କେବିଏନ୍‌ ଗ୍ରୁପ୍‌ ଆତଙ୍କ ଖେଳାଇବା ଘଟଣା: ଆତ୍ମସମର୍ପଣ କଲେ ଚେଙ୍ଗ, ସନିଆ

ସଂଜୟ ଘ‌ରେ ଖାନତଲାସି, ଖଣ୍ଡା ଜବତ, ବୁବୁ ଘରେ କେବେ ପଶିବ ପୁଲିସ? ୨୯ରୁ ଧରାପଡ଼ିଲେଣି ୯

ଭୁବନେଶ୍ବର: ଖଣ୍ଡା, ଭୁଜାଲି, ବନ୍ଧୁକ ଧରି ଦଳବଳ ହୋଇ ରାଜଧାନୀରେ ଆତଙ୍କ ସୃଷ୍ଟି କରୁଥିବା କେବିଏନ୍‌ ଗ୍ରୁପ୍‌ର ଚେର ଉପାଡ଼ିବା ପାଇଁ କମିସନରେଟ୍‌ ପୁଲିସ୍‌ ଜୋରସୋର୍‌ରେ ଲାଗି ପଡ଼ିଛି। ୨୯ ଜଣିଆ ଏହି ଦୁର୍ଦ୍ଧର୍ଷ ଗ୍ୟାଙ୍ଗ୍‌ର ମୋଟ ୯ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରି ସାରିଥିବା ବେଳେ ଅନ୍ୟମାନଙ୍କୁ ଧରିବା ପାଇଁ ତନାଘନା ଚଳାଇଛି। ଅପରାଧୀମାନଙ୍କ ଘର ଉପରେ ଚଢ଼ଉ କରି ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଛି। ଲଗାତାର ଦ୍ବିତୀୟ ଦିନରେ ଆଜି ପୁଲିସ ଗ୍ୟାଙ୍ଗ୍‌ର ଅନ୍ୟତମ ପ୍ରମୁଖ ସଦସ୍ୟ ସଂଜୟ ଖୁଣ୍ଟିଆ ଘରେ ଚଢ଼ଉ କରିଛି। ନୂଆପଲ୍ଲୀ ବ୍ରିଟ୍‌ କଲୋନିସ୍ଥିତ ଏକ ସରକାରୀ ଜମିରେ ଥିବା ସଂଜୟ ଘରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ନୂଆପଲ୍ଲୀ ପୁଲିସ ଓ ସ୍ପେସାଲ ସ୍କ୍ବାଡ୍ ମିଳିତ ଭାବେ ଚଢ଼ଉ କରିଥିଲେ। ସଂଜୟର ୨ଟି ଘରର ସିଲିଂ ଓ ଆଜବେଷ୍ଟସ୍‌ ଭଙ୍ଗା ଯାଇଥିଲା। ଏସିପି ସଂଜୀବ ଶତପଥୀ ଓ ଆଇଆଇସି ଶରତ ସାହୁ ପ୍ରାୟ ୩ ଘଣ୍ଟା ଧରି ଖାନତଲାସି କରି ସେଠାରୁ ଗୋଟିଏ ଖଣ୍ଡା ଜବତ କରିଛନ୍ତି। ମାତ୍ର ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଭୟାନକ ଭିଡିଓରେ ଥିବା ବହୁସଂଖ୍ୟକ ମାରଣାସ୍ତ୍ର ବର୍ତ୍ତମାନ ବି ପୁଲିସ ହାତରେ ଲାଗି ପାରିନାହିଁ।

ଅପରପକ୍ଷେ ରବିବାର ସଂଧ୍ୟାରେ ପୁଲିସକୁ ଦେଖି ପାଇକନଗର ଓ ଡେଲ୍‌ଟାସ୍ଥିତ ଖଟିରୁ ଖସି ଯାଇଥିବା ରାଜେଶ ବେହେରା ଓରଫ ଚେଙ୍ଗ ଓ ସନାତନ ବେହେରା ଓରଫ ସନିଆ ଆଜି ଭୁବନେଶ୍ବର ଏସ୍‌ଡିଜିଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ଗତକାଲି ଚେଙ୍ଗର ପୋଖରୀପୁଟସ୍ଥିତ ଘରେ ପୁଲିସ ଚଢ଼ଉ କରି ଏକାଧିକ ମାରଣାସ୍ତ୍ର ଜବତ କରିଥିଲା। ଚେଙ୍ଗ ସମେତ କେବିଏନ୍ ଗ୍ରୁପ୍‌ର ସମସ୍ତ ସଦସ୍ୟଙ୍କ ଉପରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେଙ୍ଗର ପରିବାରଲୋକ କୌଣସି ସୂତ୍ରରୁ ଖବର ପାଇଥିଲେ। ତେଣୁ ଭୟଭୀତ ହୋଇ ଚେଙ୍ଗ ତା’ ସହଯୋଗୀ ସନିଆ ସହ କୋର୍ଟରେ ଆଜି ଆତ୍ମସମର୍ପଣ କରିଥିଲା। ଉଭୟଙ୍କୁ ପୁଲିସ ୧୪ଦିନ ପାଇଁ ଜେଲ୍ ପଠାଇଥିବା ଜଣାପଡ଼ିଛି।

ତେବେ ଗ୍ୟାଙ୍ଗ୍‌ର ମୁଖ୍ୟ ଦେବୀପ୍ରସାଦ ଜେନା ଓରଫ୍ ବୁବୁ ଘରେ କେବେ ପୁଲିସ ତଲାସ କରିବ, ତାହାକୁ ନେଇ ପ୍ରଶ୍ନ ଉଠିଲାଣି। ବୁବୁ ଜଣେ ପୂର୍ବତନ ପୁଲିସ କର୍ମଚାରୀଙ୍କ ପୁଅ ଓ ଗ୍ୟାଙ୍ଗ୍‌ର ମଙ୍ଗ ଧରିଥିବାରୁ ତା’ ଉପରେ ସମସ୍ତଙ୍କ ନଜର। ଆପତତଃ ସେ ଧରାପଡ଼ିଲେ, ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା‌ରେ ପୁଲିସକୁ ଏକ ବଡ଼ ସଫଳତା ମିଳିବ ବୋଲି କୁହାଯାଉଛି। କାରଣ ବୁବୁ ହିଁ ବିଭିନ୍ନ ଅଞ୍ଚଳରୁ ମାରଣାସ୍ତ୍ର ଓ ଚୋରା ବନ୍ଧୁକ ଆଣି ଗ୍ୟାଙ୍ଗ୍ ସଦସ୍ୟଙ୍କୁ ଯୋଗାଉଥିଲା। ଏପରିକି ବିଭିନ୍ନ ଦୋକାନଠୁ ଆରମ୍ଭ କରି ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ବଟି ଆଦାୟ କରିବା ପାଇଁ ଗ୍ରୁପ୍‌ରେ ଅପରାଧୀଙ୍କ ସଂଖ୍ୟା ବଢ଼ାଇ ଚାଲିଥିଲା। ଖାଲି ସେତିକି ନୁହେଁ, ନିଜ ଅପରାଧର ସାମ୍ରାଜ୍ୟ ବିସ୍ତାର ପାଇଁ ସହଯୋଗୀଙ୍କ ସହ ମିଶି ନିଶା କାରବାର ମଧ୍ୟ ଚଳାଇଥିଲା।

ସମ୍ବନ୍ଧିତ ଖବର