ଭୁବନେଶ୍ବର: ଅନ୍ୟର ସେବାରୁ ଯେଉଁ ଆନନ୍ଦ ମିଳେ ତାହା ପାଖରେ କୌଣସି ପୁରସ୍କାର ବଡ଼ ନୁହେଁ। ଅନ୍ୟକୁ ନିଜ ଭଳି ଭାବିବା ଅନ୍ୟ ଭିତରେ ନିଜକୁ ଦେଖିବା ଏହା ହେଉଛି ପ୍ରଥମ ସୋପାନ। ପ୍ରକୃତ ସେବାରେ ସ୍ବାର୍ଥ ଥାଏ, ସେହି ସ୍ବାର୍ଥ ହେଉଛି ସେବାରୁ ମିଳୁଥିବା ନିର୍ମଳ ଆନନ୍ଦ। ସେହି ଆଧ୍ୟାତ୍ମିକସ୍ତର ଆନନ୍ଦ ପାଇଁ ମଣିଷ ସମାଜ ସେବାରେ ବ୍ରତୀ ହୁଏ। ତାହା ହିଁ ଅଚ୍ୟୁତ ବାବୁଙ୍କର ସାମାଜିକ ସେବାର ମୂଳ ସ୍ବରୂପ। ଯେଉଁମାନେ ଏହି କାର୍ଯ୍ୟ କରନ୍ତି ସେମାନଙ୍କର ଜୀବନ ସାର୍ଥକ। ନିଜ ଜୀବନ ବୃହତ୍ତର ସେବାରେ ଲାଗି ପାରିଲା ବୃହତ୍ତରଙ୍କ ମୁହଁରେ ହସ ଫୁଟାଇ ପାରିଲା ସେହି ଜୀବନର ମହତ୍ତ୍ବ ସବୁବେଳେ ପ୍ରେରଣା ଦାୟୀ। ଓଡ଼ିଶା ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ନାଗରିକ ସମ୍ବର୍ଦ୍ଧନା ଜ୍ଞାପନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଗଣେଶୀ ଲାଲ୍‌ ଯୋଗ ଦେଇ ଏପରି କହିଛନ୍ତି।

Advertisment

କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗ ଦେଇ କହିଲେ, ପୁରସ୍କାର ଶ୍ରୀ ସାମନ୍ତଙ୍କ ପାଇଁ ବଡ଼ ନୁହେଁ କିନ୍ତୁ ଅନ୍ୟର ସେବା ପାଇଁ ନିଜକୁ ତ୍ୟାଗ କରିଛନ୍ତି। ଅଣବିକଶିତ ଅଞ୍ଚଳର ପିଲାଙ୍କୁ ଆଣି ତାଙ୍କର ଶିକ୍ଷାରେ ଏକ ପରିବର୍ତ୍ତନ କରିଛନ୍ତି, ଯାହା ତାଙ୍କର ପାଇଁ ବଡ଼ ସଫଳତା। ସମ୍ବର୍ଦ୍ଧନା ଗ୍ରହଣ କରି ଶ୍ରୀ ସାମନ୍ତ କହିଲେ, କିସ୍‌କୁ ଯେଉଁ ସମ୍ମାନ ମିଳିଛି ତାହା ଭାରତର ସମ୍ମାନ। ଓଡ଼ିଶାବାସୀ ଓ ଜନଜାତି ଭାଇ ଭଉଣୀଙ୍କ ସ୍ନେହ ଓ ଶ୍ରଦ୍ଧା ପାଇଁ ଆଜି ଏହି ସମ୍ମାନ ମିଳି ପାରିଛି। ଫୋରମ୍‌ର ସଭାପତି ପ୍ରଦୋଷ ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସଂପାଦକ ଦିଲ୍ଲୀପ ହାଲି ଧନ୍ୟବାଦ ଦେଇଥିଲେ। ଶିକ୍ଷାବିତ୍‌ ସ୍ନେହ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।