ଭୁବନେଶ୍ବର: ପୂର୍ବ ଶତ୍ରୁତାରୁ ହେଉ କି ରାଜନୈତିକ ଶତ୍ରୁତାକୁ ନେଇ ହେଉ, ରାଜଧାନୀରେ ହତ୍ୟା, ହତ୍ୟା ଉଦ୍ୟମ ଓ ଗୁଳିକାଣ୍ଡ ଭଳି ଘଟଣା ଘଟିଚାଲିଛି। କିଏ ଦିନ ଦିପହରେ ଗୁଳି କରି ଆତଙ୍କ ରଚିଲାଣି ତ ଆଉ କିଏ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣି ମୁଣ୍ଡ ଗଡ଼ାଇଲାଣି। ସେହିଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଭିଭିଆଇପି ଅଞ୍ଚଳରେ ପଶି ଲକ୍ଷଲକ୍ଷ ଟଙ୍କାର ଗହଣା ଲୁଟିଲାଣି। କେବଳ ସେତିକି ନୁହେଁ, ରାଜଧାନୀରୁ ଏଟିଏମ୍ ତାଡ଼ି ୨୦ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ କଲେଣି ଦୁର୍ବୃତ୍ତ। ବର୍ଷ ଆରମ୍ଭରୁ ରାଜଧାନୀରେ ଅପରାଧୀଙ୍କ ଦୌରାତ୍ମ୍ୟ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଉଦ୍ବେଗର ବିଷୟ ହତ୍ୟା, ଗୁଳିକାଣ୍ଡ ଓ ବଡ଼ଧରଣର ଲୁଟ୍ ଭଳି ସମ୍ବେଦନଶୀଳ ମାମଲାରେ କମିସନରେଟ୍ ପୁଲିସ ବାଟବଣା ହୋଇ ଅଧା ବାଟରେ ଅଣ୍ଡାଳି ହେଉଛି। ଖାଲି ସେତିକି ନୁହେଁ, ପୁଲିସ ବି ନିଜ ମୁହଁରେ କାଳି ବୋଳିଛି। ସୁରକ୍ଷା ଦେବାକୁ ଯାଇ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଖାକିରେ ଦାଗ ଲଗାଇଛି। ଗତ ମାସକ ମଧ୍ୟରେ ଘଟିଥିବା ଏଭଳି କିଛି ଅଭାବନୀୟ କାଣ୍ଡ ରାଜଧାନୀରେ ଆତଙ୍କ ଖେଳାଇଦେଇଛି। ତେଣୁ ସହରରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିଯାଇଛି ବୋଲି ଅଭିଯୋଗ ହେଲାଣି। ଏବେ ରାଜଧାନୀରେ ପ୍ରତିଦିନ ପୁଲିସକୁ ଚ୍ୟାଲେଞ୍ଜ୍ କରି ଅପରାଧୀମାନେ ଗୋଟିଏ ପରେ ଗୋଟିଏ କାଣ୍ଡ ଘଟାଇ ଚାଲିଛନ୍ତି। ସ୍ଥିତି ଏମିତି ହୋଇଛି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଟ୍ବିଟ୍ କରି ଉଦ୍ବେଗ ପ୍ରକାଶ କଲେଣି।
ମିଳୁନାହାନ୍ତି ହତ୍ୟା ଓ ଗୁଳିକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ
ବଡ଼ଧରରଣର ଲୁଟ୍ ମାମଲାରେ ବି ପୁଲିସ ହାତ ଖାଲି
ଜାନୁଆରି ୮ ତାରିଖ। ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ବର ଗସ୍ତ ଥିଲା। ତେଣୁ ସହରରେ ପୁଲିସ ଛାଉଣୀ ଥାଏ। କିନ୍ତୁ ପୁଲିସର କଡ଼ା ସୁରକ୍ଷାକୁ ଖାତିର ନ କରି ଅଭିଯୁକ୍ତମାନେ ସକାଳ ପ୍ରାୟ ୮ଟା ସମୟରେ ରାଜଧାନୀ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥରେ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ଖଣ୍ଡାରେ ହାଣି ବୀଭତ୍ସ ଭାବେ ହତ୍ୟା କଲେ। ଏହି ଛାତିଥରା ଘଟଣା ଘଟିଥିଲା ମଞ୍ଚେଶ୍ବର ଥାନା ଠାରୁ ମାତ୍ର ୫ଶହ ମିଟର ଦୂର ରସୁଲଗଡ଼ ରେଳ ଓଭରବ୍ରିଜ୍ ଉପରେ। ବ୍ରାଉନ୍ସୁଗାର କାରବାର ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଭିଯୁକ୍ତମାନେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିଲେ। ଏହି ମାମଲାରେ ମଞ୍ଚେଶ୍ବର ଥାନା ପୁଲିସ ୨୪ ଘଣ୍ଟା ମଧ୍ୟରେ ୫ଜଣଙ୍କୁ ଗିରଫ କରିଥିଲା। ମାତ୍ର ଉଦ୍ବେଗର ବିଷୟ ହତ୍ୟାକାଣ୍ଡ ପଛରେ ସମ୍ପୃକ୍ତ ଆଉ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ଏଯାଏ ପୁଲିସ ଗିରଫ କରିପାରି ନାହିଁ। ସେହି ୮ ତାରିଖ ରାତିର କଥା। ବିଳମ୍ବିତ ରାତିରେ ହଷ୍ଟେଲ୍ ବନ୍ଦ ହୋଇଯିବାରୁ ଜଣେ ଯୁବତୀ ରେଳଷ୍ଟେସନରେ ରାତି କାଟିବା ପାଇଁ ପ୍ଲାଟଫର୍ମରେ ବସିଥିଲେ। ଆର୍ପିଏଫ୍ କର୍ମଚାରୀ ତଞ୍ଚକତା କରି ତାଙ୍କୁ ଫସାଇଥିଲେ। ସୁରକ୍ଷା ଦେବା ଆଳରେ ତାଙ୍କୁ ଏକ ଘରକୁ ଡ଼ାକିନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଯୁବତୀଜଣଙ୍କ ତାଙ୍କ ବନ୍ଧୁଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇବା ପରେ ଖବର ପାଇ ରେଳବାଇ ଥାନା ପୁଲିସ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଏହି ମାମଲାରେ ଆର୍ପିଏଫ୍ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା।
ଚଳିତ ମାସ ୨୩ ତାରିଖ। ଜମି କିଣାବିକା ମାମଲାକୁ ନେଇ ଦିନ ଦିପହରେ ଅଭିଯୁକ୍ତମାନେ ବଡ଼ଗଡ଼ ଥାନା ବିଜେବିନଗର ଅଞ୍ଚଳରେ ଥିବା ଜଣେ ବିଲ୍ଡରଙ୍କ ଅଫିସ୍ରେ ପଶି ଆଖିବୁଜା ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଜଣେ ଗୁରୁତର ହେଲେ। ହେଲେ ଆଶ୍ଚର୍ଯ୍ୟର କଥା ପୁଲିସ କିଛି ଜାଣିପାରିଲା ନାହିଁ। ହସ୍ପିଟାଲ୍ରୁ ଖବର ପାଇ ପୁଲିସ ଛାନ୍ଭିନ୍ ଆରମ୍ଭ କରିଥିଲା। ଘଟଣାରେ ରାଜନୈତିକ ସମ୍ପୃକ୍ତି କଥା ବି ପଦାକୁ ଆସିଲା। ଏଭଳି ଏକ ସମ୍ବେଦନଶୀଳ ମାମଲାରେ ପୁଲିସ କେବଳ ଜଣେ ରାଜନେତାଙ୍କ ପତ୍ନୀଙ୍କୁ ଗିରଫ କରିଥିଲା। ମାତ୍ର ଯେଉଁମାନେ ଗୁଳିମାଡ଼ କରିଥିଲେ, ପୁଲିସ ସେମାନଙ୍କୁ ଠାବ କରିପାରିନାହିଁ। ସେହିଦିନ ରାତିରେ ସେହି ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଘଟିଗଲା ବଡ଼ଧରଣର ଲୁଟ୍। ଦୁର୍ବୃତ୍ତମାନେ ଏକ ଏଟିଏମ୍ ତାଡ଼ି ନେଇ ଗଙ୍ଗୁ୍ଆ ନାଳରେ ଫୋପାଡ଼ି ଦେଲେ। ସେଥିରୁ ପ୍ରାୟ ୨୦ ଲକ୍ଷ ଟଙ୍କା ନେଇ ପଳାଇଲେ। ଜାନୁଆରି ୨୬। ଗଣତନ୍ତ୍ର ଦିବସ ସାଙ୍ଗକୁ ଉତ୍କର୍ଷ ଓଡ଼ିଶା ପାଇଁ ସାରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଥାଏ। କିନ୍ତୁ ପୁଲିସର କଡ଼ା ସୁରକ୍ଷାକୁ ଖାତି କରି ନଥିଲା ଲୁଟେରା। ଜଣେ ମୁଖାପିନ୍ଧା ଲୁଟେରା ନୂଆପଲ୍ଲୀ ଭିଭିଆଇପି ଅଞ୍ଚଳ ଆଇଆର୍ସି ଭିଲେଜ୍ ଏନ୍-୨ ଅଞ୍ଚଳରେ ଥିବା ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଘରେ ପଶି ପ୍ରାୟ ୫୦ଲକ୍ଷ ଟଙ୍କାର ଗହଣା ଓ ୨.୫ଲକ୍ଷ ଟଙ୍କା ନେଇଯାଇଥିଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଫୋନ୍ ଯୋଗେ ଶ୍ରୀ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ। ଖୁବ୍ ଶୀଘ୍ର ଦୁର୍ବୃତ୍ତକୁ ଗିରଫ କରାଯିବ ବୋଲି ଭରସା ଦେଇଥିଲେ। ମାତ୍ର ତାହା ହେଲା ନାହିଁ। ପୁନର୍ବାର ଶ୍ରୀ ପଟ୍ଟନାୟକଙ୍କ ଘରୁ ଚୋରି ଉଦ୍ୟମ ହେଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କଲେ। ତେଣୁ ଏବେ କମିସନରେଟ୍ ପୁଲିସ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତିକୁ ନେଇ କାଠଗଡ଼ାରେ ଠିଆ ହୋଇଛି ବୋଲି ଚର୍ଚ୍ଚା ହେଉଛି।