ବ୍ୟବହାର ହେଉନି ଲକ୍ଷ୍ମୀସାଗର ପୋଖରୀ

ପାଣିରେ ପଡ଼ିଲା ୪୬ ଲକ୍ଷ, କାର୍ଯ୍ୟାଦେଶରେ ଅଟକିଛି ୧୯ ଲକ୍ଷ

ଭୁବନେଶ୍ବର: ଗାଁ ପୋଖରୀର ପୁନରୁଦ୍ଧାର ପାଇଁ ୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା। ହୁଡ଼ାରେ ତିଆରି ହେଲା ପାଦଚଲା ରାସ୍ତା, ବସିବା ପାଇଁ ସିମେଣ୍ଟ ଚେୟାର୍ ତିଆରି ହେଲା, ଷ୍ଟିଲ୍‌ ରେଲିଂ ଘେରାବାଡ଼ ଲାଗିଲା, ତୁଠ ସହ ଚାରିକଡ଼ରେ ଏଲ୍‌ଇଡି ଲାଇଟ୍‌ ଝଲସିଲା। ମୋଟାମୋଟି ଉପରକୁ ଚକ୍‌ଚକ୍‌ କଲା ପୋଖରୀ। କିନ୍ତୁ ପାଣି ବ୍ୟବହାର ଉପଯୋଗୀ ହେଲା ନାହିଁ। ପାଖ ଡ୍ରେନ୍‌ ପାଣି ପୋଖରୀ ଭିତରକୁ ପଶୁଥିଲେ ବି ତାକୁ ରୋକିବା ପାଇଁ ବାଟ କରାଗଲା ନାହିଁ। ‌ଏତେ ଟଙ୍କା ଖର୍ଚ୍ଚ ହେଲା ପରେ ପାଣିର ଅବସ୍ଥା ପୂର୍ବଭଳି କଦର୍ଯ୍ୟ ରହିବାରୁ ଗାଁରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଲା। ଲୋକଙ୍କ ଅଶାନ୍ତି କାରଣରୁ ପୁଣି ୧୯ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଗଲା। ଠିକାଦାରକୁ କାର୍ଯ୍ୟାଦେଶ ମିଳିଲା। କିନ୍ତୁ ଦୁଇ ବର୍ଷ ହେଲା କାର୍ଯ୍ୟାଦେଶରେ ହିଁ ଅଟକି ରହିଛି କାମ। ଏହା ହେଉଛି ବିଏମ୍‌ସି ଅନ୍ତର୍ଗତ ଲକ୍ଷ୍ମୀସାଗର ଗାଁ ପୋଖରୀ ପୁନରୁଦ୍ଧାର କାମର ଅବସ୍ଥା। କାର୍ଯ୍ୟାଦେଶ ପରେ ବି ଦୁଇ ବର୍ଷ ହେଲା କାମ ଆରମ୍ଭ ହେଉନଥିବାରୁ ପୂର୍ବରୁ ବ୍ୟୟ ହୋଇଥିବା ୪୬ଲକ୍ଷ ଟଙ୍କା ଏବେ ୪୬ପଇସାକୁ ଯୋଗ୍ୟ ନୁହେଁ ବୋଲି ଅଭିଯୋଗ ହେଉଛି।

