ରାଜାରାଣୀ ସଙ୍ଗୀତ ମହୋତ୍ସବର ଅନ୍ତିମ ସନ୍ଧ୍ୟା: ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତରେ ଦର୍ଶକ ବିଭୋର

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ବାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବର ଆଜି ଥିଲା ଶେଷ ସନ୍ଧ୍ୟା। ଓଡ଼ିଶୀ ମର୍ଦ୍ଦଳ ବାଦକ ସଚ୍ଚିଦାନନ୍ଦ ଦାସ ଓ ପଦ୍ମଶ୍ରୀ ଏମ. ଭେଙ୍କଟେଶ କୁମାରଙ୍କ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଆସରରେ ସଙ୍ଗୀତପ୍ରେମୀମାନଙ୍କ ମଧ୍ୟରେ ଖେଳି ଯାଇଥିଲା ଅପୂର୍ବ ଶିହରଣ। ଏକାଦଶ ଶତାବ୍ଦୀର ରାଜାରାଣୀ ମନ୍ଦିରର କଳା ସ୍ଥାପତ୍ୟ ସହ ମନଲାଖି ସାଜସଜ୍ଜା ମଧ୍ୟରେ ସଙ୍ଗୀତ ଆସର ଦର୍ଶକଙ୍କୁ କରିଥିଲା ବିଭୋର।

ସନ୍ଧ୍ୟାର ପ୍ରଥମ ଅର୍ଘ୍ୟରେ ପ୍ରଖ୍ୟାତ ଓଡ଼ିଶୀ ମର୍ଦ୍ଦଳ ବାଦକ ସଚ୍ଚିଦାନନ୍ଦ ଦାସ ଓ ସାଥୀଙ୍କ ଦ୍ବାରା ପ୍ରସ୍ତୁତ ଓଡ଼ିଶାର ପାରମ୍ପରିକ ବାଦ୍ୟରେ ବ୍ୟବହୃତ ଖଣ୍ଡି, ଗଡ଼ି, ଅରସା, ମାନ ଭଉଁରୀମାନ, ଚକାମାନ ଓ ଜମାଣ ସହିତ ଛନ୍ଦ ପ୍ରକରଣକୁ ନେଇ ଦର୍ଶକ ବିଭୋର ହୋଇଥିଲେ। ସେମାନଙ୍କ ପ୍ରସ୍ତୁତି ଥିଲା ଆଦିତାଳ। ଦ୍ୱିତୀୟ ଅର୍ଘ୍ୟରେ ଅର୍ଥାତ କାର୍ଯ୍ୟକ୍ରମର ଶେଷ ଆକର୍ଷଣ ଥିଲେ ଭାରତୀୟ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ସମ୍ରାଟ ପଦ୍ମଶ୍ରୀ ଏମ୍‌ ଭେଙ୍କଟେଶ କୁମାର। ତାଙ୍କର ପ୍ରଥମ ପ୍ରସ୍ତୁତି ଥିଲା ରାଗ କଲ୍ୟାଣ ବିଲମ୍ବିତ ପରେ ପରେ ରାଗ ଦୁର୍ଗା ମଧ୍ୟଲୟ, ଠୁମରୀ ଓ ବନ୍ଦୀଶ। ତାଙ୍କର ଅପୂର୍ବ ରାଗ ବିସ୍ତାର, ତାନ ଓ ସରଗମ୍‌ର ବିଭିନ୍ନ କ୍ରିୟାତ୍ମକ ପରିବେଷଣ ଏବଂ ତା’ ସହ ସୁଲଳିତ କଣ୍ଠରେ ବିଭିନ୍ନ କଳାକୌଶଳ ପ୍ରୟୋଗ ଇତ୍ୟାଦି ଦ୍ୱାରା ସେ ଉପସ୍ଥିତ ଦର୍ଶକଗଣଙ୍କ ମଧ୍ୟରେ ଖେଳେଇ ଦେଇଥିଲେ ଶାସ୍ତ୍ରୀୟ ସଙ୍ଗୀତର ଉନ୍ମାଦନା। ପରେ ଏହି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ପଣ୍ଡିତ ଭେଙ୍କଟେଶ କୁମାରଙ୍କ ସ୍ୱର ସଂଯୋଜନାରେ ବିମୋହିତ ଦର୍ଶକଙ୍କ ଅନୁରୋଧ କ୍ରମେ ସେ କେତୋଟି ଭଜନ ପରିବେଷଣ କରିଥିଲେ।

ଉଦ୍‌ଯାପନୀ ସନ୍ଧ୍ୟାରେ ପର୍ଯ୍ୟଟନ ବିଭାଗ ମୁଖ୍ୟ ଶାସନ ସଚିବ ବିଶାଲ କୁମାର ଦେବ, ଯୁଗ୍ମ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର ଓ ସହକାରୀ ନିର୍ଦ୍ଦେଶକ ଡ. ରତିକାନ୍ତ ପଟ୍ଟନାୟକ ଅତିଥିଭାବେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଡ. ସଙ୍ଗୀତା ଗୋସାଇଁ ଏବଂ ଅନୁଜା ତାରିଣୀ ମିଶ୍ର।

ସମ୍ବନ୍ଧିତ ଖବର