ବାଲିପାଟଣା: ଶ୍ରୀଗୁଣ୍ଡିଚାମନ୍ଦିର ସମ୍ମୁଖସ୍ଥ ଶରଧାବାଲିରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ବାଲିପାଟଣା ଥାନା ଅଠାନ୍ତର ମହାନ୍ତିସାହିର ବିଶ୍ୱଜିତ ଦାସଙ୍କ ପତ୍ନୀ ପ୍ରଭାତୀ ଦାସ ( ୫୨ )ଙ୍କ ଶେଷକୃତ୍ୟ ଗ୍ରାମ ଶ୍ମଶାନରେ ଅନୁଷ୍ଠିତ ହୋଇଯାଇଛି। ପୁଅ ଆୟୁଷ ମୁଖାଗ୍ନି ଦେଇଥିଲେ। ପ୍ରଭାତୀଙ୍କ ସ୍ୱାମୀ ବିଶ୍ୱଜିତ ପ୍ରଶାସନ ଓ ସରକାରଙ୍କ ଅବହେଳାରୁ ଏପରି ଘଟଣା ଘଟିଲା ବୋଲି ଅଭିଯୋଗ କରିଛନ୍ତି। ପୁଲିସ ପ୍ରଶାସନ ଭିଡ଼ ନିୟନ୍ତ୍ରଣରେ ତ୍ରୁଟି ଯୋଗୁ ଏଭଳି ଘଟିଲା ବୋଲି କହିଛନ୍ତି।
ମୃତଦେହ ବ୍ୟବଚ୍ଛେଦ ହୋଇ ଗାଁରେ ପହଞ୍ଚିବା ପରେ କାନ୍ଦବୋବାଳିରେ ସମଗ୍ର ଗାଁ ଫାଟିପଡ଼ିଥିଲା। ପରିବାର ଲୋକ, ସମ୍ପର୍କୀୟ, ବନ୍ଧୁବାନ୍ଧବ ଓ ଆତ୍ମୀୟ ସ୍ୱଜନ ଶେଷ ଦର୍ଶନ କରିଥିଲେ। ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଗାଁରେ ପହଞ୍ଚି ପ୍ରଭାତୀଙ୍କ ଶେଷ ଦର୍ଶନ କରିବା ସହ ସରକାର ଓ ପ୍ରଶାସନ ଅବହେଳାକୁ ଦାୟୀ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ମଲ୍ଲିକ, ବିଜେଡି ନେତା କିଶୋର ଜେନା, ସରପଞ୍ଚ ବାହାନ ଭୋଇ, ସମିତି ସଭ୍ୟ ଶୈଳେନ୍ଦୁ ଭୋଳ ପ୍ରମୁଖ ଶେଷଦର୍ଶନ କରିଥିଲେ।
ଶ୍ରୀକ୍ଷେତ୍ରରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ
ଶୋକାକୁଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ
ରଥଯାତ୍ରା ଦିନ ଅଧାବାଟରୁ ଫେରିଥିଲେ
ସୂଚନା ଅନୁସାରେ ଗତ ୨୫ ବର୍ଷ ହେଲା ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିବାକୁ ବିଶ୍ୱଜିତ ଦାସଙ୍କ ପରିବାର ଯାଇଥାନ୍ତି। ରଥଯାତ୍ରା ଦିନ ରାତିରେ ଶ୍ରୀ ଦାସଙ୍କ ପରିବାର ଲୋକେ ପୁରି ଯାଇଥିଲେ । ରାସ୍ତାରେ ପ୍ରବଳ ଭିଡ଼ ଦେଖି ମାଳତିପାଟପୁର ଠାରୁ ଫେରି ଆସିଥିଲେ । ପୁଣି ଶନିବାର ଦର୍ଶନ ପାଇଁ ଯୋଜନା ହୋଇଥିଲା। ରାତି ପ୍ରାୟ ୧ହଟାରେ ପ୍ରଭାତୀ ଦାସ , ଝିଅ ଶୀର୍ଷା ଦାସ ( ୨୪ ) ପୁଅ ଆୟୁଷ ଦାସ ( ୧୬ ), ଶ୍ବଶୂର ସୁଶୀଲ ଦାସ, ଶାଶଳ ଦେବହୂତି ଦାସ, ଯାଆ ମହାମାୟା ମହାନ୍ତି, ଲିପିକା ଦାସ, ଦିଅର ଅମ୍ବିକା ଦାସ, ଜ୍ୟୋସ୍ନାରାଣୀ ମହାନ୍ତି, ରୁଦ୍ର ପ୍ରସାଦ ଦାସ, ଅଂଶୁମାନ ଦାସ, ଆଶ୍ରିତ ଦାସ, ମହାଲକ୍ଷ୍ମୀ ମହାନ୍ତି, ଅନିମେଷ ଦାସ, ବିଷ୍ନୁପ୍ରିୟା ଦାସ, ଜ୍ୟୋତି ପ୍ରସାଦ ଦାସ, ଦ୍ୟୁତିପ୍ରସାଦ ଦାସ, ପୂଜା ଦାସ ପ୍ରମୁଖ ୩ ଟି ଗାଡ଼ିରେ ପୁରୀ ଯାଇଥିଲେ। ପ୍ରଭାତୀଙ୍କ ପରିବାର ପୁରୀରେ ସମ୍ପର୍କୀୟଙ୍କ ଘରେ ରହି ରାତି ୩ ଟାରେ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଦର୍ଶନ ପାଇଁ ବାହାରି ଯାଇଥିଲେ।
ଭୋରୁ ପହୁଡ଼ ଖୋଲିବା ପରେ ଠାକୁରଙ୍କୁ ରଥ ଉପରେ ଦର୍ଶନ କରିଥିଲେ। ଶୁଭଦ୍ରାଙ୍କ ରଥ ଆଗରେ ଠିଆ ହୋଇ ଦର୍ଶନ କରୁଥିବା ବେଳେ ହଠାତ୍ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଭାରସାମ୍ୟ ହରାଇ ପ୍ରଭାତୀ ତଳେ ପଡ଼ିଯାଇଥିଲେ।ଶହ ଶହ ଶ୍ରଦ୍ଧାଳୁ ତାଙ୍କୁ ଦଳିଚକଟି ଚାଲି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ସେତେବେଳକୁ ପ୍ରଭାତୀ ସଂଜ୍ଞହୀନ ହୋଇଯାଇଥିଲେ। ଆମ୍ବୁଲାନ୍ସ ବ୍ୟବସ୍ଥା ନଥିବାରୁ କିଛି ଯୁବକଙ୍କ ସହ ପୁଅ ଆୟୁଷ କାନ୍ଧେଇ ମାଆଙ୍କୁ ହସ୍ପିଟାଲ୍ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।