ଭୁବନେଶ୍ବର: ରାମମନ୍ଦିର ଖାଓଗଳି ଦୋକାନ କଳି ପୁଣି ବଢ଼ିଛି। ଆଜି ସଂଧ୍ୟାରେ ଖାଓଗଳି ଦୋକାନ ଉଚ୍ଛେଦକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ବକେୟା ପଇଠ କରିବାକୁ କହି ବିଏମ୍ସି ତାର ଏନ୍ଫୋର୍ସମେଣ୍ଟ ଟିମ୍ ଓ ପୁଲିସ ସହ ପହଞ୍ଚି ଦୋକାନ ସବୁକୁ ବନ୍ଦ କରିଦେଇଛି। ସବୁଠି ପୁଲିସ ପହରା ଦେଇଛନ୍ତି। ଫଳରେ ଘରୁ ତିଆରି କରି ଆଣିଥିବା ଖାଦ୍ୟ ସାମଗ୍ରୀ ଦୋକାନୀମାନେ ବିକି ପାରିନାହାନ୍ତି। ଏହାର ଦୃଢ଼ ବିରୋଧ କରିଛନ୍ତି ଖାଓଗଳି ଦୋକାନୀ। ବିଏମ୍ସି ଅଧିକାରୀଙ୍କୁ ଘେରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନ୍ୟାୟ ମାଗିବା ସହ ବକେୟା ଟଙ୍କା ଦେବାକୁ ସମୟ ମାଗିଛନ୍ତି।
ଖାଓଗଳିରେ ୩୧ଟି ଦୋକାନ ଅଛି। କେଉଁଠି ଫାଷ୍ଟଫୁଡ୍ ତ କେଉଁଠି ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ହେଉଛି। ପୂର୍ବରୁ ଅଳ୍ପ ଟଙ୍କା ଦେଇ ଦୋକାନୀମାନେ ଦୋକାନ ଖୋଲିଥିଲେ। କିନ୍ତୁ ୨୦୨୨ ମସିହାରେ ବିଏମ୍ସିର ନୂଆ ପରିଷଦ ଗଠନ ପରଠାରୁ ଦୋକାନ ପିଛା ୨୫ହଜାର ଟଙ୍କା ସିକ୍ୟୁରିଟି ଜମା ଓ ମାସିକ ୭ହଜାର ୨୦୦ ଟଙ୍କା ଭଡ଼ା ଆଦାୟ ହେଲା। କିନ୍ତୁ ଭେଣ୍ଡିଂ ଜୋନ୍ ସୁବିଧା ଦିଆଗଲାନି କି ଅନ୍ୟ ଭିତ୍ତିଭୂମି ପ୍ରସ୍ତୁତ କରାଗଲାନି। ଶେଷରେ ୨୦୨୩ ମସିହାରେ ଖାଓଗଳି ଦୋକାନୀମାନେ ଭଡ଼ା କମାଇବାକୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ମାସିକ ଏତେ ଟଙ୍କା ଆଦାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହ ତଳ କୋର୍ଟଙ୍କୁ ଏହି ମାମଲାର ବିଚାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯେହେତୁ କୋର୍ଟରେ ମାମଲା ବିଚାରାଧୀନ ଅଛି, ଦୋକାନୀମାନେ ମାସିକ ୭ହଜାର ୨୦୦ ଟଙ୍କା ଭଡ଼ା ଦେଇନଥିଲେ। ଶେଷରେ ବିଏମ୍ସି ଓ ଖାଓଗଳି ଦୋକାନୀଙ୍କ ଆପୋସ ବୁଝାମଣାରେ ବିଏମ୍ସି ଦୋକାନୀଙ୍କ ଭଡ଼ା କମାଇଥିଲା। ୩୧ଟି ଦୋକାନରୁ ୧ରୁ ୧୫ ନମ୍ବର ପର୍ଯ୍ୟନ୍ତ ଦୋକାନ ଭଡ଼ା ୩ହଜାର ଟଙ୍କା ଓ ୧୬ରୁ ୩୧ ନମ୍ବର ପର୍ଯ୍ୟନ୍ତ ଦୋକାନ ଭଡ଼ା ୨ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା।
