ଭୁବନେଶ୍ୱର: ମାତୃଭାଷା ହେଉଛି ସମ୍ପର୍କର ଭାଷା। ଏହାକୁ ସୁଦୃଢ଼ କରିବାକୁ ହେଲେ, ଆମକୁ ତୃଣମୂଳସ୍ତରକୁ ଯିବାକୁ ପଡ଼ିବ। ଆମେ ସମସ୍ତେ ସଂକଳ୍ପବୋଧ ହେବା ଏବଂ ଆମ ମାତୃଭାଷାର ବ୍ୟବହାର ବଢ଼େଇବା। ଏହି ଗୁରୁଦାୟିତ୍ବ ତୁଲାଇ ପାରିଲେ, ଆମେ ଆମ ମାତୃଭାଷା ପାଇଁ କିଛି କଲେ ବୋଲି କୁହାଯିବ। ସଂଭାବନା ପକ୍ଷରୁ ଆୟୋଜିତ ବିଶ୍ୱ ମାତୃଭାଷା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ ଏହା କହିଛନ୍ତି। କ୍ଷୋଭ ପ୍ରକାଶ କରି ସେ ଆହୁରି କହିଥିଲେ ଯେ ଶିକ୍ଷା, ନିଯୁକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ମାତୃଭାଷାକୁ ଗୁରୁତ୍ବ ଦିଆଯାଉନାହିଁ। ଏତେ ବର୍ଷ ବିତିଯାଇଥିଲେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆଜି ଯାଏ ନିର୍ମାଣ ହୋଇପାରିଲା ନାହିଁ।
କାର୍ଯ୍ୟକ୍ରମର ମୁଖ୍ୟବକ୍ତା ସାହିତ୍ୟିକ ଦାଶ ବେନହୁର କହିଲେ ଯେ ପୃଥିବୀର ପ୍ରତ୍ୟେକ ପଦାର୍ଥ, ବସ୍ତୁ, ଜୀବଜନ୍ତୁ ଆଦିଙ୍କର ଭାଷା ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଷା ହେଉଛି ସାଂକେତିକ ଭାଷା। ଏହାପରେ ହେଉଛି ମାତୃଭାଷା। ଏହାର ସଂଜ୍ଞା ନିରୂପଣ କରିବା ବେଶ୍ କଷ୍ଟ। ବର୍ତ୍ତମାନ ଭାଷା ଏକ ଭାବ ନ ହୋଇ ଏକ ସମ୍ବଳ ହୋଇପଡ଼ିଛି। ଯେତେବେଳେ ଯେଉଁ ଭାଷାର ଦରକାର ପଡ଼ୁଛି, ଆମେ ତାହା ଶିକ୍ଷା ଲାଭ କରୁଛେ। ତେଣୁ ତଥାକଥିତ ଆମ ମାତୃଭାଷାର ବିକାଶ ବାଧାପ୍ରାପ୍ତ ହେଉଛି। ଆମେ ଯଦି ଓଡ଼ିଶାରେ ରହି ଓଡ଼ିଆ ଜୀବନଶୈଳୀକୁ ନ ଅପଣାଇଛେ, ସେ ପର୍ଯ୍ୟନ୍ତ ଭାଷା ଉନ୍ନତି କରିପାରିବ ନାହିଁ। ଯେପର୍ଯ୍ୟନ୍ତ ଆମେ ଭାଷାକୁ ଜ୍ଞାନର ଭାଷା, ରୋଜଗାରର ଭାଷା, ଗୌରବର ଭାଷା ବୋଲି ବହୁଧା ବିଭକ୍ତ କରିନାହାନ୍ତି, ସେ ପର୍ଯ୍ୟନ୍ତ ଆମ ମାତୃଭାଷାର ଗୁରୁତ୍ୱ ବଢ଼ିପାରିବ ନାହିଁ। ଅନ୍ୟତମ ଅତିଥି ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବାହାର ଦେଶରେ ଓଡ଼ିଆ ଭାଷା ପ୍ରୀତି ବଢ଼ିଛି ବୋଲି କହିଥିଲେ। ଏହି ଅବସରରେ କବୀ ତନ୍ଦ୍ରଳସା ଦାସ କିଛି ପ୍ରସିଦ୍ଧ କବିଙ୍କ ପଙ୍କ୍ତି ଆବୃତ୍ତି କରିଥିବା ବେଳେ ସୌଦାମିନୀ ସାମଲ, ବିଦ୍ୟୁଲତା ବେହେରା ସ୍ବରଚିତ କବିତା ଓ ରଶ୍ମି ସାହୁ ନିଜ ଆଲେଖ୍ୟ ପାଠ କରିଥିଲେ। ଦେବ ପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସଭାପତି ଶରତ ଚନ୍ଦ୍ର ଭଦ୍ର ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି, ରାଜଶ୍ରୀ ଶତପଥୀ, ରଶ୍ମି ସାହୁ, ରେଖା ସାହୁ ଆଦି ସହଯୋଗ କରିଥିଲେ।