କିସ୍‌ ଫାଉଣ୍ଡେସନ୍‌ ନେଲା ରୂପଶ୍ରୀଙ୍କ ଡାକ୍ତରୀ ପଢ଼ା ଦାୟିତ୍ବ

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ପ୍ରଶାନ୍ତିବିହାର ବସ୍ତିର ସୁନାଝିଅ ରୂପଶ୍ରୀ ସେନାପତିଙ୍କ ଡାକ୍ତରୀ ପଢ଼ା ଖର୍ଚ୍ଚ ପାଇଁ ଆଉ ଅର୍ଥାଭାବ ବାଧକ ହେବ ନାହିଁ। କିସ୍‌ ଫାଉଣ୍ଡେସନ୍‌ ରୂପଶ୍ରୀଙ୍କ ପଢ଼ା ଖର୍ଚ୍ଚ ପୂରା ବହନ କରିବ। ଆଡ୍‌ମିସନ୍‌ ଖର୍ଚ୍ଚଠାରୁ ଆରମ୍ଭ କରି ବାର୍ଷିକ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ କିସ୍‌ ଫାଉଣ୍ଡେସନ୍‌ ବହନ କରିବ। ତେଣୁ ଏଣିକି ରୂପଶ୍ରୀ କେବଳ ତାଙ୍କ ପାଠପଢ଼ାରେ ଧ୍ୟାନ ଦେବାକୁ କିସ୍‌ ଫାଉଣ୍ଡେସନ୍ ପକ୍ଷରୁ ଆଶାସ୍ବନା ଦିଆଯାଇଛି।

ସୂଚନାଯୋଗ୍ୟ, ପରିବାରର ଉତ୍କଟ ଅଭାବ ଅନାଟନ ସତ୍ତ୍ବେ ନିଜେ ସଂଘର୍ଷ କରି ପ୍ରଶାନ୍ତିବିହାର କୃଷ୍ଣଚନ୍ଦ୍ର ସେନାପତିଙ୍କ ସୁନାଝିଅ ରୂପଶ୍ରୀ ସର୍ବଭାରତୀୟ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା ପରେ ଏବେ ବଲାଙ୍ଗୀର ଭୀମଭୋଇ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି। ବ୍ଲକ୍ ଗ୍ରାଣ୍ଟପ୍ରାପ୍ତ ପଟିଆ ସୀତାନାଥ ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ରମାଦେବୀ ବିଶ୍ବବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନ ପାସ୍‌ କରିଥିଲେ। ଅଟୋ ଚଳାଇ ପରିବାରର ଗୁଜୁରାଣ ମେଣ୍ଟାଉଥିବା କୃଷ୍ଣଚନ୍ଦ୍ର ଏକ ସଡ଼କ ଦୁର୍ଘଟଣା ପରଠାରୁ ରୋଜଗାର ହରାଇଥିଲେ।

ମା’ ପରଘରେ ରୋଷେଇ କରି ଯାହା କିଛି ସ୍ବଳ୍ପ ରୋଜଗାର କରୁଥିଲେ, ତାହା ଘର ଖର୍ଚ୍ଚକୁ ନିଅଣ୍ଟ ହେଉଥିଲା। କିନ୍ତୁ ରୂପଶ୍ରୀ ଏସବୁକୁ ନିଘା ନଦେଇ ବିନା ଟ୍ୟୁସନ୍‌ରେ ୟୁଟ୍ୟୁବ୍‌ ସହାୟତାରେ ପଢ଼ି ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ। ବଡ଼ କଷ୍ଟରେ ୩୦ ହଜାର ଟଙ୍କା ଯୋଗାଡ଼ କରି ଭୀମଭୋଇ ସରକାରୀ ମେଡିକାଲ କଲେଜରେ ନାମ ଲେଖାଇଲେ। ତେବେ ପୂରା‌ ପାଠ୍ୟକ୍ରମ ଶେଷ କରିବା ପାଇଁ ଆବଶ୍ୟକ ଅର୍ଥ ଚିନ୍ତା ତାଙ୍କୁ ବ୍ୟସ୍ତ କରିଥିଲା। ଏନେଇ ଗତକାଲି ‘ସମ୍ବାଦ’ରେ ‘ବସ୍ତିରୁ ଭୀମ‌ଭୋଇ ମେଡିକାଲ କଲେଜ’ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା।

ବୁଧବାର କିସ୍‍ ଫାଉଣ୍ଡେସନ୍‍ ରୂପଶ୍ରୀଙ୍କ ପଛରେ ଠିଆ ହେବା ଜଣାଇଛି। ମେଡିକାଲ କଲେଜର ନାମ ଲେଖା ଖର୍ଚ୍ଚ ବାବଦ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଡାକ୍ତରୀ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ ବର୍ଷକୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନ୍‍ ପକ୍ଷରୁ ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ, ରୂପଶ୍ରୀଙ୍କ ମା’ ଇଛା କଲେ, ତାଙ୍କୁ ଯୋଗ୍ୟତା ଭିତ୍ତିରେ କିମ୍‍ସ ହସ୍‍ପିଟାଲ୍‌ରେ ନିଯୁକ୍ତି ମିଳିବ ବୋଲି କୁହାଯାଇଛି। ଏଥିପାଇଁ ରୂପଶ୍ରୀ ଓ ତାଙ୍କ ପରିବାର କିସ୍‍ ଫାଉଣ୍ଡେସନ୍‍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର