ଏମ୍ସରେ କିଡ୍‌ନି ପ୍ରତିରୋପଣ କେନ୍ଦ୍ର, ଭିତ୍ତିଭୂମି ଯାଞ୍ଚ ପାଇଁ ଏସ୍‌ସିବିକୁ ନିର୍ଦ୍ଦେଶ

ଭୁବନେଶ୍ବର: ଏମ୍ସରେ କିଡ‌୍‌ନି ପ୍ରତିରୋପଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମି ଯାଞ୍ଚ ସଂକ୍ରାନ୍ତରେ ଏସ୍‌ସିବିର ଏକ ଟିମ୍‌କୁ ଯିବା ପାଇଁ ନିର୍ଦେଶ ଦେଇଛନ୍ତି ଡିଏମ୍‌ଇଟି। ଏସ୍‌ସିବି ଅଧ୍ୟକ୍ଷ, ନେଫ୍ରୋଲୋଜି ବିଭାଗ ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଏହି ଟିମ୍‌ରେ ରହିବେ। କେବେ ଏହି ଟିମ୍‌ ଏମ୍ସକୁ ଆସିବେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ି ନାହିଁ। ଯଥାଶୀଘ୍ର ଟିମ୍‌ ଆସି ଭିତ୍ତିଭୂମି ଯାଞ୍ଚ କଲେ, ଏମ୍ସରେ କିଡ୍‌ନି ପ୍ରତିରୋପଣ କେନ୍ଦ୍ର ପାଇଁ ବାଟ ଫିଟନ୍ତା ବୋଲି କୁହାଯାଉଛି।

କିଛି ଦିନ ପୂର୍ବରୁ କିଡ୍‌ନି ପ୍ରତିରୋପଣ କେନ୍ଦ୍ର ପ୍ରତିଷ୍ଠା ସଂକ୍ରାନ୍ତରେ ଅନୁମତି ପାଇଁ ଏମ୍ସ ପକ୍ଷରୁ ଡିଏମ୍‌ଇଟିଙ୍କ ନିକଟରେ ଆବେଦନ ହୋଇଥିଲା। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ରାଜ୍ୟରେ କିଡ୍‌ନି ସଂକ୍ରାନ୍ତୀୟ ରୋଗୀ ବଢ଼ିବାରେ ଲାଗିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଡାଏଲିସିସ କିମ୍ବା ପ୍ରତିରୋପଣର ଆବଶ୍ୟକତା ଥାଏ। ମାତ୍ର ରାଜ୍ୟରେ ଏସ୍‌ସିବି ବ୍ୟତୀତ ଅନ୍ୟ କୌଣସି ସରକାରୀ ଡାକ୍ତରଖାନାରେ କିଡ୍‌ନି ପ୍ରତିରୋପଣ ବ୍ୟବସ୍ଥା ନାହିଁ। ଘରୋଇ ଡାକ୍ତରଖାନାରେ ଏହି ସୁବିଧା ଥିଲେ ମଧ୍ୟ ଏଠାରେ ଖର୍ଚ ଏତେ ଅଧିକ ଯେ ସାଧାରଣ ରୋଗୀଙ୍କ ପକ୍ଷେ ଖର୍ଚ ବହନ କରିବା କଷ୍ଟକର ହୋଇ ପଡ଼େ। ଏମ୍ସରେ ପ୍ରତିରୋପଣ କେନ୍ଦ୍ର ହେଲେ ସୁବିଧାରେ ଏବଂ କମ ଖର୍ଚରେ ଏହା ହୋଇ ପାରନ୍ତା। ରୋଗୀଙ୍କୁ ବାହାର ରାଜ୍ୟକୁ ମଧ୍ୟ ଯିବାକୁ ପଡ଼ନ୍ତା ନାହିଁ। ଏମ୍ସର ଯୋଜନା ଅନୁସାରେ ୟୁରୋଲୋଜି ବିଭାଗର ଓଟିରେ କିଡ୍‌ନି ପ୍ରତିରୋପଣ ହେବ। ଏଠାରେ ଆଇସିୟୁ, ୱାର୍ଡ, ଡାଏଲିସିସ ଚାଲିଛି, ବାୟୋକେମେଷ୍ଟ୍ରି, ପେଥୋଲୋଜି, ରେଡିଓଲୋଜି ଆଦି ସୁବିଧା ରହିଛି। ଆଉ କିଛି ବଡ଼ ଧରଣର ପରୀକ୍ଷଣ ଆବଶ୍ୟକ ହେଲେ ଚୁକ୍ତିନାମା ହୋଇଥିବା ଅନ୍ୟ ଡାକ୍ତରଖାନାକୁ ନମୁନା ପଠାଯାଇ ପାରିବ। ତେଣୁ ଏସ୍‌ସିବି ଟିମ୍‌ ପରିଦର୍ଶନ ପରେ ସକାରାତ୍ମକ ରିପୋର୍ଟ ମିଳିବ ବୋଲି ଆଶା କରିଛନ୍ତି ଏମ୍ସ କର୍ତ୍ତୃପକ୍ଷ।

ସମ୍ବନ୍ଧିତ ଖବର