କଟକଣାରେ ପାଳନ ହେବ ଝାମୁ ଯାତ୍ରା, ଗାଁରେ ଘଟ ଧରି ବୁଲୁଛନ୍ତି କାଳିଶି

ବାଲିପାଟଣା: ଆସନ୍ତା ବୁଧବାର ପଣା ସଂକ୍ରାନ୍ତି। ମା’ ମଙ୍ଗଳାଙ୍କ ପନ୍ଥେଇ ପୂଜା ଗାଁ ଗାଁରେ ଚାଲିଛି। କାଳିଶି ଉଭା ହେଉଛନ୍ତି। ଘଟଧରି ଗାଁ ଗାଁରେ ବୁଲୁଛନ୍ତି। ଝାମୁ ଯାତ୍ରା କୋଭିଡ୍‌ ଗାଇଡଲାଇନରେ ପାଳନ ପାଇଁ ପ୍ରଶାସନ ତରଫରୁ ସତର୍କ କରାଯାଇଛି। ତେଣୁ ଚଳିତ ବର୍ଷ ଅନ୍ୟ ପର୍ବପର୍ବାଣି ଭଳି ପଣା ସଂକ୍ରାନ୍ତି ମଧ୍ୟ ଫିକା ପଡ଼ିବ ବୋଲି ଜଣାପଡ଼ିଛି।

ଚୈତ୍ର ମାସ ସଂକ୍ରାନ୍ତି ତିଥିରେ ମା’ ମଙ୍ଗଳାଙ୍କ ଝାମୁ ଯାତ୍ରା ପାଳନ ହୁଏ। ବାଲିପାଟଣା ବ୍ଲକର ପ୍ରତ୍ୟେକ ପଞ୍ଚାୟତର ଏକାଧିକ ସ୍ଥାନରେ କାଳିଶି ଉଭା ହେବା ପରମ୍ପରା ରହିଛି। ମା’ଙ୍କ ପୀଠରେ ପାଣି ତୋଳା, ଘଟ ପୂଜା କରାଯାଏ। ମାନସିକଧାରୀଙ୍କୁ କାଳିଶି ଉଭା ହୁଅନ୍ତି। ଗାଁ ଗଣ୍ଡାରେ ଘଟ ଧରି କାଳିଶି ଚାଲି ଚାଲି ବୁଲନ୍ତି। ସଂକ୍ରାନ୍ତି ପୂର୍ବ ଦିନ ମେରି ଉପବାସରେ ଶ୍ରଦ୍ଧାଳୁ ରୁହନ୍ତି। ଝାମୁରେ ପଶିବା ପୂର୍ବରୁ ମା’ ମଙ୍ଗଳାଙ୍କ ପୀଠରୁ ଆଜ୍ଞା ମାଳ ଆସିଥାଏ। କେତେକ ସ୍ଥାନରେ ଝାମୁ ଖନ୍ଦା ନିଆଁରେ କାଳିଶି ଚାଲିବା ଓ ଫୋଡ଼ା ପାଟୁଆ ପରମ୍ପରା ରହିଛି। ଏହି ଦିନ ପ୍ରଭାତରୁ ମା’ଙ୍କ ପୂଜା ରୀତିନୀତିରେ ସମ୍ପନ୍ନ ହୁଏ। ଦୀପ, ଧୂପ, ନୈବେଦ୍ୟ, ଝୁଣା, ନିଆଁ ହୁଳା କାଳିଶିଙ୍କୁ ଲାଗି ହୁଏ। ଡିଜେ, ସମ୍ବଲପୁରୀ, ଢୋଲ, ମହୁରୀ, ଘୋଡ଼ାନାଚ, ଷଣ୍ଢ ଲଢ଼େଇ, ବୁଢ଼ାବୁଢ଼ୀ, ବାଘ, ଭାଲୁ, ଫରି ଖେଳ, ବାଣ ରୋଷଣି ହୁଏ। ଝାମୁ ଖନ୍ଦା ପୂଜା ପରେ ଅଗ୍ନି ସଂଯୋଗ କରାଯାଏ।

କାଳିଶି ରଡ଼ ନିଆଁରେ ଚାଲିବା ଦେଖିବା ପାଇଁ ସବୁ ଗାଁରେ ଭିଡ଼ ଜମେ। ଫୋଡ଼ା ପାଟୁଆ ପରମ୍ପରା ମଧ୍ୟ ବହୁ କଠିନ। ପିଠିରେ ଝୁଣା ଧୂପ ମରା ଯାଇ ସଂକ୍ରାନ୍ତି ଦିନ କଣ୍ଟା ଫୋଡ଼ା ହୁଏ। ବେଶ୍‌ ଧୁମ୍‌ଧାମରେ ପଣା ସଂକ୍ରାନ୍ତି ପାଳନ ହୁଏ। କରୋନା କଟକଣା ଯୋଗୁଁ ଶୋଭାଯାତ୍ରା ଉପରେ ପ୍ରଶାସନ ଅଙ୍କୁଶ ଲଗାଇଛି। ବାଣ ଓ ଡିଜେ ରୋଷଣି ବନ୍ଦ ପାଇଁ ନିର୍ଦେଶ ହୋଇଛି। ଭିଡ଼ ନ ଜମାଇ କେବଳ ରୀତିନୀତି ଭିତରେ ପର୍ବ ପାଳନ ପାଇଁ ଥାନା ଅଧିକାରୀ ରାଧାକାନ୍ତ ସାହୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଲକ୍‌ଡାଉନ ଯୋଗୁଁ ଝାମୁ ଯାତ୍ରା ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିଲା। କାଳିଶି ଉଭା ହୋଇଥିଲେ କିନ୍ତୁ ଖନ୍ଦାରେ ଅଗ୍ନି ସଂଯୋଗ ହୋଇନ ଥିଲା। ଲୁଚା ଛପାରେ ଅନୁଷ୍ଠିତ ହେଉଥିବା ପର୍ବକୁ ପୁଲିସ ବନ୍ଦ କରିଥିଲା।

ସମ୍ବନ୍ଧିତ ଖବର