ସଂସ୍କୃତି ବିଭାଗ ପୋର୍ଟାଲ୍‌ରେ କନ୍ନଡ଼ ଭାଷା, ନିଜ ବିଭାଗରେ ଓଡ଼ିଆ ଭାଷା ଅବହେଳିତ

ଭୁବନେଶ୍ବର: ରବୀନ୍ଦ୍ର ମଣ୍ଡପ ଓ ଭଞ୍ଜକଳା ମଣ୍ଡପ ବୁକିଂ ଲାଗି ଅନ୍‌ଲାଇନ୍‌ରେ ଆବେଦନ ଫର୍ମ ପୂରଣ କଲାବେଳେ ପୋର୍ଟାଲ୍‌ରେ ଇଂରାଜୀ ଓ ହିନ୍ଦୀ ଭାଷା ପରେ ରହିଛି କନ୍ନଡ଼ ଭାଷା। ଓଡ଼ିଆ ଭାଷା ନାହିଁ। ତେଣୁ ଇଂରାଜୀ ଓ ହିନ୍ଦୀ ଭାଷାରେ ଦଖଲ ନଥିଲେ, ଜଣେ ଓଡ଼ିଆ ଲୋକ ବୁକିଂ କରିପାରିବ ନାହିଁ। କାରଣ ସାଧାରଣତଃ ଓଡ଼ିଆ ଲୋକମାନଙ୍କୁ କନ୍ନଡ଼ ଭାଷା ଜଣାନଥାଏ। ତେଣୁ ଅନ୍‌ଲାଇନ୍ ବୁକିଂ କଲାବେଳେ ଓଡ଼ିଆ ଲୋକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଓଡ଼ିଆ ଭାଷାରେ ଆବେଦନ କରିବାର ସୁଯୋଗ ନଥିବାରୁ ଲୋକଙ୍କ ଭିତରେ ତୀବ୍ର ଅସ‌ନ୍ତୋଷ ସୃଷ୍ଟି ହୋଇଛି। ରାଜ୍ୟ ସଂସ୍କୃତି ବିଭାଗର ଏଭଳି ବିଚିତ୍ର ନୀତିକୁ ନେଇ ସବୁ ମହଲରୁ ସମାଲୋଚନା କରାଯାଉଛି।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ରହିଛି ଏହି ମଣ୍ଡପଗୁଡ଼ିକ। କୌଣସି ମଣ୍ଡପ ବୁକିଂ କରିବାକୁ ହେଲେ ଆବେଦନ ଫର୍ମକୁ କେବଳ ଇଂରାଜୀ, ହିନ୍ଦୀ କିମ୍ବା କନ୍ନଡ଼ ଭାଷାରେ ପୂରଣ କରିବାକୁ ପଡ଼ୁଛି। ହିନ୍ଦୀ ଭାଷା ଉପରେ କ୍ଲିକ୍ କଲେ, ତାହା ବହୁ ସମୟରେ କାମ ଦେଉନି। ବରଂ ଇଂରାଜୀ ଓ କନ୍ନଡ଼ ଭାଷା ଉପରେ କ୍ଲିକ୍‌ କଲେ, ଶୀଘ୍ର ହେଉଛି। ଇଂରାଜୀ ଓ ହିନ୍ଦୀ ଭାଷାକୁ ନେଇ ବିଶେଷ କିଛି ଆପତ୍ତି ନାହିଁ। ଗୋଟିଏ ଆନ୍ତର୍ଜାତିକ ଭାଷା ଓ ଅନ୍ୟଟି ଭାରତର ରାଷ୍ଟ୍ର ଭାଷା ଓ ଅଧିକ ବ୍ୟବହୃତ ଭା‌ଷା। ବଡ଼ ବିଚିତ୍ର କଥା, ଏଠାରେ କନ୍ନଡ଼ ଭାଷାକୁ ବିକଳ୍ପ ଭାଷା ଭାବେ ରଖାଯାଇଛି। ଆଦୌ କନ୍ନଡ଼ ଭାଷା ଜଣାନଥିବା ଅଞ୍ଚଳରେ କିଏ କାହିଁକି ମଣ୍ଡପ ବୁକ୍ କରିବ! ଏଠାରେ ଏହାକୁ ରଖାଯିବାର ଯଥାର୍ଥତା କ’ଣ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଓ ବ୍ୟଥିକ କରିଛି।

ଅନ୍ୟ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହେଲା, ଅନ୍‌ଲାଇନ୍ ବୁକିଂରେ ଓଡ଼ିଆ ଭାଷାକୁ ଆଦୌ ଗୁରୁତ୍ବ ଦିଆଯାଇନାହିଁ। ଇଂରାଜୀ, ହିନ୍ଦୀ ସହ ଓଡ଼ିଆ ଭାଷାକୁ ବିକଳ୍ପ‌ ଭାବେ ରଖାଯିବା କଥା। ଏଭଳି କ୍ଷେତ୍ରରେ ଓଡ଼ିଆ ଭ‌ାଷାର ବ୍ୟବହାର ହେଲେ, ଏହାର ଗୁରୁତ୍ବ ବଢ଼ିବା ସହ ଯୁବପିଢ଼ି ନିଜ ଭାଷା ପ୍ରତି ଆଗ୍ରହ ପ୍ରକାଶ କରିବେ। କିନ୍ତୁ ବୁକିଂ ପୋର୍ଟାଲ୍‌ରେ ଏହି ଦିଗକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ଓ ବିକାଶ ସଂସ୍କୃତି ବିଭାଗର ମୁଖ୍ୟ ଦାୟିତ୍ବ। ତେଣୁ ଏହି ବିଭାଗର ନାଁ ରହିଛି ‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ’। କିନ୍ତୁ ପରିତାପର କଥା ଖୋଦ୍ ବିଭାଗ ହିଁ ନିଜ ଭାଷା ପ୍ରତି ଗୁରୁତ୍ବ ଦେଇନାହିଁ। ଅନ୍ୟ ଏକ ଆଶ୍ଚର୍ଯ୍ୟର କଥା ଏହି ସଫ୍ଟୱେର୍‌ ପ୍ରସ୍ତୁତ କରିବାକୁ ଏନ୍‌ଆଇସିକୁ ଯ‌ଥେଷ୍ଟ ସମୟ ଦିଆଯାଇଥିଲା। ୨୦୧୯ ଅକ୍ଟୋବରରୁ ଏସ୍‌ବିଆଇ ସହିତ ରାଜିନାମା ସ୍ବାକ୍ଷରିତ ହୋଇଥିଲା। ଅଥଚ ପ୍ରାୟ ୧୫ ମାସ ପରେ ଅନ୍‌ଲାଇନ୍ ବୁକିଂ ପୋର୍ଟାଲ୍‌ରେ ଓଡ଼ିଆ ଭାଷା ସ୍ଥାନିତ ହୋଇପାରିଲା ନାହିଁ। ତେଣୁ ଏଥିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ ବିଭାଗୀୟ ଅଧିକାରୀମା‌ନଙ୍କର ଓଡ଼ିଆ ଭାଷା ପ୍ରୀତି କେତେ! ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ସର୍ବଜନବିଦିତ ହୋଇ ସାରିବା ପରେ ବି ସଂସ୍କୃତି ବିଭାଗ ଉଦାସୀନତାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର