ଅଡୁଆ କରୁଛି ଏଲ୍‌ଇଡି ବିଜ୍ଞାପନ ବୋର୍ଡ, ପ୍ରବଳ ଶବ୍ଦରେ ଶୁଭୁନି ଭିଏଚ୍‌ଏଫ୍ ସୂଚନା

ଅସୁବିଧା ଭୋଗୁଛନ୍ତି ଟ୍ରାଫିକ କର୍ମଚାରୀ, ସମସ୍ୟାରେ ପଡୁଛନ୍ତି ଗାଡ଼ି ଚାଳକ

ଭୁବନେଶ୍ବର: ରାଜଧାନୀର ବିଭିନ୍ନ ଟ୍ରାଫିକ ଛକରେ ଲାଗିଥିବା ଏଲଇଡି ବିଜ୍ଞାପନ ବୋର୍ଡ ବା ଡିଜିଟାଲ ମେସେଜିଂ ବୋର୍ଡ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଉଭୟ ଲାଇଟ୍ ଓ ସାଉଣ୍ଡ ଅସୁବିଧାରେ ପକାଉଛି। ଖାଲି ଯେ ଗାଡ଼ି ଚାଳକ ଅସୁବିଧା ଭୋଗୁଛନ୍ତି ତାହ‌ା ନୁହେଁ; ଗୁରୁତ୍ବପୂର୍ଣ୍ଣ ଛକରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀଙ୍କ ପାଇଁ ମଧ୍ୟ ସମସ୍ୟା ହେଉଛି। ଭିଏଚ୍‌ଏଫ୍‌ରେ ସୂଚନା ଆସିଲେ ଭଲ ଭାବରେ ଶୁଭୁ ନାହିଁ। କୌଣସି ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଁ ଯଦି ଭିଏଚ୍‌ଏଫ୍‌ରେ ସୂଚନା ଆସୁଛି ତାହେଲେ ଶୁଣିବା କଷ୍ଟକର ହୋଇ ପଡୁଛି। ଏଭଳି ଅସୁବିଧା ଭୋଗୁଥିବା କେତେକ ଟ୍ରାଫିକ କର୍ମଚାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। କିନ୍ତୁ କୌଣସି ଲାଭ ହେଉ ନାହିଁ।

ମିଳିଥିବା ସୂଚନା ଅନୁସାରେ, ଏୟାରପୋର୍ଟ, କଳ୍ପନା, ରୂପାଲି, ନାଲକୋ ଆଦି ଛକରେ ଏହି ଏଲଇଡି ବିଜ୍ଞାପନ ବୋର୍ଡ ଲାଗିଛି। ଏହି ବୋର୍ଡ ମାଧ୍ୟମରେ ଭିଡିଓ ବିଜ୍ଞାପନ ଦେଖିବାକୁ ମିଳୁଛି। ପ୍ରବଳ ଲାଇଟ୍ ସହ ସାଉଣ୍ଡରେ ଭିଡିଓ ଚାଲୁଛି। ଶବ୍ଦ ଏତେ ଜୋରରେ ହେଉଛି ଯେ, ଭିଏଚଏଫ୍ ଓ ମୋବାଇଲ ଫୋନ୍ ଉଭୟରେ କଥା ହେବା କଷ୍ଟକର ହୋଇପଡୁଛି। ଯଦି କୌଣସି ଗୁରୁତ୍ବପୂର୍ଣ୍ଣ ମେସେଜ୍ ମିସ୍ ହୁଏ ତାହେଲେ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ଉଠିଛି। ଏହି ବୋର୍ଡ ଲାଗିବା ପରେ ପ୍ରଥମେ ପ୍ରଥମେ ସାଉଣ୍ଡ୍ କମ ହେଉଥିଲା। କିନ୍ତୁ ଗତ କିଛିମାସ ହେବ ଏହା ବଢିଯାଇଛି। ଏ ନେଇ ବାରମ୍ବାର ଅଭିଯୋଗ ମଧ୍ୟ ହୋଇଛି। ସେହିପରି ଜଣେ ବାଇକ ଚାଳକଙ୍କ କହିବା ଅନୁସାରେ, ଟ୍ରାଫିକ ଛକରେ ଗାଡ଼ି ଚଲାଇ ଯିବା ସମୟରେ ସିଧା ଆଖି ପଡୁଛି ବୋର୍ଡ ଉପରେ। ଟିକେ ଅସାବଧାନତା ହେଲେ ହୁଏତ ଦୁର୍ଘଟଣା ବି ଘଟିପାରେ।

ନିୟମ ଅନୁସାରେ, ଛକ ସ୍ଥାନରେ ଏହି ବିଜ୍ଞାପନ ବୋର୍ଡ ଲଗାଯିବା ପୂର୍ବରୁ ଟ୍ରାଫିକ ପୁଲିସର ଅନୁମତି ଆବଶ୍ୟକ ପଡ଼ିଥାଏ। ଏହି ବୋର୍ଡ ଲାଗିଲେ ଯଦି ଅସୁବିଧା ସୃଷ୍ଟି ହେବାର ଆଶଙ୍କା ଥାଏ ତାହେଲେ ଟ୍ରାଫିକ ପୁଲିସ ମଧ୍ୟ ଆବେଦନକୁ ନାକଚ କରିପାରିବ। ଏ ନେଇ ଡିଜିଟାଲ ମେସେଜିଂ ବୋର୍ଡ ଦାୟିତ୍ବରେ ଥିବା ବିଡିଏର ନୋଡାଲ୍ ଅଫିସର ଓଁକାର ମହାନ୍ତି କହିଛନ୍ତି ଅଧିକ ଶବ୍ଦ କରୁଥିବା ନେଇ ଆମ ପାଖରେ କୌଣସି ଅଭିଯୋଗ ଏଯାଏ ପହଞ୍ଚି ନାହିଁ। ଯଦି ଅଭିଯୋଗ ଆସେ ତାହେଲେ ଯାଞ୍ଚ କରାଯିବ।

ସମ୍ବନ୍ଧିତ ଖବର