ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା

ଭୁବନେଶ୍ବର: ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ତ୍ରୟୋଦଶତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ୍ ମେଳା ଆରମ୍ଭ ହୋଇଛି। ଏକ ସପ୍ତାହ ବ୍ୟାପୀ ଚାଲିବାକୁ ଥିବା ଏହି ମେଳାକୁ ଜଙ୍ଗଲ ଓ ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ହର୍ବାଲ୍ ମେଳା ଆୟୋଜନ ହେବା ଯୋଗୁଁ ଉଭୟ ରାଜଧାନୀବାସୀ ଓ ଉତ୍ପାଦନକାରୀ ଫାର୍ମାସିଗୁଡ଼ିକ ଲାଭାନ୍ବିତ ହେଉଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଏହା ସହିତ କଳିଙ୍ଗ ହର୍ବାଲ ମେଳା ଆଗାମୀ ଦିନରେ କିଭଳି ଦେଶରେ ସର୍ବବୃହତ୍ ହର୍ବାଲ ମେଳାରେ ପରିଣତ ହେବ ତା’ଉପରେ ମତ ପ୍ରକାଶ କରିଥିଲେ। ବିଜ୍ଞାନ ଓ ପ୍ରଯୁକ୍ତ, ସରକାରୀ ଉଦ୍ୟୋଗ, ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ରାଜ୍ୟର ଜଙ୍ଗଲ ଏବଂ ଔଷଧୀୟ ଗଛକୁ ସୁରକ୍ଷା ଦେବା ଉପରେ ମତ ଦେଇଥିଲେ।

ଏହା ସହିତ ଗତ କିଛି ଦିନ ତଳେ ଉନ୍ମୋଚିତ ହୋଇଥିବା ବାୟୋ ଇନ୍‌କ୍ୟୁବେସନ୍ ସେଣ୍ଟର୍ ମାଧ୍ୟମରେ ଔଷଧୀୟ ବୃକ୍ଷର ଷ୍ଟାର୍ଟଅପ୍ ଆରମ୍ଭ କରିବା ଉପରେ ମତ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଧ୍ୟ ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପିସିସିଏଫ୍ ଜିତେନ୍ଦ୍ର କୁମାର ପ୍ରମୁଖ ଯୋଗ ଦେଇ କଳିଙ୍ଗ ହର୍ବାଲ୍‌ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏହା ଜନସାଧାରଣଙ୍କ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ହୋଇପାରିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର