ଆସୁଛି ଦୀପାବଳି: ଏକାମ୍ର ହାଟରେ ଦୀପର ପସରା, ଆକର୍ଷିତ କରୁଛି ମ୍ୟାଜିକ୍‌ ଦୀପ

ଚାହିଦାରେ ହାତୀ, ମୟୂର ଓ ଝୁମୁକା ଦୀପ, ଭ୍ୟାନିଟି କୁମ୍ପିରେ ପିଲାଙ୍କ ମନ

ଭୁବନେଶ୍ବର: ମାଟି ସାମଗ୍ରୀକୁ ନେଇ ଏକାମ୍ର ହାଟରେ ବିଶାଳ ସମ୍ଭାର। ଦୀପାବଳିକୁ ଆଉ ଦିନ କେଇଟା ରହିଥିବା ବେଳେ ମାଟି ବା ଟେରାକୋଟା ସାମଗ୍ରୀରେ ଭରପୂର ହୋଇଯାଇଛି ଏକାମ୍ର ହାଟର ‘ଏକାମ୍ର ବଜାର’। ମାଟି ଦୀପଠାରୁ ଆରମ୍ଭ କରି ମାଟି ହାଣ୍ଡି, ମାଟି ଦହି ହାଣ୍ଡି, ମାଟି କୁମ୍ପି, ମାଟି ପାଣି ବୋତଲ, ଦୀପଦାନୀ, ଦୀପଷ୍ଟାଣ୍ଡ, ୱାଲ ହ୍ୟାଙ୍ଗିଙ୍ଗଠାରୁ ଆରମ୍ଭ କରି ବିଭିନ୍ନ ଘରସଜ୍ଜା ସାମଗ୍ରୀରେ ଭର୍ତି ହୋଇଯାଇଛି ଏକାମ୍ର ବଜାର। ଏଥିରେ ଆକର୍ଷିତ ହୋଇ ରାଜଧାନୀବାସୀ ପ୍ରତିଦିନ ଢେର୍‌ ସଂଖ୍ୟାରେ ଭିଡ଼ ଜମାଉଛନ୍ତି। ତେବେ ଦୀପାବଳିକୁ ନଜରରେ ରଖି କୁମ୍ଭକାରମାନେ ଦୀପ ଉପ‌ରେ ଅଧିକ ଗୁରୁତ୍ବ ଦେଇଛନ୍ତି। ଭିନ୍ନଭିନ୍ନ ଡିଜାଇନ୍‌ ଓ ରଙ୍ଗର ଦୀପ କରି ଗ୍ରାହକଙ୍କ ମନ ଜିଣୁଛନ୍ତି।

ମାଟି କାରିଗରମାନଙ୍କ ସାମଗ୍ରୀର ବିକ୍ରିବଟା ତଥା ଦୀପାବଳି ପାଇଁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ, ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ(ସିଡାକ୍‌) ତଥା ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଏହି ସ୍ୱତନ୍ତ୍ର ଟେରାକୋଟା ପ୍ରଦର୍ଶନୀର ଆୟୋଜନ କରାଯାଇଛି। ଏଥିପାଇଁ ୬୬ଟି ଷ୍ଟଲରେ ୧୦୯ଜଣ କାରିଗର ପସରା ଖୋଲିଛନ୍ତି। କାରିଗରମାନେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀରେ ନିଜ ସାମଗ୍ରୀ ବିକ୍ରିବଟା କରିପାରିବେ। କେଉଁଝର, ଯାଜପୁର, ରାୟଗଡ଼ା, ବଲାଙ୍ଗୀର, ଜଗତସିଂହପୁର, ଭଦ୍ରକ, ସମ୍ବଲପୁର, ବରଗଡ଼, ଖୋର୍ଧା, ନବରଙ୍ଗପୁର, କୋରାପୁଟ, ଢେଙ୍କାନାଳ ଓ ମୟୁରଭଞ୍ଜ ପ୍ରମୁଖ ଜିଲ୍ଲାର ଟେରାକୋଟା କାରିଗରମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି। ପ୍ରଦର୍ଶନୀରେ ବିଭିନ୍ନ ଡିଜାଇନ୍‌ର ଘରସଜ୍ଜା ସାମଗ୍ରୀ ଯଥା ଦୀପଷ୍ଟାଣ୍ଡ, ୱାଲ୍‌ ହ୍ୟାଙ୍ଗିଙ୍ଗ, ଫୁଲକୁଣ୍ଡ, ଫୁଲଦାନୀ, କୁମ୍ପି, ମାଟି ଘୋଡ଼ା, ହାତୀ, ଲ୍ୟାମ୍ପ, ଗୃହସଜ୍ଜା ଓ ଘରକରଣା ସାମଗ୍ରୀ ଉପଲବ୍ଧ ରହିଛି। ଏହି ପ୍ରଦର୍ଶନୀ ପ୍ରତ୍ୟେକ ଦିନ ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହୁଛି। ଏଥିସହ ଏକାମ୍ର ହାଟ ମଧ୍ୟରେ ରହିଥିବା ୧୦ଟି ଫୁଡ୍‌ଷ୍ଟଲ୍‌ ଗ୍ରାହକମାନଙ୍କ ଓଡ଼ିଆ ପାରମ୍ପରିକ ଖାଦ୍ୟର ଚାହିଦାଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟର ତଥା ପାଶ୍ଚାତ୍ୟ ଖାଦ୍ୟର ଚାହିଦା ପୂରଣ କରିବା‌ରେ ସକ୍ଷମ ହେଉଛି।

