‘ଦି ଲଷ୍ଟ୍‌ ଡଟର୍’ ଏବଂ ‘ଦି ଆର୍ଟ ଅଫ ଗଡ୍’ ଲୋକାର୍ପିତ

ଭୁବନେଶ୍ବର: ଟାଇମପାସ୍‌ ପକ୍ଷରୁ ରୋଟାରି ଭବନଠାରେ ଦୁଇଟି ପୁସ୍ତକ ଲୋକାର୍ପିତ ହୋଇଯାଇଛି। ବିଶିଷ୍ଟ କଥାକାର ସୁକୁବିନାଙ୍କ ଗଳ୍ପ ସଂକଳନ ‘ଦି ଲଷ୍ଟ ଡଟର୍’ ଏବଂ କବି ପୂରବୀ ଦାସ ଓ ଅମ୍ରିତ ପଟ୍ଟନାୟକଙ୍କ ଯୁଗ୍ମ ଇଂରାଜୀ କବିତା ସଂକଳନ ‘ଦି ଆର୍ଟ ଅଫ ଗଡ୍’ର ଉନ୍ମୋଚନ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ କବି ତଥା ଅନୁବାଦକ ସଂଗ୍ରାମ ଜେନା ପୁସ୍ତକ ଦ୍ବୟର ସମୀକ୍ଷା କରି କହିଥିଲେ ‘ଦି ଆର୍ଟ ଅଫ ଗଡ୍’ରେ ଲେଖା ଯାଇଥିବା ସମସ୍ତ କବିତା ଗୁଡ଼ିକ ପାଠକଙ୍କ ହୃଦୟକୁ ଛୁଇଁବା ସହ ଏହି ପୁସ୍ତକରେ ହୋଇଥିବା ଆନିମେସନ ଗୁଡିକ ମଧ୍ୟ ଆକର୍ଷିତ କରିବ। ଯାହା ସବୁ କଥାରେ କୁହାଯାଇ ପାରେନା ତାହା କବିତା ହୋଇଯାଇପାରେ ବୋଲି ସେ କହିଥିଲେ। ‘ଦି ଲଷ୍ଟ ଡଟର୍’ ଗଳ୍ପ ବହିରେ ଗାଳ୍ପିକ ନିଜ ଜୀବନରେ ଓ ଆଖପାଖରେ ଘଟିଥିବା ସମସ୍ତ ଘଟଣାଗୁଡିକକୁ ଗଳ୍ପ ମାଧ୍ୟମରେ ଦର୍ଶାଇଛନ୍ତି ବୋଲି ସେ କହିଥିଲେ।

ଇଂରାଜୀ କବିତା ସଂକଳନ ‘ଦି ଆର୍ଟ ଅଫ ଗଡ୍’ରେ ୨୫ଟି କବିତା ସ୍ଥାନ ପାଇଥିବା ବେଳେ ସେଥିରୁ ପୂରବୀ ୨୦ଟି କବିତା ଲେଖିଛନ୍ତି ଏବଂ ଅନ୍ୟ ୫ଟି ଅମ୍ରିତ ଲେଖିଛନ୍ତି। ସେହିପରି ଗଳ୍ପ ସଂକଳନ ‘ଦି ଲଷ୍ଟ ଡଟର୍’କୁ ପୂରବୀ ମୂଳ ଓଡ଼ିଆରୁ ଇଂରାଜୀକୁ ଅନୁବାଦ କରିଛନ୍ତି। ଅନୁଷ୍କା ପରିଜା ଗଳ୍ପ ସଂକଳନରୁ କିଛି ଗଳ୍ପ ପାଠ କରିଥିଲେ। ଶ୍ରେୟା କବିତା ସଂକଳନରୁ କବିତା ପାଠ କରିଥିଲେ। ଟାଇମପାସ୍‌ର ନିର୍ଦ୍ଦେଶକ ସରୋଜ ବଳ ଅତିଥି ପରିଚୟ ଦେଇଥିବା ବେଳେ ବିଶିଷ୍ଟ ଅନୁବାଦକ ଯତୀନ୍ଦ୍ର କୁମାର ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କଥାକାର ସୁକୁବିନା, ପୂରବୀ ଦାସ, ଅମ୍ରିତ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ କଥାକାର ପବିତ୍ର ମୋହନ କର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର