ବାଲିଅନ୍ତା: ଜୟଦେବ ମୁକ୍ତାକାଶ ରଙ୍ଗମଞ୍ଚ ନିର୍ମାଣ ପାଇଁ ୨୦୧୮/୧୯ ଆର୍ଥିକ ବର୍ଷରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୭ କୋଟି ୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ବର୍ଷକ ଭିତରେ ନିର୍ମାଣ କାମ ସରିବ ବୋଲି ଠିକା ସଂସ୍ଥା ଚୁକ୍ତି କରିଥିଲା। ମାତ୍ର ଏବେ କଣ୍ଟ ପୂରିବାର ୮ ମାସ ପରେ ନିର୍ମାଣ କାମ ପ୍ଲିନ୍ଥ ପର୍ଯ୍ୟନ୍ତ ଯାଇଛି ଓ ସେଇଠୁ କାମ ଅଟକି ରହିଛି। ଠିକା ସଂସ୍ଥା ପ୍ରାୟ ୨ କୋଟି ଟଙ୍କାର ବିଲ୍ ମଞ୍ଜୁର କରାଇ କାମ ବନ୍ଦ କରି ବସିଛି। ବାଲି, ଗୋଡ଼ି ଓ ଅନ୍ୟାନ୍ୟ ନିର୍ମାଣ ସାମଗ୍ରୀ ଗଦା ହୋଇ ଏଣେତେଣେ ପଡ଼ି ରହିଥିବାରୁ ଜୟଦେବ ପୀଠକୁ ଆସୁଥିବା ପର୍ଯ୍ୟଟକମାନେ ବୁଲାବୁଲି କରିବା ବେଳେ ସମସ୍ୟାରେ ପଡ଼ୁଛନ୍ତି ଓ ପୀଠର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥିବା ଅଭିଯୋଗ ହେଉଛି।
ବାଲିଅନ୍ତା ବ୍ଲକ କେନ୍ଦୁବିଲ୍ବସ୍ଥିତ ଜୟଦେବଙ୍କ ପୀଠର ଉନ୍ନତି ପାଇଁ ଏକ ମୁକ୍ତାକାଶ ରଙ୍ଗମଞ୍ଚର ପରିକଳ୍ପନା କରାଯାଇଥିଲା। ୨୦୧୮/୧୯ ଆର୍ଥିକ ବର୍ଷରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୭ କୋଟି ୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା। ଜୟଦେବ ବିଧାୟକ ଅରବିନ୍ଦ ଢାଲି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ସେହିଭଳି ରାଜ୍ୟ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପୀଠ ପରିଦର୍ଶନରେ ଆସି ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ରାଜ୍ୟ ସଂସ୍କୃତି ଭବନ ସମୀକ୍ଷା ବୈଠକରେ ତତ୍କାଳୀନ ପର୍ଯ୍ୟଟନ ଅଧିକାରୀ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ୧୦୦ ଫୁଟ ବ୍ୟାସାର୍ଦ୍ଧ ବିଶିଷ୍ଟ ରଙ୍ଗମଞ୍ଚର ସମ୍ମୁଖ ଭାଗରେ ବ୍ୟାଖ୍ୟାନ କେନ୍ଦ୍ର ରହିବ ବୋଲି ସ୍ଥିର କରାଯାଇଥିଲା। ସେଠାରେ ଜୟଦେବଙ୍କ ପ୍ରତିମୂର୍ତ୍ତି ସହ ଅନ୍ୟାନ୍ୟ ଐତିହ୍ୟ ସଂପନ୍ନ ପ୍ରତିମୂତ୍ତି ରହିବାର ଥିଲା। ଗ୍ରିନ୍ ରୁମ ସାଙ୍ଗକୁ ମୁକ୍ତାକାଶ ରଙ୍ଗମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଦର୍ଶକଙ୍କ ଲାଗି ଗ୍ୟାଲେରି ଓ ମନୋରମ ପାର୍କ ନିର୍ମାଣ ହେବାର ଥିଲା। ସାମୁଦ୍ରିକ ବାତ୍ୟା ଫନିରେ ଉଜୁଡ଼ି ଯାଇଥିବା ଜୟଦେବ ପୀଠର ସମସ୍ତ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ କରାଯିବ ବୋଲି ଏହି ଅର୍ଥ ମଞ୍ଜୁର କରାଯାଇଥିଲା। ୨୫ ଏକର ପରିମିତ ସବୁଜିମାଭରା ଜୟଦେବ ପୀଠରେ ସକାଳ ଓ ସଂଧ୍ୟାରେ ଗୀତଗୋବିନ୍ଦ ପରିବେଷଣ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ମୋଟାମୋଟି ଜୟଦେବ ପୀଠକୁ ଏକ ଅନ୍ତର୍ଜାତୀୟ ସ୍ତରର ପର୍ଯ୍ୟଟନସ୍ଥଳର ମାନ୍ୟତା ଦେବା ଲାଗି ସବୁ ପ୍ରସ୍ତୁତି ହୋଇଥିଲା। କିନ୍ତୁ ସବୁ ଯୋଜନା ଏବେ ଲଟକି ରହିଛି।
ଅଭିଯୋଗ ଅନୁସାରେ ଠିକା ସଂସ୍ଥାର ମନମାନୀରେ ନିର୍ମାଣ କାମ ବନ୍ଦ ପଡ଼ିଛି। ପ୍ଲିନ୍ଥ୍ ପର୍ଯ୍ୟନ୍ତ କାମ ଯାଇଛି ଓ ପ୍ରାୟ ୮ ମାସ ହେଲା ସେଇଠୁ ଆଣ୍ଠେଇ ପଡ଼ିଛି। ଠିକା ସଂସ୍ଥା ୨୦୦ଟି ପାଇଲିଂ ପିଲାର୍ ନିର୍ମାଣ କରିଛି, କିନ୍ତୁ ସବୁ ନିମ୍ନମାନର ହୋଇଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ଲୋକେ ଠିକାଦାର ବିରୋଧରେ ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକଙ୍କୁ ଭେଟି ଅଭିଯୋଗ କରିଥିବା କହିଛନ୍ତି। ଏ ସଂପର୍କରେ ସ୍ଥାନୀୟ ବିଡିଓ ଓ ଜୟଦେବ ସରପଞ୍ଚ ପ୍ରଜ୍ଞା ପରମିତା ଜେନାମଣିଙ୍କୁ ଅବଗତ କରାଇଛନ୍ତି।