ଆକର୍ଷିତ କରୁଛି ମ୍ୟାଜିକ୍‌ ଦୀପ
ଦୀପ ଦୀପାବଳିର ମୁଖ୍ୟ ଆକର୍ଷଣ। କିନ୍ତୁ ଏକାମ୍ର ବଜାରରେ ବିକ୍ରି ହେଉଥିବା ମ୍ୟାଜିକ୍‌ ଦୀପ ଆକର୍ଷଣର କେନ୍ଦ୍ର ପାଲଟିଛି। ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ଏହି ଦୀପ ଗୋଲାକାର ଆକୃତିର ହୋଇଥିବା ବେଳେ ଚାରିପଟୁ ନିବୁଜ। ଏହାର ତଳେ ଏକ କଣା ରହିଛି। ତାହା ମଧ୍ୟ ଦେଇ ଏହି ମ୍ୟାଜିକ୍‌ ଦୀପରେ ତେଲ ବା ଘିଅ ଭର୍ତି କରାଯାଏ। ପରେ ଦୀପକୁ ଓଲଟାଇଲେ ବି ସେହି ରାସ୍ତାରେ ତେଲ ବୋହିବ ନାହିଁ। ତେଲ ଭର୍ତି ହେବା ପରେ ଏହାକୁ ଓଲଟାଇ ଦୀପର ପାର୍ଶ୍ବରେ ଥିବା ଏକ କଣାରେ ସଳିତା ଭର୍ତି କରି ଦୀପ ଲଗାଯାଏ। ଏଭଳି ଏକ ନିଆରା ଦୀପ କିଣିବାକୁ ଭିଡ଼ ଲାଗୁଛି। ସମ୍ବଲପୁରରୁ ଆସିଥିବା କୁମ୍ଭକାର ଧରଣୀଧର ରଣା କହିଛନ୍ତି, ମୁଁ ୪୦୦ଟି ଏଭଳି ଦୀପ ଆଣିଥିବା ବେଳେ ମାତ୍ର ୨ଦିନରେ ଆଉ ୩୦ରୁ ୪୦ଟି ମୋ ପାଖରେ ରହିଛି। ଏହାର ଦାମ୍‌ ୫୦ଟଙ୍କା ହୋଇଥିବା ବେଳେ ଏଥିରେ ୨୫୦ ମିଲି ତେଲ ରହିପାରିବ। ଏହି ମ୍ୟାଜିକ ଦୀପ ପାଖାପାଖି ୧୫ଘଣ୍ଟା ଧରି ଜଳିବ ବୋଲି ସେ କହିଛନ୍ତି।

ଚାହିଦାରେ ହାତୀ, ମୟୂର ଓ ଝୁମୁକା ଦୀପ
ଲୋକଙ୍କ ମଧ୍ୟରେ ହାତୀ ଦୀପର ମଧ୍ୟ ଚାହିଦା ଦେଖିବାକୁ ମିଳୁଛି। ହାତୀ ଉପରେ ଦୀପ, ହାତୀ ଚତୁର୍ପାର୍ଶ୍ବରେ ପଞ୍ଚମୁଖୀ ଦୀପ, ହାତୀ ଶୁଣ୍ଢରେ ଦୀପଠାରୁ ଆରମ୍ଭ କରି ହାତୀକୁ ଏଥର ବିଭିନ୍ନ ପ୍ରକାରେ ଦୀପ ସହ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି କୁମ୍ଭକାର। ଏଥିସହ ଗଣେଶଙ୍କୁ ମଧ୍ୟ ଦୀପ ସହ ଯୋଡ଼ିବାକୁ ଚେଷ୍ଟା କରିଛନ୍ତି। ଏହା ଘରସଜ୍ଜା ସହ ଦୀପାବଳିର ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବାରେ ସକ୍ଷମ ହେଉଥିବାରୁ ଏହାର ଚାହିଦା ଅଧିକ ରହିଥିବା କୁମ୍ଭକାର ପୂର୍ଣ୍ଣଚନ୍ଦ୍ର ବେହେରା କହିଛନ୍ତି। ଏଥିସହ ମୟୂର ଦୀନ, କୁନ୍ଦନ ଓ ଷ୍ଟୋନ୍‌ ଖଚିତ ମୟୂରପୁଚ୍ଛ ଦୀପର ଚାହିଦା ମଧ୍ୟ ଅଧିକ ରହିଛି। ଏଥିସହ ଲଣ୍ଠନ ଦୀପ ବି ଚାହିଦାରେ ରହିଛି। ତେବେ ଏ ସବୁର ଦାମ୍‌ ୩୦ ଟଙ୍କା ଲେଖାଏଁ ରହିଛି। ଏଥିସହ ଝୁମୁକା ଦୀପ, ଝୁମୁକା ଦୀପଷ୍ଟାଣ୍ଡ ବି ବେଶ୍‌ ବିକ୍ରି ହେଉଥିବା ଜଣାପଡ଼ିଛି। ସବୁର ଦାମ୍‌ ୩୦ଟଙ୍କାରୁ ଆମ୍ଭ କରି ୧୦୦୦ଟଙ୍କା ପର୍ଯ୍ୟନ୍ତ ରହିଛି।

