହସ୍ପିଟାଲ-ଓଇଆର୍ସି କୋଠା-ଟ୍ରାଇଡେଣ୍ଟ-ଇନ୍ଫୋସିଟି ଛକ ଓ ଶିଖରଚଣ୍ଡୀ ଦେଇ କିଟ୍ ଛକରେ ବାହାରି ନନ୍ଦନକାନନ ଆଡ଼କୁ ମଧ୍ୟ ଯାଇପାରିବେ। ୪ ଥାକିଆ ଏହି ରାସ୍ତାର ସରକାରୀ ପଲି ଟେକ୍ନିକ୍ଠାରୁ ରେଳବିହାର ପର୍ଯ୍ୟନ୍ତ ଗୋଟିଏ ପାର୍ଶ୍ବ ଅର୍ଥାତ୍ ଦୁଇ ଥାକିଆ ରାସ୍ତା ସଂଯୋଗ ହୋଇଛି। ଅନ୍ୟ ପାର୍ଶ୍ବ କାର୍ଯ୍ୟ ଏବେ ବି ଜାରି ରହିଛି। ଯେଉଁ ପାର୍ଶ୍ବ ରାସ୍ତା ସଂଯୋଗ ହୋଇଛି ସେଥିରୁ ପାଖାପାଖି ୮୦୦ ମିଟର ରାସ୍ତା ପିଚୁ ହେବା ବାକି ରହିଛି। ତେବେ ଯିବା ଆସିବାରେ କୌଣସି ଅସୁବିଧା ହେଉ ନ ଥିବାରୁ ପ୍ରତିଦିନ ହଜାର ହଜାର ବାଇକ୍, କାର, ଟ୍ରାକ୍ଟର, ଅଟୋ ଚାଳକଙ୍କ ଲାଗି ଏହା ବିକଳ୍ପ ରାସ୍ତା ପାଲଟିଛି।
ଏବେ ନାଲ୍କୋ ଛକରୁ ବିକଳ୍ପ ରାସ୍ତାକୁ ସଂଯୋଗୀକରଣ କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତା ନିର୍ମାଣ ସମୟରେ ବଡ଼ ବଡ଼ ପଥର ପଡ଼ୁଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯେଉଁଥିପାଇଁ କାର୍ଯ୍ୟ ବିଳମ୍ବ ହେଉଥିବା ପୂର୍ତ ବିଭାଗ ପକ୍ଷରୁ କୁହାଯାଇଛି। ୧୩ କିଲୋମିଟର ବ୍ୟାପି ଏହି ରାସ୍ତା ପାଇଁ ୯୨ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି। ସେଥିମଧ୍ୟରୁ ଏବେ ସୁଦ୍ଧା ୬୦% କାମ ଶେଷ ହୋଇଛି। ବାକି ୩୦% କାର୍ଯ୍ୟ ଏବେ ଯୁଦ୍ଧକଳୀନ ଭିତ୍ତିରେ ଜାରି ରହିଛି। ବାକି ୧୦% ରାସ୍ତା ସାଲିଆସାହି ବସ୍ତି ପାଇଁ ଆଗକୁ ବଢ଼ିପାରୁନି। ତାହାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏବେ କେବଳ ଜାଭିୟର ଛକରୁ ଆଇଏମ୍ଏ ପର୍ଯ୍ୟନ୍ତ ରାସ୍ତା ଖୋଲିବାକୁ ନିଷ୍ପତ୍ତି ହୋଇଛି।
ସୂଚନା ଅନୁଯାୟୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଗତ ଜୁଲାଇ ମାସରେ ଏହି ସମାନ୍ତରାଳ ରାସ୍ତା ପରିଦର୍ଶନ କରିବା ସହ ଅକ୍ଟୋବର ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଧାର୍ଯ୍ୟ କରିଥିଲେ। ମାତ୍ର ନିର୍ଧାରିତ ସମୟ ସୁଦ୍ଧା କାର୍ଯ୍ୟ ଶେଷ ହୋଇ ନାହିଁ। ବରଂ ବିଳମ୍ବ ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ଦୁଇ ଥାକିଆ ରାସ୍ତା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବାକି ଦୁଇ ଥାକିଆ ଶେଷ ହେଲା ବେଳକୁ ମାର୍ଚ୍ଚ ମାସ ହୋଇଯିବ ବୋଲି ଅନୁମାନ କରାଯାଉଛି।
ସୌନ୍ଦର୍ଯ୍ୟୀକରଣ ହେଲା ମେଡିଆନ୍
ଉତ୍କଳ ହସ୍ପିଟାଲରୁ ରେଳ ବିହାର ପର୍ଯ୍ୟନ୍ତ ନିର୍ମାଣ ସରିଥିବା ରାସ୍ତାର ସୌନ୍ଦର୍ଯ୍ୟକରଣ ଉପରେ ପ୍ରାଥମିକତା ଦିଆଯାଇଛି। ଉଭୟ ରାସ୍ତା ପାର୍ଶ୍ବ ଓ ମେଡିଆନ୍ରେ ଗଛ ଲଗାଯାଉଛି। ଗାଈଗୋରୁଙ୍କ କବଳରୁ ସେଗୁଡ଼ିକୁ ରକ୍ଷା ଦେବା ଲାଗି ଲୁହା ଜାଲି ବି ଦିଆଯାଇଛି। ଏବେ ସୁଦ୍ଧା ପ୍ରାୟ ଗୋଟିଏ କିମି ପର୍ଯ୍ୟନ୍ତ ରାସ୍ତାରେ ବୃକ୍ଷରୋପଣ ଶେଷ ହୋଇଛି। ରାସ୍ତା ସଂଯୋଗୀକରଣ ଶେଷ ହେବା ସଙ୍ଗେ ସଙ୍ଗେ ମେଡିଆନ୍ରେ ଆକର୍ଷଣୀୟ ଗଛ ଲଗାଇବାକୁ ଲକ୍ଷ୍ୟ ରଖାଯାଇଥିବା ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି।