ଭୁବନେଶ୍ବର: କବିତା ଭିତରେ ଗଳ୍ପ ଓ ଗଳ୍ପ ଭିତରେ କବିତା, ବର୍ତ୍ତମାନ ଏ ଦୁହିଁଙ୍କ ଭିତରେ ମିଶ୍ରଣ ହୋଇଯାଇଛି। ଆସନ୍ତା ୨୦ ବର୍ଷ ମଧ୍ୟରେ ବିଶ୍ବ ସାହିତ୍ୟରେ କବିତା କ’ଣ ଓ ଗଳ୍ପ କ’ଣ କହିବା ସମ୍ଭବ ହେବନାହିଁ। ଏଭଳି ମତ ପ୍ରକାଶ କରିଛନ୍ତି ବିଶିଷ୍ଟ କବି ଓ ଚିନ୍ତକ ହରପ୍ରସାଦ ଦାସ। ପକ୍ଷୀଘର ପ୍ରକାଶନ ପକ୍ଷରୁ ଆୟୋଜିତ ଲେଖିକା ରଶ୍ମି ମିଶ୍ରଙ୍କ ଗଳ୍ପ ସଂକଳନ ‘ଚକ୍ରବ୍ୟୂହ’ର ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଦାସ ଆହୁରି କହିଲେ, ଆଖପାଖରେ ଘଟୁଥିବା ଘଟଣାକୁ ଲେଖକ ଗଳ୍ପର ରୂପଦେବା ଆବଶ୍ୟକ।
ଏଭଳି କରିବା ଦ୍ବାରା ଆଗାମୀ ପିଢିଙ୍କୁ ବର୍ତ୍ତମାନ ସମୟକୁ ଜାଣିବାର ସୁଯୋଗ ମିଳିବ। ସମ୍ମାନିତ ଅତିଥି ଭାବେ ଯୋଗଦେଇ କଥାକାର ଗୌରହରି ଦାସ କହିଥିଲେ, ଗପକୁ ସୃଜନଶୀଳତାର ସହିତ ଲେଖିବା ଆବଶ୍ୟକ। ଗପ, ଗପ ଭଳି ନଲାଗିବା ଆବଶ୍ୟକ। ଏଭଳି ହେଲେ ଗପର ଗୁରୁତ୍ବ ରହିବ ନାହିଁ। ଲେଖିକା ରଶ୍ମି ମିଶ୍ର ନିଜ ଲେଖକୀୟ ମତ ରଖି କହିଥିଲେ, ‘‘ ମୋତେ କହି ଆସେନି, ସେଥିପାଇଁ ମୁଁ ଲେଖେ। ଲେଖକ ସବୁବେଳେ ପାଠକ ହେବା ଆବଶ୍ୟକ।’’ ଏହି ଅବସରରେ କଥାକାର ଅଜୟ ସ୍ବାଇଁ, ଦାଶରଥୀ ଶତପଥୀ ଓ ଅଜୟ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ‘ଚକ୍ରବ୍ୟୂହ’ରେ ଥିବା ଗଳ୍ପଗୁଡ଼ିକର ତର୍ଜମା କରିଥିଲେ। ପକ୍ଷୀଘର ପ୍ରକାଶନର ପ୍ରତିଷ୍ଠାତା ବନୋଜ ତ୍ରିପାଠୀ ସ୍ବାଗତ ଭାଷଣ ଦେଇ ଥିବାବେଳେ, କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ମଧୁସ୍ମିତା ମହାନ୍ତି।