ମିଳିତ ଜାତିସଂଘରେ ପ୍ରଦର୍ଶିତ ହେଲା ‘ଦି ଲାଷ୍ଟ୍‌ କଲର’

ଭୁବନେଶ୍ବର: ଚଳଚ୍ଚିତ୍ର ପ୍ରଯୋଜନାରେ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଡକ୍ସନ୍‌ ହାଉସ୍‌ ଦ୍ବାରା ନିର୍ମିତ ‘ଦି ଲାଷ୍ଟ୍‌ କଲର୍‌’ ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଦର୍ଶିତ ହୋଇଛି। ହାତଗଣତି କେତୋଟି ଭାରତୀୟ ଚଳଚ୍ଚିତ୍ର ଏହିଭଳି ଏକ ମର୍ଯ୍ୟାଦାଜନକ ସ୍ଥାନରେ ପ୍ରଦର୍ଶିତ ହେବାର ସୁଯୋଗ ପାଇଥିବା ବେଳେ ଦି ଲାଷ୍ଟ୍‌ କଲର ପ୍ରଦର୍ଶିତ ହେବା ଗୌରବର ବିଷୟ। ଷ୍ଟାର୍‌ ସେଲେବ୍ରିଟି ସେଫ୍‌ ବିକାଶ ଖାନ୍ନାଙ୍କ ଲିଖିତ ଓ ନିର୍ଦେଶିତ ଏହି ଚଳଚ୍ଚିତ୍ର ଚଳିତବର୍ଷ ୩୦ତମ ବାର୍ଷିକ ପାମ୍‌ ସ୍ପ୍ରିଙ୍ଗ୍‌ସ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରିମିୟର ହୋଇଥିଲା। କାନ୍‌ସ ଚଳଚ୍ଚିତ୍ର ଉତ୍ସବ‌ରେ ମଧ୍ୟ ଏହାର ସ୍ବତନ୍ତ୍ର ପ୍ରଦର୍ଶନ କରାଯାଇଥିଲା। ୮୬ ମିନିଟ୍‌ର ଏହି ଚଳଚ୍ଚିତ୍ରରେ ନିନା ଗୁପ୍ତା, ଆକ୍‌ସା ସିଦ୍ଦିକ୍‌ ଅଭିନୟ କରିଥିବା ବ‌େଳେ ବୃନ୍ଦାବନରେ ବିଧବାମାନଙ୍କୁ ହୋଲି ଖେଳିବା ପାଇଁ ଅନୁମତି ନଦେବା ନେଇ ସୁପ୍ରିମକୋର୍ଟର ଅଧ୍ୟାଦେଶକୁ ଭିତ୍ତିକରି ଚଳଚ୍ଚିତ୍ରଟି ନିର୍ମିତ ହୋଇଛି। ହାଉସ୍‌ ଅଫ୍‌ ଓମ୍‌କାର ବ୍ୟାନରରେ ଜିତେନ୍ଦ୍ରଙ୍କ ସହ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର ନେଇଛନ୍ତି ବିନ୍ଦୁ ଖାନ୍ନା ଓ ପୁନମ କୌଲ୍‌। ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ସହ ପ୍ରଭେଦ ବିରୋଧରେ ବାର୍ତା ଦେଇଥିବା ଏହି ଚଳଚ୍ଚିତ୍ରଟି ମିଳିତ ଜାତିସଂଘ ଓ ସ୍ପାଇସ୍‌ ଇଣ୍ଡିଆନ୍‌ କ୍ଲବ୍‌ର ମିଳିତ ସହଯୋଗରେ ଶୁକ୍ରବାର ସନ୍ଧ୍ୟା ୬ଟାରେ ପ୍ରଦର୍ଶିତ ହୋଇଛି। ଏନେଇ ଶ୍ରୀ ମିଶ୍ର କହିଛନ୍ତି ଏହା କେବଳ ମୋ ପାଇଁ ଗର୍ବ ଆଣିନି, ମୋ ସହର ଟିଟଲାଗଡ଼, ରାଜ୍ୟ ଓଡ଼ିଶା ଓ ଭାରତ ପାଇଁ ମଧ୍ୟ ଗୌରବ ଆଣିଦେଇଛି। ଏଭଳି ଏକ ସ୍ବପ୍ନର ଚଳଚ୍ଚିତ୍ର ନିର୍ମାଣ ଆକାଂକ୍ଷାକୁ ସାର୍ଥକ କରିଥିବାରୁ ବିକାଶ ଖାନ୍ନାଙ୍କ ନିକଟରେ ମୁଁ କୃତଜ୍ଞ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର