ଭୁବନେଶ୍ବର: ଗତବର୍ଷ ଜାନୁଆରି ମାସରେ କମିସନରେଟ୍ ପୁଲିସ ଏକ ବଡ଼ ଧରଣର କିଡ୍ନି ଚୋରି ରୢାକେଟ୍କୁ ଠାବ କରିଥିଲା। ନୂଆପଲ୍ଲୀ ପୁଲିସ ଏହି ଚୋରି ରୢାକେଟ୍ର କିଙ୍ଗପିନ୍କୁ ଗିରଫ କରିଥିଲା। ୨୦୧୯ ମସିହାରେ ଏ ସଂକ୍ରାନ୍ତରେ ଏକ ମାମଲା ଦାୟର ହୋଇଥିଲା। ଏକାଧିକ ଲୋକଙ୍କଠାରୁ ଏହି ରୢାକେଟ୍ ୧୦କୋଟି ଟଙ୍କାର ଚୁନ ଲଗାଇଥିବା ଜଣାପଡ଼ିଥିଲା। ହେଲେ ରାଜ୍ୟ ସରକାରଙ୍କ ଦ୍ବାରା କିଡ୍ନି ପ୍ରତିରୋପଣ ପାଇଁ ଗଠିତ ରାଜ୍ୟସ୍ତରୀୟ ସ୍ବୀକୃତି ପ୍ରଦାନକାରୀ କମିଟି ପାଖରେ କିଡ୍ନି ଚୋରି ସଂପର୍କିତ କୌଣସି ତଥ୍ୟ ନାହିଁ। ମାସକରୁ ୨ଥର କମିଟିର ବୈଠକ ବସିବା ସହିତ କିଡ୍ନି ପ୍ରତିରୋପଣ ଆବେଦନକାରୀଙ୍କ ସଂପର୍କରେ ନିଷ୍ପତ୍ତି ନିଆଯାଉଛି। ହେଲେ କମିଟି ପାଖରେ ଗତ ୫ବର୍ଷ ଭିତରେ କିଭଳି ଗୋଟିଏ ହେଲେ ଅଭିଯୋଗର ତଥ୍ୟ ନାହିଁ ତାହା ଆଶ୍ଚର୍ଯ୍ୟ କରିଛି।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ, ଏହି କମିଟିରେ ମୋଟ ୮ଜଣ ସଦସ୍ୟ ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ କମିଟିର ଅଧ୍ୟକ୍ଷ ଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ପ୍ରମୁଖ ସଚିବଙ୍କ ପ୍ରତିନିଧି, ସ୍ବାସ୍ଥ୍ୟ ନିର୍ଦେଶକଙ୍କ ପ୍ରତିନିଧି, ଏଜିଙ୍କ ପ୍ରତିନିଧି, ଏମ୍କେସିଜି ମେଡିକାଲ କଲେଜର ନେଫ୍ରୋଲୋଜି ଓ ୟୁରୋଲୋଜି ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଉତ୍କଳ ବିଶ୍ବବିଦ୍ୟାଳୟର ମନସ୍ତତ୍ତ୍ବ ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ ଓ କମିସନରେଟ୍ ପୁଲିସ କମିସନର ରହିଛନ୍ତି। କମିସନରେଟ୍ ପୁଲିସ ସଂପୃକ୍ତ କିଡ୍ନି ଚୋରି ରୢାକେଟ୍ର କିଙ୍ଗପିନ୍କୁ ଠାବ କରିଥିବା ବେଳେ କମିସନର ମଧ୍ୟ ଏହି କମିଟିରେ ସଦସ୍ୟ ରହିଛନ୍ତି। ମାତ୍ର ଆରଟିଆଇରେ ଏ ସଂପର୍କରେ କୌଣସି ସୂଚନା ନ ଦିଆଯିବା ପଛର କାରଣ କ’ଣ ?
ସେହିପରି ରାଜ୍ୟରେ ଗତ ୫ବର୍ଷ ଭିତରେ କମିଟି ୪୭୬ କିଡ୍ନି ପ୍ରତିରୋପଣ ପାଇଁ ଅନୁମତି ଦେଇଛି। ଏଥିରେ ନିଜ ସଂପର୍କୀୟଙ୍କ ମଧ୍ୟରେ ୨୬୪ଟି ଓ ଅଣ-ସଂପର୍କୀୟଙ୍କ ମଧ୍ୟରେ ୨୧୨ଟି କିଡ୍ନି ପ୍ରତିରୋପଣ ରହିଛି। ଗତ କିଛିବର୍ଷ ଭତିରେ ଅଣ-ସଂପର୍କୀୟଙ୍କ ମଧ୍ୟରେ କିଡ୍ନି ପ୍ରତିରୋପଣ ରାଜ୍ୟରେ ବଢ଼ିବାରେ ଲାଗିଛି। ୨୦୧୭ ମସିହାରେ ଏହି ସଂଖ୍ୟା ୪୧ ଥିବା ବେଳେ ୨୦୧୯ ବେଳକୁ ଏହା ୫୪ରେ ପହଞ୍ଚିଛି। ୨୦୨୧ରେ ୪୭ଜଣ ଅଣ-ସଂପର୍କୀୟଙ୍କ ମଧ୍ୟରେ କିଡ୍ନି ପ୍ରତିରୋପଣ ପାଇଁ ଅନୁମୋଦନ ଦିଆଯାଇଛି। ରାଜ୍ୟର ସରକାରୀ ତଥ୍ୟ ବେସରକାରୀ ହସ୍ପିଟାଲରେ କିଡ୍ନି ପ୍ରତିରୋପଣ ସୁବିଧା ବଢ଼ିବା ପରେ ରାଜ୍ୟରେ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ପୂର୍ବରୁ ରୋଗୀମାନେ ବାହାର ହସ୍ପିଟାଲ ଉପରେ ନିର୍ଭର କରୁଥିବା ବେଳେ ଏବେ ରାଜ୍ୟରେ ପ୍ରତିରୋପଣ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ବିଶେଷକରି ରାଜ୍ୟରେ କାଡାଭରିକ୍ କିଡ୍ନି ପ୍ରତିରୋପଣ ସମ୍ଭବ ହେବା ପରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି।
କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ତଥା କମିଟିର ଅଧ୍ୟକ୍ଷ ଡା.ଲକ୍ଷ୍ମୀଧର ସାହୁ କହିଛନ୍ତି, କମିଟିରେ ୮ଜଣ ସଦସ୍ୟ ରହିଛନ୍ତି। ତେଣୁ ଯେଉଁ ଆବେଦନ ଆସୁଛି ତାହାକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି। ବିଶେଷକରି ଅଣ-ସଂପର୍କୀୟଙ୍କ ମଧ୍ୟରେ କିଡ୍ନି ପ୍ରତିରୋପଣ ପାଇଁ କୌଣସି ଆବେଦନ ଆସିଲେ ସଂପୃକ୍ତ ବ୍ୟକ୍ତିଙ୍କ ସଂପର୍କରେ ଜିଲ୍ଲାପାଳଙ୍କଠାରୁ ତଥ୍ୟ ମଗାଯାଉଛି। ଜିଲ୍ଲାପାଳଙ୍କଠାରୁ ସମସ୍ତ ତଥ୍ୟ ଆସିବା ପରେ ଯାଞ୍ଚ କରାଯାଇ ଅନୁମୋଦନ ଦିଆଯାଉଛି। ତେବେ କିଡ୍ନି ଚୋରି ସମ୍ବନ୍ଧରେ କମିଟି ପାଖରେ କୌଣସି ଅଭିଯୋଗ ଆସିନାହିଁ। ଏବେ କମିଟି ନିକଟରେ କୌଣସି ଆବେଦନ ବିଚାରାଧୀନ ନାହିଁ। ପୂର୍ବ କୋଭିଡ ଲହର ସମୟରେ ଏଥିରେ କିଛିଟା ବ୍ୟତିକ୍ରମ ହୋଇଥିଲା ବୋଲି ଡା.ସାହୁ ‘ସମ୍ବାଦ’କୁ କହିଛନ୍ତି।