ସୂଚନାନୁସାରେ, ବିଏମ୍‌ସି ୪୩ନମ୍ବର ୱାର୍ଡସ୍ଥିତ ଲକ୍ଷ୍ମୀସାଗର ଗାଁର ପାଖାପାଖି ୫ହଜାର ଲୋକ ଏହି ପୋଖରୀ ଉପରେ ନିର୍ଭର କରନ୍ତି। ଗ୍ରାମର ଆରାଧ୍ୟ ଦେବତା ନୀଳକଣ୍ଠେଶ୍ବରଙ୍କ ମନ୍ଦିର ନିକଟରେ ଥିବାରୁ ଲୋକେ ଗାଧୁଆପାଧୁଆ କରିବାଠାରୁ ଆରମ୍ଭ କରି ବିଭିନ୍ନ ପୂଜାପର୍ବାଣି ଓ ହୋମଯଜ୍ଞ ପାଇଁ ଏଠାରୁ ଜଳ ସଂଗ୍ରହ କରନ୍ତି। ମାତ୍ର ଦୀର୍ଘ ବର୍ଷ ଧରି ପୁନରୁଦ୍ଧାର ନ ହେବାରୁ ଏହାର ଜଳ ଅପରିଷ୍କାର ହୋଇପଡ଼ିଲା। ନିକଟସ୍ଥ ଡ୍ରେନ୍‌ରୁ ଜଳ ଉଛୁଳି ପୋଖରୀରେ ପଶିବାରୁ ପାଣି ବେଶି କଦର୍ଯ୍ୟ ହୋଇଗଲା। ତେଣୁ ଏହାର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହେବାରୁ ୨୦୧୬ ମସିହାରେ ୪୬ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। କିନ୍ତୁ ଏହି କାମ କେବଳ ସୌନ୍ଦର୍ଯ୍ୟୀକରଣରେ ସୀମିତ ରହିଗଲା। ଉପରକୁ ଚିକ୍କଣ ଦେଖାଗଲା ସିନା ପାଣି ଯେମିତି ଥିଲା ସେମିତି ରହିଗଲା। ବର୍ଷା ଦିନରେ ନିକଟସ୍ଥ ଡ୍ରେନ୍‌ ଜଳ ପୋଖରୀ ଭିତରକୁ ପଶିଲା। ଫଳରେ ଏବେ ଏହି ଜଳ ଉପରେ ଏକ ହଳଦିଆ ଆସ୍ତରଣ ଜମି ରହିଛି ଓ ପାଣିରୁ ଦୁର୍ଗନ୍ଧ ବାହାରୁଛି। ବ୍ୟୟ ହୋଇଥିବା ୪୬ ଲକ୍ଷ ଟଙ୍କାରେ ଏକ ବୋରିଂ କରାଯାଇଥିଲା। ଏହା ଦ୍ବାରା ପୋଖରୀର ଜଳ ନିଷ୍କାସନ ହେବ ବୋଲି ବ୍ୟବସ୍ଥା ଥିଲା। ମାତ୍ର ତାହା ଏବେ କାମ କରୁନାହିଁ।

ଲକ୍ଷ୍ମୀସାଗର ଗ୍ରାମ୍ୟ ବିକାଶ କମିଟିର ସମ୍ପାଦକ ରମାକାନ୍ତ ସାହୁଙ୍କ କହିବାନୁସାରେ, ଏତେ ଟଙ୍କା ଖର୍ଚ୍ଚ ହେଲା ସିନା ରକ୍ଷଣାବେକ୍ଷଣା କରାଗଲା ନାହିଁ। ବଡ଼ କଥା ହେଉଛି ପାଣି ପରିଷ୍କାର ରଖିବା ପାଇଁ ଉପଯୁକ୍ତ କାମ ହେଲା ନାହିଁ। ତେଣୁ ପୁଣି ଦାବି ହେବାରୁ ୧୯ ଲକ୍ଷ ଟଙ୍କା ମଞ୍ଜୁର କରାଗଲା। କାମ ବିଳମ୍ବ ହେବାରୁ ଗ୍ରାମବାସୀମାନେ ସୂଚନା ଅଧିକାରୀ ଆଇନ ସାହାଯ୍ୟରେ ତଥ୍ୟ ମାଗିଲେ। ସୂଚନା ମିଳିଲା ଯେ ୨୦୧୯ ମସିହାରୁ ଏହି ଅର୍ଥ ମଞ୍ଜୁର ହୋଇଛି ଓ ଟେଣ୍ଡର ପ୍ରକ୍ରିୟା ସିରିଛି। ଠିକାସଂସ୍ଥାକୁ ମଧ୍ୟ କାର୍ଯ୍ୟାଦେଶ ଦିଆଯାଇଛି। ଏମିତିକି ତିନି ମାସ ଭିତରେ କାମ ଆରମ୍ଭ ହେବ ବୋଲି ଉକ୍ତ ତଥ୍ୟରେ ଉଲ୍ଲେଖ ଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ପଇସାଟିଏ ଖର୍ଚ୍ଚ ହୋଇନାହିଁ। କମିଟିର ସଭାପତି ପ୍ରଶାନ୍ତ ପରିଡ଼ାଙ୍କ କହିବାନୁସାରେ, ଏ ପୋଖରୀ ଆମ ଗ୍ରାମର ୫ ହଜାର ଲୋକଙ୍କ ଭାବବେଗ ସହିତ ଜଡ଼ିତ। ଅବହେଳା କରି ବିଏମ୍‌ସି ଆମ ଲୋକଙ୍କ ଆବେଗ ସହ ଖେଳୁଛି। ତୁରନ୍ତ କାମ ଆରମ୍ଭ ନହେଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଶ୍ରୀ ପରିଡ଼ା କହିଛନ୍ତି।

ସମ୍ବନ୍ଧିତ ଖବର