ଖାଓଗଳି ଦୋକାନୀ ସଂଘ ସଭାପତି ରଶ୍ମିତା ଖଟେଇ କହିଛନ୍ତି, ଗତ ୩ ତାରିଖରେ ସଂଘ ସଭାପତି ଭାବେ ମୋତେ ଓ ଅନ୍ୟ କିଛି ଦୋକାନୀଙ୍କୁ ବିଏମ୍ସି ଆଲୋଚନା ପାଇଁ ଡାକିଥିଲା। ଅତିରିକ୍ତ କମିସନର୍ ରତ୍ନାକର ସାହୁ, ଡେପୁଟି କମିସନର୍ ଅଜୟ ମହାନ୍ତିଙ୍କ ସମେତ ୧୦ରୁ ଅଧିକାରୀଙ୍କ ସହ ବୈଠକ ହେଲା। ବୈଠକରେ ଦୋକାନୀଙ୍କ ବକେୟା କଥା ଉଠିଥିଲା। କିସ୍ତି କିସ୍ତି କରି ସମସ୍ତେ ଟଙ୍କା ଦେଇଦେବେ ବୋଲି କହିବାରୁ ବିଏମ୍ସି ସହମତି ଜଣାଇଥିଲା। ଏହାସତ୍ତ୍ବେ ଗତ ୭ ତାରିଖରେ ଦୋକାନ ବନ୍ଦ କରିବାକୁ ବିଏମ୍ସି ଏନ୍ଫୋର୍ସମେଣ୍ଟ ଟିମ୍ ଆସିଥିଲେ। ବିରୋଧ ପରେ ଏନ୍ଫୋର୍ସମେଣ୍ଟ ଟିମ୍ ପଳାଇଥିଲେ। ଆଜି ପୁଣି ବିଏମ୍ସି ଡେପୁଟି କମିସନର୍ ଅଜୟ ମହାନ୍ତିଙ୍କ ସହ ଏନ୍ଫୋର୍ସମେଣ୍ଟ ଟିମ୍ ଦୋକାନ ଉଚ୍ଛେଦ କରିବାକୁ ପହଞ୍ଚିଥିଲେ। କିଛି ଦୋକାନ ବି ଭଙ୍ଗାରୁଜା କରିଥିଲେ। ଲାଇଟ୍ ବନ୍ଦ କରି ଦେଇଥିଲେ। ଦୋକାନୀମାନେ ଏହାର ବିରୋଧ କରିଥିଲେ। ଶ୍ରୀ ଖଟେଇ କହିଛନ୍ତି, ଆମେ ସବୁ ଟଙ୍କା ଦେବାକୁ ରାଜି ଅଛୁ। ଏ ଭିତରେ ପ୍ରାୟ ୧୫ଜଣ ଦୋକାନୀ ବି ୫ହଜାର ଲେଖାଏ ଟଙ୍କା ଦେଇ ଆସୁଛନ୍ତି। ତଥାପି ଉଚ୍ଛେଦ ଆଦୌ ଠିକ୍ ନୁହେଁ। ସେପଟେ ଏକକାଳୀନ ବକେୟା ପଇଠ କରିବାକୁ କୁହାଯାଉଛି। ଯାହା ଗରିବ ଦୋକାନୀଙ୍କ ପକ୍ଷେ ସମ୍ଭବ ନୁହେଁ। ଯେଉଁ ଟଙ୍କା ଦେଉଛୁ, ତାର କିଛି ରସିଦ୍ ଦିଆଯାଉନି। ରାଜୁ ମଲ୍ଲିଆ ନାମକ ବ୍ୟକ୍ତିଙ୍କ ଆକାଉଣ୍ଟଙ୍କୁ ଟଙ୍କା ପଠାଇବାକୁ କୁହାଯାଉଛି। ଆଜି ଉଚ୍ଛେଦ ପାଇଁ ଆସିଥିଲେ ବି କାହାରି ପାଖରେ ଆଦେଶ ନାହିଁ। ଗତ ମେ ୧୭ ତାରିଖ ନିଷ୍ପତ୍ତି ଅନୁସାରେ ଆମକୁ ବିଜୁଳି, ପାଣି ଆଦି ସଂଯୋଗ ଦିଆଯାଇନି। ଯେ ପର୍ଯ୍ୟନ୍ତ ଆମକୁ ନ୍ୟାୟ ନ ମିଳିବ, ଆନ୍ଦୋଳନ କରିବୁ। ବିଏମ୍ସି କହିଛି, ନିକଟରେ ଥିବା ସେଣ୍ଟ୍ ଯୋଶେଫ ହାଇସ୍କୁଲ ବିଦ୍ୟାଳୟର ଅଭିଭାବକ ସଂଘ ସଂପାଦକ ପିଲାଙ୍କ ସୁରକ୍ଷା ଓ ପରିଛନ୍ନତା ପାଇଁ ଖାଓଗଳି ଦୋକାନ ଉଠାଇବାକୁ ଚିଠି କରିଥିଲେ। ପୂର୍ବରୁ ଦୋକାନ ଉଚ୍ଛେଦ ନିଷ୍ପତ୍ତି ନିଆଯାଇଥିଲେ ବି ଦୋକାନୀଙ୍କ ଅନୁରୋଧକ୍ରମେ ଏହାକୁ ବନ୍ଦ ରଖାଯାଇଥିଲା। ଦୁଇ ଦୁଇଥର ଭଡ଼ା କମା ଯାଇଥିଲେ ବି ଦୋକାନୀମାନେ ଭଡ଼ା ଦେଉନାହାନ୍ତି। ଗତ ୩୧ ତାରିଖ କର୍ପୋରେସନ୍ ବୈଠକରେ ଖାଓଗଳି ଦୋକାନ ଉଚ୍ଛେଦ କରିବାକୁ ନିଷ୍ପତ୍ତି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/14/untitled-14-2025-11-14-07-03-08.jpg)