ଭ୍ୟାନିଟି କୁମ୍ପିରେ ପିଲାଙ୍କ ମନ
ଆଜିର ଡିଜିଟାଲ୍‌ ଯୁଗରେ ଆଉ କୁମ୍ପିର ଆବଶ୍ୟକତା ପଡ଼ୁନି। କିନ୍ତୁ ଛୋଟ ଛୁଆଙ୍କୁ ମିତବ୍ୟୟୀ ଓ ଟଙ୍କା ସଞ୍ଚୟ କରିବା ଶିଖାଇବାକୁ ରାଜଧାନୀରେ ଏବେ ବି କୁମ୍ପିର ଚାହିଦା ରହିଛି। ଏଥିପାଇଁ କୁମ୍ଭକାରମାନେ ଟେରାକୋଟା ପ୍ରଦର୍ଶନୀକୁ ଭିନ୍ନଭିନ୍ନ ଧରଣର ଆକର୍ଷଣୀୟ କୁମ୍ପି ନେଇ ଆସିଛନ୍ତି। ବାଇଗଣ, କଖାରୁ, ଟମାଟୋ, ପାଣିକଖାରୁ, ବତକ, ହାତୀ, କଇଁଛ, ଲାଫିଙ୍ଗ୍‌ ବୁଦ୍ଧ ଆଦି ଭିନ୍ନଭିନ୍ନ ଧରଣର କୁମ୍ପି ଏକାମ୍ର ବଜାରରେ ଉପଲବ୍ଧ। ତେବେ ଏସବୁ ଭିତରେ ଚାହିଦାର ସର୍ବାଗ୍ରେ ରହିଛି ଭ୍ୟାନିଟି କୁମ୍ପି। ରଙ୍ଗବେରଙ୍ଗର ଭ୍ୟାନିଟି ସହ କୁନ୍ଦନ, ଷ୍ଟୋନ୍‌, ମୋତି ଓ ମାଳି ଖଚିତ ଭ୍ୟାନିଟି କୁମ୍ପି ଏବେ ଛୁଆମାନଙ୍କୁ ବେଶି ଆକର୍ଷିତ କରୁଛି। ଏହାର ଦାମ୍‌ ୧୦୦ ଟଙ୍କାରୁ ୧୫୦ ଟଙ୍କା ମଧ୍ୟରେ ରହିଛି।

ପେଟ ଥଣ୍ଡା କରୁଛି ମା‌ଟିନିର୍ମିତ ପାଣି ବୋତଲ
ମାଟି ପାତ୍ରରେ ଥିବା ପାଣି ପିଇଲେ ଅନେକ ପେଟ ରୋଗ ଭଲ ହୋଇଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ତେଣୁ ରାଜଧାନୀରେ ମାଟି ସୁରେଇ, ମାଟି ହାଣ୍ଡି, ମାଟି ସୁରେଇ ଫିଲ୍‌ଟର୍‌ର ଯଥେଷ୍ଟ ଚାହିଦା ରହିଛି। କିନ୍ତୁ ଏକାମ୍ର ବଜାରରେ ବିକ୍ରି ହେଉଥିବା ମାଟି ନିର୍ମିତ ପାଣି ବୋତଲ ସମସ୍ତଙ୍କୁ ଚକିତ କରୁଛି। ଏହି ପାଣି ବୋତଲରେ ୩ରୁ ୪ଘଣ୍ଟା ଭିତରେ ପାଣି ଥଣ୍ଡା ହୋଇଯାଉଛି। ବିଶେଷକରି ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ଏହା ପ୍ରଥମ ପସନ୍ଦ ପାଲଟିଛି। ମାତ୍ର ୩ଦିନ ଭିତରେ ୧୦୦ରୁ ଅଧିକ ମାଟି ପାଣି ବୋତଲ ବିକ୍ରି ହୋଇଥିବା କହିଛନ୍ତି ଦୋକାନୀ କୈଳାସ କୁମାର। ଏହାର ଦାମ୍‌ ୧୦୦ ଟଙ୍କା ଲେଖାଏ ରହିଛି।

ସମ୍ବନ୍ଧିତ ଖବର