ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ଉପରେ ରାଜଧାନୀର ଜଣାଶୁଣା ବ୍ଲାକ୍ସ୍ପଟ୍ ଖଣ୍ଡଗିରି ଛକରେ ନିର୍ମାଣାଧୀନ ଫ୍ଲାଏଓଭର୍ ବ୍ରିଜ୍ କାମ ଆସନ୍ତା ଜୁଲାଇ ମାସରେ ସରିବ। ବର୍ତ୍ତମାନ ସୁଦ୍ଧା ୭୦ ପ୍ରତିଶତ କାମ ଶେଷ ହୋଇଛି। ତେଣୁ ଅବଶିଷ୍ଟ କାମ ସରିବାକୁ ଆଉ ପ୍ରାୟ ୫ ମାସ ସମୟ ଲାଗିବ ବୋଲି ସୂଚନା ମିଳିଛି। ତେଣୁ ୨୦୨୦ ସେପ୍ଟେମ୍ବର ସୁଦ୍ଧା ସରିବାକୁ ଥିବା ଏହି ବ୍ରିଜ୍ ଆସନ୍ତା ଜୁଲାଇ ମାସରେ ସରିବାକୁ ଥିବାରୁ ପ୍ରାୟ ୧୦ ମାସ ବିଳମ୍ବିତ ହେଲା ବୋଲି କୁହାଯାଉଛି।
୨୦୧୯ ମାର୍ଚ୍ଚରୁ ଏହି ବ୍ରିଜ୍ କାମ ଆରମ୍ଭ ହୋଇଥିଲା। ୧୮ ମାସ ମଧ୍ୟରେ ଅର୍ଥାତ୍ ୨୦୨୦ ସେପ୍ଟେମ୍ବର ସୁଦ୍ଧା କାମ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମାତ୍ର ମହାମାରୀ କରୋନା ଯୋଗୁଁ କାମ ବିଳମ୍ବିତ ହେଲା। ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷଙ୍କ ସୂଚନାନୁସାରେ ୨୦୨୧ ମେ’ ସୁଦ୍ଧା ଏହି କାମ ଶେଷ ହେବାର ଥିଲା। ମାତ୍ର ଏବେ ପୁଣି ୨ ମାସ ବିଳମ୍ବିତ ହେବ ବୋଲି ଆକଳନ କରାଯାଇଛି। କାମ ଧୀମା ଗତିରେ ଚାଲିଥିବାରୁ ବିଳମ୍ବ ହେଉଛି। ଫଳରେ ରାସ୍ତାରେ ଅସମ୍ଭାଳ ଜାମ୍ ପରିଲକ୍ଷିତ ହେଉଛି। ଏପରିକି ପ୍ରତ୍ୟେକ ଦିନ ଏଠାରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି ଓ ମୁଣ୍ଡ ଗଡ଼ୁଛି। ମାତ୍ର କାମ ଶୀଘ୍ର ସାରିବାକୁ ବାରମ୍ବାର ଚାପ ସୃଷ୍ଟି କରାଯାଉଥିଲେ ମଧ୍ୟ କିଛି ଲାଭ ହେଉନାହିଁ। ଗତ ଦୁଇ ମାସର କାମକୁ ସମୀକ୍ଷା କଲେ ଓ ଏନ୍ଏଚ୍ଏଆଇ ସୂଚନାନୁସାରେ ଜାନୁଆରି ଓ ଫେବ୍ରୁଆରିରେ ମାତ୍ର ୧୦ ପ୍ରତିଶତ କାମ କରାଯାଇଛି। ତେଣୁ ସେହି ଅନୁସାରେ ହିସାବ କଲେ, ଯେତିକି କାମ ବାକି ରହିଛି, ତାହା ଜୁଲାଇରେ ମଧ୍ୟ ସରିବ କି ନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।
ତେବେ ଏନେଇ ଏନ୍ଏଚ୍ଏଆଇର ଓଡ଼ିଶା ମୁଖ୍ୟ ରାମ ପ୍ରସାଦ ପଣ୍ଡା କହିଛନ୍ତି ଯେ ବର୍ତ୍ତମାନ ପ୍ରାୟ ୭୦ ପ୍ରତିଶତ କାମ ସରିଲାଣି। ଫ୍ଲାଏ ଓଭର୍ର ମୁଖ୍ୟ କାମଗୁଡ଼ିକ ଇତି ମଧ୍ୟରେ ଶେଷ ହୋଇଗଲାଣି। ୪ରୁ ୫ମାସ ମଧ୍ୟରେ ଫ୍ଲାଏ ଓଭର୍ କାମ ସମ୍ପୂର୍ଣ୍ଣ ହୋଇଯିବ। ସୂଚନାଯୋଗ୍ୟ ୧୧୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ୬ଥାକିଆ ଫ୍ଲାଏ ଓଭର୍ ବ୍ରିଜ୍ର ଲମ୍ବ ୨.୨୩୦ କିମି । ଏହାର ମୁଖ୍ୟପୋଲର ଲମ୍ବ ୧କିମି ରହିବ। ଆଇଗିଣିଆ ପାର୍ଶ୍ବକୁ ଓ ବରମୁଣ୍ଡା ପାର୍ଶ୍ବକୁ ଆପ୍ରୋଚ୍ ରୋଡ୍ ମୋଟ୍ ୧.୨୩୦ କିମିର ରହିବ। ଏହି ଫ୍ଲାଏ ଓଭର ବ୍ରିଜ୍ରେ ୬୮ଟି ପିଲାର୍ ଓ ୬୬ଟି ସ୍ପାନ୍ ରହିଛି।