ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁରରେ ନିର୍ମାଣ ହେବ ରାଜ୍ୟର ସବୁଠାରୁ ବଡ଼ ସମ୍ମିଳନୀ କକ୍ଷ। ଏଥିରେ ଗୋଟିଏ ସମୟରେ ଏକାଧିକ ବୈଠକ ହେବା ସହ ପ୍ରାୟ ୧୦ ହଜାର ଲୋକ ବସିବାର କ୍ଷମତା ରହିବ। ଅତ୍ୟାଧୁନିକ ସୁବିଧା ସହ ୪ ହଜାର ଲୋକ ବସିବା କ୍ଷମତା ବିଶିଷ୍ଟ ସମ୍ମିଳନୀ କକ୍ଷ ରହିବ। ଏହାବ୍ୟତୀତ ୬ରୁ ଅଧିକ ମଧ୍ୟମ ଓ ଛୋଟ ଛୋଟ ସମ୍ମିଳନୀ କକ୍ଷ ମଧ୍ୟ ପ୍ରତିଷ୍ଠା ହେବ। ଶହେ ଲୋକ ବସିବା କ୍ଷମତା ବିଶିଷ୍ଟ ୪ଟି ଛୋଟ ଛୋଟ ସମ୍ମିଳନୀ କକ୍ଷ ମଧ୍ୟ ରହିବ। ୧୮ ଏକର ପରିମିତ ଜମିରେ ପିପିପି ମୋଡ୍‌ରେ ଏହି ପ୍ରକଳ୍ପ ନିର୍ମାଣ କରିବାକୁ ଓଡ଼ିଶା ବ୍ରିଜ୍‌ କନ୍‌ଷ୍ଟ୍ରକ୍ସନ୍‌ କର୍ପୋରେସନ(ଓବିସିସି) ପକ୍ଷରୁ ଟ୍ରାଞ୍ଜାକ୍ସନ୍‌ ଉପଦେଷ୍ଟା ଚୟନ ପାଇଁ ଆରଏଫ୍‌ପି(ରିକ୍ୟୁଏଷ୍ଟ ଫର୍‌ ପର୍ପୋଜାଲ୍‌) ଜାରି ହୋଇଛି। 
ଚନ୍ଦ୍ରଶେଖରପୁରସ୍ଥିତ ଓମ୍‌ଫେଡ୍‌ର ପୁରୁଣା ଉତ୍ପାଦନ କେନ୍ଦ୍ର ସହ ଏହା ନିକଟରେ ଥିବା ସରକାରୀ ଜମିକୁ ମିଶାଇ ଏହି  ବିଶ୍ବସ୍ତରୀୟ ପ୍ରକଳ୍ପର ପରିକଳ୍ପନା କରାଯାଇଛି। ସମ୍ମିଳନୀ କକ୍ଷ ନିର୍ମାଣ ଦ୍ବାରା ଓଡ଼ିଶା ଆର୍ଥିକ, ବାଣିଜ୍ୟିକ, ପର୍ଯ୍ୟଟନ ଓ ସାଂସ୍କୃତିକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ଏବଂ ଜାତୀୟ ତଥା ଅର୍ନ୍ତଜାତୀୟ ମାନ କାର୍ଯ୍ୟକ୍ରମ କରାଯାଇପାରିବ ବୋଲି ଦର୍ଶାଯାଇଛି। 

Advertisment

୧୦ ହଜାର ଲୋକ ବସିବାର ବ୍ୟବସ୍ଥା ରହିବ
୧୮ ଏକର ଜମିରେ ନିର୍ମାଣ ହେବ
ଓମ୍‌ଫେଡ୍‌ ଉତ୍ପାଦନ କେନ୍ଦ୍ର ଜମି ଚିହ୍ନଟ ହୋଇଛି

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସମ୍ମିଳନୀ କକ୍ଷ ନିକଟରେ ପିପିପି ମୋଡ୍‌ରେ ତିନି ତାରକା ବିଶିଷ୍ଟ ତିନୋଟି ହୋଟେଲ ନିର୍ମାଣ କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇ ଦେବେ। ଏହାଦ୍ବାରା ଯେଉଁ ଅତିଥିମାନେ ସମ୍ମିଳନୀରେ ଯୋଗଦେବାକୁ ଆସିବେ ସେମାନେ ତାରକା ହୋଟେଲରେ ରହିପାରିବେ। ପ୍ରସ୍ତାବିତ ପ୍ରକଳ୍ପ ନିକଟରେ ରେଳ ପ୍ରେକ୍ଷାଳୟ ଓ ଷ୍ଟାଡିୟମ୍‌ ରହିଥିବାରୁ ତାହା ମଧ୍ୟ ବେଶ୍‌ ସହାୟକ ହେବ। ଯୋଜନା ଅନୁଯାୟୀ ସମ୍ମିଳନୀ କକ୍ଷର ପ୍ରଥମ ମହଲାରେ ୪ ହଜାର ବିଶିଷ୍ଟ ପ୍ଲେନାରି ହଲ୍‌ ରହିବ। ଏଥିସହ ୧୨୦୦ ସିଟ୍‌ ବିଶିଷ୍ଟ ଗୋଟିଏ ବୈଠକ ହଲ୍‌, ୧୦୦୦ ସିଟ୍‌ ବିଶିଷ୍ଟ ଦୁଇଟି ବୈଠକ ହଲ୍‌, ୧୦୦ ସିଟ୍‌ ବିଶିଷ୍ଟ ୪ଟି ଛୋଟ ଛୋଟ ସମ୍ମିଳନୀ କକ୍ଷ/ବିଜନେସ୍‌ ସେଣ୍ଟର ରହିବ। ଗ୍ରାଉଣ୍ଡ ଫ୍ଲୋର୍‌ରେ  ୫୦ ହଜାର ବର୍ଗ ଫୁଟ୍‌ର ଏକ ଇନ୍‌ଡୋର ପ୍ରଦର୍ଶନୀ କକ୍ଷ ଏବଂ ୨୫ରୁ ୩୦ ହଜାର ଲୋକଙ୍କ ପାଇଁ ଆଉଟ୍‌ଡୋର୍‌ ପ୍ରଦର୍ଶନୀ ସୁବିଧା ଉପଲବ୍ଧ ହେବ। ପରିଦର୍ଶକ ଓ ଅଧିକାରୀଙ୍କ କାର୍‌ ପାର୍କିଂ ସୁବିଧା ସହ ଇଣ୍ଟରନାଲ୍‌ ରୋଡ୍‌, ପାର୍କିଂ ସ୍ଥାନ, ସୁରକ୍ଷା, ଏସି ବ୍ୟବସ୍ଥା, ଲାଣ୍ଡସ୍କେପିଂ ପରି ବିଭିନ୍ନ ପ୍ରକାର ସୁବିଧା ଏହା ଭିତରେ ରହିବ। ଟ୍ରାଞ୍ଜାକ୍ସନ୍‌ ଉପଦେଷ୍ଟା ଚୟନ ପରେ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିବେ ଏବଂ ତାହାରି ଆଧାରରେ ଚୂଡ଼ାନ୍ତ ଟେଣ୍ଡର ପ୍ରକ୍ରିୟା କରାଯିବ ବୋଲି ଓବିସିସି ପକ୍ଷରୁ ସୂଚନା ମିଳିଛି।