ଭୁବନେଶ୍ବର: ଜୟଦେବବିହାରରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ୨୦୧୮ ମସିହାରୁ ପଣ୍ଡାକୁଦିଆକୁ ସ୍ଥାନାନ୍ତର କରାଯାଇଛି। ହେଲେ ମୌଳିକ ସୁବିଧା ଦେଇ ନାହାନ୍ତି। ଫଳରେ ୪ ବର୍ଷ ଧରି ଏମାନେ ଅଧିକାରରୁ ବଞ୍ଚିତ ହୋଇ ରହିଛନ୍ତି। ବିଏମ୍‌ସିକୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଏମ୍‌ସି ଶୁଣୁ ନାହିଁ। ଆଜି ୨୦ରୁ ଊର୍ଦ୍ଧ୍ବ ବସ୍ତିବାସିନ୍ଦା ଭୁବନେଶ୍ବର ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଲିଖିତ ଭାବେ ଅଭିଯୋଗ କରିବା ସହ ବିଏମ୍‌ସି କମିସନରଙ୍କୁ ମଧ୍ୟ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। କମିସନରଙ୍କୁ ଭେଟି ସେମାନେ ଗୁହାରି କରିବାକୁ ଚାହିଥିଲେ ମଧ୍ୟ ଭେଟି ପାରି ନାହାନ୍ତି।

Advertisment

ବସ୍ତିବାସିନ୍ଦାଙ୍କ ଅଭିଯୋଗ ମୁତାବକ, ୩ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତା ଓ ଡ୍ରେନ୍ କରାଯାଇନାହିଁ। ଜଗନ୍ନାଥ ସାହି ଡ୍ରେନ୍ ଅଧା କରାଯାଇ ଛାଡ଼ି ଦିଆଯାଇଛି। ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ଘରେ ନଳା ପାଣି ପଶି ଯାଉଛି। ଅଟାକଳ, ଏଟିମ୍ ଛକରୁ ସମ୍ କ୍ୟାମ୍ପସ-୪ ପର୍ଯ୍ୟନ୍ତ ଏବଂ ଅଙ୍ଗନବାଡ଼ି କେନ୍ଦ୍ରରୁ ସମ୍ କ୍ୟାମ୍ପସ-୪ ପର୍ଯ୍ୟନ୍ତ ଡ୍ରେନ୍‌ କରାଗଲେ ଏହି ସମସ୍ୟା ରହିବ ନାହିଁ। ସମ୍ କ୍ୟାମ୍ପସ-୪ ଠାରୁ ଜଗନ୍ନାଥ ସାହି ପର୍ଯ୍ୟନ୍ତ ରାସ୍ତା ମଧ୍ୟ ହୋଇନାହିଁ। ମୁଖ୍ୟ ରାସ୍ତା ହନୁମାନ ମନ୍ଦିର ଛକ ଦେଇ ଅଟାକଳ ଏଟିମ୍ ପାଖକୁ ସଂଯୋଗ କରାଗଲେ ବାସିନ୍ଦାମାନଙ୍କ ପାଇଁ ଯୋଗାଯୋଗ ସୁବିଧା ହୋଇପାରିବ। ବର୍ଷା ହେଲେ ଏହି ରାସ୍ତାରେ କାଦୁଅ ପଚପଚ ହେଉଛି। ସେହିଭଳି ବିଭିନ୍ନ ଯୋଜନାରେ ଘର ଯୋଗାଇ ଦେବା ପାଇଁ ଲିଖିତ ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ଜଣେ ହେଲେ କାହାକୁ ଘର ଯୋଗାଇ ଦିଆଯାଇ ନାହିଁ। ଜାଗା ମିସନ ଜରିଆରେ ପଣ୍ଡାକୁଦିଆରେ ଜାଗା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ସେହିଭଳି ଭତ୍ତା ପାଇବା ପାଇଁ ଏକାଧିକ ଯୋଗ୍ୟ ବ୍ୟକ୍ତି ରହିଥିଲେ ମଧ୍ୟ ସେମାନେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ସେହିଭଳି ୬୦ରୁ ଊର୍ଧ୍ବ ଗରିବ ପରିବାର ରାସନକାର୍ଡ ପାଇଁ ଆବେଦନ କରିଥିଲେ ମଧ୍ୟ ଦିଆଯାଇନାହିଁ।