ଭୁବନେଶ୍ୱର: ବର୍ଷକ ପରେ ଆନନ୍ଦ, ଉଦ୍ଦୀପନା ଓ ମଉଜ ମଜଲିସ୍‌ ନେଇ ଆସିଛି ଗଣପର୍ବ ରଜ। ବନସ୍ତେ ଡାକିଲା ଗଜ..., ରଜ ଦୋଳି କଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ... ଭଳି ଲୋକପ୍ରିୟ ରଜ ଗୀତରେ କମ୍ପୁଥିଲା ପରିବେଶ। ପାଦରେ ଅଳତା, ମଥାରେ ଟିକିଲି, କୁଙ୍କୁମ, ନୂଆ ପୋଷାକ ସାଙ୍ଗକୁ ଦୋଳି ଖେଳର ମଜାରେ ଝିଅମାନେ ମସଗୁଲ ହୋଇଥିଲେ। ପର୍ବକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ, ଯୁବକ ସଂଘ ପକ୍ଷରୁ ଆୟୋଜନ କରାଯାଇଥିଲା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା, ସିନେ କଳାକାର, କଣ୍ଠଶିଳ୍ପୀ, ନୃତ୍ୟଶିଳ୍ପୀ ସମସ୍ତେ ଏହି ପର୍ବରେ ସାମିଲ ହୋଇଥିଲେ। ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ରଜପିଠା, ପାନ, ଦୋଳି ଖେଳି ଫଟୋ ଓ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ।

Advertisment

ଉତ୍ସବମୁଖର ପର୍ଯ୍ୟଟନସ୍ଥଳୀ, ସିନେମା ହଲ, ପାର୍କ
ଖରା ସତ୍ତ୍ୱେ ରଜ ପାଳନ କରିବା ପାଇଁ ବୁଲାବୁଲି ଜମିଥିଲା। ସୁସଜ୍ଜିତ ଦୋଳି ସହିତ ପୋଡ଼ପିଠା ସମେତ ଅନ୍ୟ ପିଠାପଣା ପାନ୍ଥନିବାସ, ରାଜ୍ୟ ସଂଗ୍ରହାଳୟ ଓ ରଜ ମହୋତ୍ସବ ପଡ଼ିଆଗୁଡ଼ିକରେ ଝିଅମାନଙ୍କୁ ବାନ୍ଧି ରଖିଥିଲା। ରଜ ପାଇଁ ରାଜ୍ୟ ସଂଗ୍ରହାଳୟ ଦେୟମୁକ୍ତ ଥିବାରୁ ୧୦ ହଜାରରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କ ସମାଗମ ହୋଇଥିଲା। ସେହିପରି ପଠାଣୀ ସାମନ୍ତ ପ୍ଲାନେଟୋରିୟମରେ ୧୧ଟି ସୋ’ରେ ପ୍ରାୟ ୧୧୪୨ ଜଣ ପର୍ଯ୍ୟଟକ ସୋ’ ଦେଖିଥିଲେ। ସେହିପରି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ନୂଆ କରି ହୋଇଥିବା ଡାଇନୋସୋର ପାର୍କ, ଜ୍ଞାନବୃତ୍ତ ଦେଖିବା ପାଇଁ ୨୫୦୦ ପର୍ଯ୍ୟଟକ ଆସିଥିଲେ। ସେହିପରି ଆନନ୍ଦବନରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହିତ ପଶା, ବାଘଛେଳି, ଡାଇପୁଆ, କଉଡ଼ି, ଶଙ୍ଖଖୋଳ ପରି ଖେଳର ମଜା ନେଇଥିଲେ ଦର୍ଶକ। ଏଠାରେ ୧୩୦୦ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ଯୋଗ ଦେଇଥିଲେ। ସହରର ସବୁ ବଡ଼ ଓ ଛୋଟ ପାର୍କରେ ମଧ୍ୟ ଜନ ସମାଗମ ହୋଇଥିଲା। ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା। ରଜ ପାଇଁ ସିନେମା ହଲ୍‌ରେ ଦର୍ଶକଙ୍କ ବହୁଳ ସମାଗମ ଘଟିଥିଲା। ବିଶେଷ କରି ବାବୁସାନଙ୍କ ‘ବୋଉ, ବୁଟୁ, ଭୂତ’ର ସମସ୍ତ ଟିକେଟ ବୁକିଂ ହୋଇଯାଇଥିବାରୁ ଦର୍ଶକ ନିରାଶ ହୋଇ ଫେରିଥିଲେ। ସନ୍ଧ୍ୟାରେ ନୂଆପଲ୍ଲୀ, ସହିଦନଗର, ବରମୁଣ୍ଡା, ଘାଟିକିଆ, ଝାରପଡ଼ା ଆଦି ପଡ଼ିଆରେ ଅନୁଷ୍ଠିତ ହୋଇଥିବା ରଜ ମହୋତ୍ସବରେ ପାରମ୍ପରିକ ଦୋଳି ଠାରୁ ଆରମ୍ଭ କରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଦର୍ଶକ।

ସଂଭାବନାର ରଜ ମଉଜ

ଭୁବନେଶ୍ୱର: ପହିଲି ରଜ ସନ୍ଧ୍ୟାରେ ସଂଭାବନା ଓଡ଼ିଆଣୀ ସମିତି ପକ୍ଷରୁ ଗୀତଗୋବିନ୍ଦ ସଦନରେ ‘ରଜ ମଉଜ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉତ୍ସବରେ ମହିଳାମାନେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ପୋଡ଼ପିଠା ଓ ରଜପାନ ପ୍ରଦର୍ଶିତ ହୋଇଥିଲା। ଅତିଥି ଭାବେ ବିଶିଷ୍ଟ ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ ରାଜୀବ ଶେଖର ସାହୁ, ୨୦୨୫ର ଶ୍ରେଷ୍ଠ ଓଡ଼ିଆଣୀ ରୀତା ଶଙ୍ଖୁଆ, ସମାଜସେବୀ କସ୍ତୁରିକା ପଟ୍ଟନାୟକ, ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର, ସମ୍ପାଦକ ଦେବପ୍ରସାଦ ପରିଜା, ଓଡ଼ିଆଣୀ ସମିତିର ସଭାନେତ୍ରୀ ସୌଦାମିନୀ ସାମଲ, ସମ୍ପାଦିକା ରେଖା ସାହୁ ଯୋଗଦେଇଥିଲେ।

କବିତା ପାଠୋତ୍ସବରେ ବନ୍ଦିତା ଦାସ, ସ୍ୱର୍ଣ୍ଣଲତା ତ୍ରିପାଠୀ, ରୀତାଞ୍ଜଳି ମିଶ୍ର, ସୁଜାତା ମହାନ୍ତି ଅଂଶଗ୍ରହଣ କରିଥିଲେ। ପଲ୍ଲୀଗୀତ ସହିତ ବହୁ ମନଛୁଆଁ ଓଡ଼ିଆ ସଂଗୀତ ପରିବେଷଣ କରିଥିଲେ। ପଦ୍ମାଳୟା ଶତପଥୀ, ରେଖା ସାହୁ, ମାନସୀ ରାଉତରାୟ, ବୈଜୟନ୍ତୀ ଦାସ, ବନ୍ଦିତା ଦାସ, ସ୍ୱର୍ଣ୍ଣଲତା ତ୍ରିପାଠୀ, ଲକ୍ଷ୍ମୀପ୍ରିୟା ତ୍ରିପାଠୀ, ରତ୍ନମଞ୍ଜରୀ ସାମନ୍ତରାୟ, ବାସନ୍ତୀ ସାହୁ ପ୍ରମୁଖ ‘ବନସ୍ତେ ଡାକିଲା ଗଜ...’ ବୃନ୍ଦଗାନ ପରିବେଷଣ କରିଥିଲେ। ବିଜୟଲକ୍ଷ୍ମୀ ପତି, ଜ୍ୟୋତ୍ସ୍ନା ସେନାପତି, ନିବେଦିତା ମଲ୍ଲିକ, ସୌଦାମିନୀ ସାମଲ, ସ୍ମୃତି ମହାନ୍ତି, ନମିତା ଦାଶ, ରଶ୍ମିତା ରଥ, ମୀନା ପାଣିଗ୍ରାହୀ, ରୀତାଞ୍ଜଳି ମିଶ୍ର, ବିପୁଲ, ସିଦ୍ଧାନ୍ତ, ବିଜୟଲକ୍ଷ୍ମୀ ସା, କାଦମ୍ବିନୀ ପାଲ, ଅସ୍ମିତା ପାଣିଗ୍ରାହୀ, ଅନିତା ବେହେରା ପ୍ରମୁଖ ଲୋକପ୍ରିୟ ଓଡ଼ିଆ ସଙ୍ଗୀତ ପରିବେଷଣ କରିଥିଲେ। ସଂଭାବନାର ଯୁଗ୍ମ ସଂପାଦିକା ମୀନାକ୍ଷୀ ପଟ୍ଟନାୟକ, ପ୍ରଫୁଲ୍ଲ ଦେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।