ଏମ୍‌ସରେ କିଡ୍‌ନି ପ୍ରତିରୋପଣ କେନ୍ଦ୍ର ଖୁବ୍‌ ଶୀଘ୍ର, ବାଧକ ସାଜିଥିଲା ଅଗ୍ନିସୁରକ୍ଷା ପ୍ରମାଣପତ୍ର

ଭୁବନେଶ୍ବର: ଏମ୍‌ସରେ ବହୁପ୍ରତୀକ୍ଷିତ କିଡ୍‌ନି ପ୍ରତିରୋପଣ କେନ୍ଦ୍ର ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି। କିଡ୍‌ନି ପ୍ରତିରୋପଣ ପାଇଁ ହସ୍ପିଟାଲରେ ଉପଯୁକ୍ତ ଭିତ୍ତିଭୂମି ଥିବା ସହ ଡାକ୍ତର ନିୟୋଜିତ ହୋଇଥିଲେ ହେଁ ଅଗ୍ନିସୁରକ୍ଷା ପ୍ରମାଣପତ୍ର ନଥିବାରୁ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁମତି ମିଳି ପାରୁନଥିଲା। ଏବେ ଏମ୍‌ସକୁ ଅଗ୍ନିସୁରକ୍ଷା ପ୍ରମାଣପତ୍ର ମିଳି ଯାଇଥିବାରୁ ଖୁବ୍‌ଶୀଘ୍ର ଏହି ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପ ଏମ୍‌ସରେ କାର୍ଯ୍ୟକ୍ଷମ ହେବ ବୋଲି ଆଜି ବିଶ୍ବ କିଡ୍‌ନି ଦିବସ ଅବସର‌ରେ ଅଧୀକ୍ଷକ ଏସ୍‌.ଏନ୍‌ ମହାନ୍ତି ସୂଚନା ଦେଇଛନ୍ତି। ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ, ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡର ବହୁ ରୋଗୀ ଉପକୃତ ହେବେ।

ସୂଚନା ଅନୁଯାୟୀ, ପ୍ରତିଷ୍ଠା ଦିବସ ଅବସରରେ ଗତ ଜୁଲାଇରେ ଏମ୍‌ସରେ କିଡ୍‌ନି ପ୍ରତିରୋପଣ କେନ୍ଦ୍ର ପ୍ରତିଷ୍ଠା ହେବ ବୋଲି ଘୋଷଣା କରାଯାଇଥିଲା। ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିଲା। ୟୁରୋଲୋଜି ବିଭାଗରେ ୨୦୧୯ ମସିହାରୁ ନିୟମିତ ଡାଏଲିସିସି ଚାଲୁଥିବାରୁ ଆଇସିୟୁ, ଓ୍ବାର୍ଡ, ବାୟୋକେମେଷ୍ଟ୍ରି, ପାଥୋଲୋଜି, ରେଡିଓଲୋଜିରେ ପ୍ରତିରୋପଣ ପାଇଁ ସମସ୍ତ ପ୍ରକାର ସୁବିଧା ରହିଛି। କିଛି ମାସ ତଳେ ଏସ୍‌ସିବିର ବିଶେଷଜ୍ଞ ଟିମ୍‌ ଆସି ଏହାର ଭିତ୍ତିଭୂମିକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ। ମାତ୍ର ଏମ୍‌ସ ପାଖରେ ଅଗ୍ନି ସୁରକ୍ଷା ପ୍ରମାଣପତ୍ର ନଥିବାରୁ ଡିଏମ୍‌ଇଟି ଏହାକୁ ଆଳ କରି ପ୍ରତିରୋପଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁମତି ଦେଇନଥିଲା। ଏହାକୁ ନେଇ ‘ସମ୍ବାଦ’ରେ ଲଗାତାର ରିପୋର୍ଟ ପ୍ରକାଶିତ ହୋଇଥିଲା।

