କଟକ: ସ୍କୁଲ ଫି’ ଛାଡ଼ ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କ ଫି’ ନିର୍ଦ୍ଧାରଣ ବ୍ୟବସ୍ଥା ଆଇନରେ ନାହିଁ। ତେଣୁ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ପ୍ରସ୍ତାବ ଓ ଏ ସଂପର୍କିତ ଏମ୍ଓୟୁକୁ ଗ୍ରହଣ କରି ଅଦାଲତ ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରନ୍ତୁ ବୋଲି ସତ୍ୟପାଠରେ ଅନୁରୋଧ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ସମସ୍ତ ମାମଲାର ଏକତ୍ର ଶୁଣାଣି କରିଛନ୍ତି। ନଭେମ୍ବର ୨୩ରେ ପରବର୍ତ୍ତୀ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପି.କେ.ମିଶ୍ର ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ ୨୦୨୦, ସେପ୍ଟେମ୍ବର ୧ର ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ବିଭାଗର ସଚିବଙ୍କ ଅଧ୍ୟକ୍ଷତାରେ ସବୁ ପକ୍ଷଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସହମତି ଭିତ୍ତିରେ ସ୍କୁଲ ଫି’ ଛାଡ଼ ପ୍ରସଂଗରେ କେତେକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏ ସଂପର୍କିତ ଏମ୍ଓୟୁରେ ୧୪ ଜଣ ସ୍ବାକ୍ଷର କରିଥିଲେ। ସେହି ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ସଂପର୍କିତ ରିପୋର୍ଟ ପୂର୍ବରୁ ହାଇକୋର୍ଟରେ ଦାଖଲ କରାଯାଇଛି। ବ୍ୟବସ୍ଥା ଅନୁଯାୟୀ ଘରୋଇ ଅଣଅନୁଦାନପ୍ରାପ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକୁ ଓଡ଼ିଶା ଏଜୁକେସନ୍ ଆକ୍ଟ, ୧୯୬୯ରେ ଅନୁମତି ଓ ସ୍ବୀକୃତି ପ୍ରଦାନ କରାଯାଉଛି। କିନ୍ତୁ ଏହି ଆଇନ ଓ ଏ ସଂପର୍କିତ ନିୟମାବଳୀରେ ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ କେତେ ଫି’ ଦେବେ ତାହା ନିର୍ଦ୍ଧାରଣ କରିବା ବ୍ୟବସ୍ଥା ନାହିଁ। ଅତୀତରେ ଡିଏଭି ସ୍କୁଲ ଫି ବିବାଦ ମାମଲାରେ ଜଷ୍ଟିସ୍ କେ.ପି.ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଫି ଷ୍ଟ୍ରକଚର୍ କମିଟି ଅନୁମୋଦନ ଗ୍ରହଣ ପାଇଁ ସୁପ୍ରିମକୋର୍ଟ କହିଥିଲେ। ବିଜେଇଏମ୍ ସ୍କୁଲ ଫି’ ବିବାଦ ମାମଲାରେ ମଧ୍ୟ ଜଷ୍ଟିସ୍ କେ.ପି.ମହାପାତ୍ର କମିଟି ଅନୁମୋଦନ ଲାଗୁ ଉପରେ ହାଇକୋର୍ଟ ୨୦୧୫ରେ ଗୁରୁତ୍ବାରୋପ କରିଥିଲେ। ଅଭିଭାବକଙ୍କ ପ୍ରତିନିଧି ରହିଥିବା ସ୍କୁଲ ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ସାଧାରଣ ଭାବେ ଘରୋଇ ସ୍କୁଲର ଫି’ ଷ୍ଟ୍ରକ୍ଚର୍ ନିର୍ଦ୍ଧାରଣ କରାଯାଉଛି। ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଅନୁସାରେ ସ୍କୁଲ ଫି’ କିଛି ଅଂଶରେ ଛାଡ଼ କରିବାକୁ ସୁପାରିସ କରାଯାଇଥିଲା। ରିପୋର୍ଟରେ ୭ଟି ସ୍ଲାବ୍ରେ ସ୍କୁଲ ଫି’ ଛାଡ଼ ପାଇଁ ପ୍ରସ୍ତାବ ରହିଥିଲା। ଯଦି ବାର୍ଷିକ ଟିଉସନ୍ ଫି’ ୬ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କୁଲ ନେଉଥାଏ ତେବେ ଏଥିରେ କିଛି ଛାଡ଼ କରାଯିବନାହିଁ। ୬୦୦୧ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିଉସନ୍ ଫି ଉପରେ ୭.୫ ପ୍ରତିଶତ, ୧୨୦୦୧ରୁ ୨୪ ହଜାର ପର୍ଯ୍ୟନ୍ତ ୧୨ ପ୍ରତିଶତ, ୨୪,୦୦୧ରୁ ୪୮ ହଜାର ପର୍ଯ୍ୟନ୍ତ ୧୫ ପ୍ରତିଶତ, ୪୮୦୦୧ରୁ ୭୨ ହଜାର ପର୍ଯ୍ୟନ୍ତ ୨୦ ପ୍ରତିଶତ, ୭୨୦୦୧ରୁ ୧ ଲକ୍ଷ ପର୍ଯ୍ୟନ୍ତ ୨୫ ପ୍ରତିଶତ ଓ ଏହାପରେ ୨୬ ପ୍ରତିଶତ ଟିଉସନ୍ ଫି ଛାଡ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏଥିସହିତ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରା ନ ଯାଇ ପ୍ରକୃତ ସ୍ଥିତିକୁ ଦେଖି ନିଆଯିବ। ହଷ୍ଟେଲ ଫି’ ୩୦ ପ୍ରତିଶତ ଛାଡ଼ କରାଯିବ। ଆକ୍ଟିଭିଟି ଫି, ଲଣ୍ଡ୍ରି ଫି, ଏକ୍ସଟର୍ନାଲ ଏକ୍ଜାମ ଫି, ୟୁନିଫର୍ମ ଫି, କନଭେୟାନ୍ସ ଫି, ଏଜୁକ୍ୟୁରିସନ୍ ଫି, ରିଆଡମିସନ୍ ଫି, ଡେଭେଲପମେଣ୍ଟ ଫି, ଆନୁଆଲ ଫି ଏହି ମହାମାରୀ ସମୟରେ ସ୍କୁଲ ଖୋଲିବା ପର୍ଯ୍ୟନ୍ତ ନିଆଯିବ ନାହିଁ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଏହି ମାମଲାରେ କେତେକ ପକ୍ଷ ହାଇକୋର୍ଟଙ୍କ ସେପ୍ଟେମ୍ବର ୨୯ ନିର୍ଦ୍ଦେଶ ପାଳନ କରି ଲିଖିତ ଯୁକ୍ତି ମଧ୍ୟ ଦାଖଲ କରି ସାରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ସ୍କୁଲ ଫି ଛାଡ ପ୍ରସଂଗକୁ ନେଇ ହାଇକୋର୍ଟରେ ତିନୋଟି ମାମଲା ରୁଜୁ ହୋଇଥିବା ବେଳେ ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଘରୋଇ ସ୍କୁଲ ସଂଘ କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ସ୍, ସ୍କୁଲ ଶିକ୍ଷକ ସଂଘ ପିଟିସନ୍, ଅନ୍ୟ କେତେକ ଘରୋଇ ସ୍କୁଲ ପିଟିସନ୍ ଦାଖଲ କରିଥିଲେ। ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀ, ଭୁବନେଶ୍ବରର ପ୍ରହଲ୍ଲାଦ ରାଉତ ଓ ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ ହାଇକୋର୍ଟରେ ପୃଥକ ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଭି.ନରସିଂହ, ବିଭୂତି ଭୂଷଣ ଚୌଧୁରୀ, ଆଇନଜୀବୀ ରଂଜନ କୁମାର ରାଉତ, କନଫେଡେରେସନ୍ ଅଫ୍ ଓଡ଼ିଶା ପବ୍ଲିକ୍ ସ୍କୁଲ୍ସ୍ ତରଫରୁ ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ଓ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ଅଶୋକ ମହାନ୍ତି ଓ ସମୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Orissa-High-Court-1.jpg)