ଏମ୍‌ସ ପରିସରରେ ଆୟୋଜିତ ବିଶ୍ବ କିଡ୍‌ନି ଦିବସର ଏହି କାର୍ଯ୍ୟକ୍ରମରେ ସହକାରୀ ପ୍ରଫେସର୍‌ ସନ୍ଦୀପ ପଣ୍ଡା କହିଛନ୍ତି, ରାଜ୍ୟରେ କିଡ୍‌ନି ରୋଗୀଙ୍କ ସଂଖ୍ୟା କେତେ, ସେ ସଂପର୍କିତ ସବିଶେଷ ତଥ୍ୟ ନାହିଁ। ତେବେ ରାଜ୍ୟର ସମୁଦାୟ ଜନସଂଖ୍ୟାର ୧୦ରୁ ୧୫ପ୍ରତିଶତଙ୍କଠାରେ କିଡ୍‌ନି ସମସ୍ୟା ରହିଛି। ଏହା ଜାତୀୟ ହାରଠାରୁ ଅଧିକ। ରାଜ୍ୟର ଏଭଳି କିଛି ସ୍ଥାନ ରହିଛି, ଯେଉଁଠି କିଡ୍‌ନି ରୋଗୀଙ୍କ ସଂଖ୍ୟା ସମୁଦାୟ ଜନସଂଖ୍ୟା ଅନୁସାରେ ୨୦ ପ୍ରତିଶତରେ ପହଞ୍ଚି ସାରିଛି। ଯାହାକୁ ସାଧାରଣରେ କିଡନି ରୋଗୀଙ୍କ ହଟସ୍ପଟ ବୋଲି କୁହାଯିବା ଆରମ୍ଭ ହେଲାଣି। ବିଶ୍ବରେ ସମୁଦାୟ ଜନସଂଖ୍ୟାର ୧୦ପ୍ରତିଶତଙ୍କ ଠାରେ ଏହି ସମସ୍ୟା ରହିଛି। ଭାରତ ଏଥିରୁ ବ୍ୟତିକ୍ରମ ନୁହେଁ। ଦେଶରେ ୧୦ କୋଟି ଲୋକ କିଡ୍‌ନି ଜନିତ ସମସ୍ୟାରେ ପୀଡ଼ିତ ଅଛନ୍ତି। କିଛି ବର୍ଷ ହେଲା ଯୁବକ, ଅଣମଧୁମେହ, ଅଣରକ୍ତଚାପ ଥିବା ସାଧାରଣ ବ୍ୟକ୍ତିଙ୍କଠାରେ ମଧ୍ୟ କିଡନି ସମସ୍ୟା ଦେଖାଯିବା ଆରମ୍ଭ ହେଲାଣି। ରକ୍ତଚାପ, ମଧୁମେହ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାଣି ପିଇବା, ଧୁମପାନଠାରୁ ଦୂରେଇ ରହିବା ଏହି ସମସ୍ୟା ନିରାକରଣର ଏକ ମାଧ୍ୟମ ବୋଲି କାର୍ଯ୍ୟକ୍ରମରେ ସାମିଲ ବିଶେଷଜ୍ଞମାନେ କହିଛନ୍ତି। କାର୍ଯ୍ୟକ୍ରମରେ ମେଡିସିନ୍‌ ବିଭାଗର ଅତିରିକ୍ତ ପ୍ରଫେସର୍‌ ଅନୁପମ ଦେ, ୟୁରୋଲୋଜି ବିଭାଗର ସହଯୋଗୀ ପ୍ରଫେସର୍‌ ମନୋଜ ଦାସ, ଶିଶୁରୋଗ ବିଭାଗର ସହକାରୀ ପ୍ରଫେସର୍‌ ଅମିତ ଶତପଥୀ, ନେଫ୍ରୋଲୋଜି ବିଭାଗର ସହଯୋଗୀ ପ୍ରଫେସର୍‌ ପ୍ରୀତି ମୀନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର