ପାଠାଗାର ଲକ୍ଷ୍ମଣ ମହାପାତ୍ରଙ୍କ ବିଚାରକୁ ପୁନର୍ଜୀବିତ କରିବ

ସତ୍ୟନଗରରେ ଏଲ୍‌କେଏମ୍‌ ସେଣ୍ଟର୍‌ ଓ ଲାଇବ୍ରେରି ଉଦ୍‌ଘାଟିତ

ଭୁବନେଶ୍ବର: ବିଶିଷ୍ଟ ନୃତତ୍ତ୍ୱବିତ୍ ସ୍ୱର୍ଗତ ପ୍ରଫେସର୍‌ ଲକ୍ଷ୍ମଣ ମହାପାତ୍ରଙ୍କ ସ୍ମୃତିରେ ସତ୍ୟନଗରଠାରେ ପ୍ରତିଷ୍ଠିତ ଏଲ.କେ.ଏମ୍‌ ସେଣ୍ଟର୍‌ ଏବଂ ଲାଇବ୍ରେରିକୁ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍‌ଘାଟନ କରିଛନ୍ତି। ପ୍ରଫେସର୍‌ ମହାପାତ୍ରଙ୍କ ବ୍ୟକ୍ତିତ୍ୱ, ଉଚ୍ଚଶିକ୍ଷା ଓ ଗବେଷଣା ଏବଂ ବିଚାରକୁ ଏହା ପୁନର୍ଜୀବିତ କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଥିଲେ, ସ୍ବର୍ଗତ ମହାପାତ୍ର ଓଡ଼ିଶାର ଜଣେ ସୁପ୍ରସିଦ୍ଧ ଓ ଲବ୍ଧପ୍ରତିଷ୍ଠିତ ନୃତତ୍ତ୍ୱବିତ୍‌। ତାଙ୍କ କାର୍ଯ୍ୟକାଳରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ଥ୍ରୋପୋଲୋଜି ବିଭାଗରେ ସର୍ବାଙ୍ଗୀନ ଉନ୍ନତି ହୋଇପାରିଥିଲା। ଗୋଟିଏ ବିଷୟର ଅନ୍ତିମ ଭାଗକୁ ଯିବା ହି ଆନ୍ଥ୍ରୋପୋଲୋଜିର ବିଚାର। ଏହି ଦୃଷ୍ଟିରୁ ଉଚ୍ଚଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପ୍ରଫେସର ମହାପାତ୍ରଙ୍କ କୃତିତ୍ୱ ଥିଲା ଅସାଧାରଣ। ପ୍ରଫେସର ମହାପାତ୍ର ଜଣେ ବୈଶ୍ୱିକ ବ୍ୟକ୍ତିତ୍ୱ ଥିଲେ। ଆଗାମୀ ଦିନରେ ଏଲ.କେ.ଏମ୍‌ ଲାଇବ୍ରେରି ଭାରତ ବର୍ଷର ଅଗ୍ରଣୀ ସମାଜ ବିଜ୍ଞାନ ଭିତ୍ତିକ ଲାଇବ୍ରେରି ହେବ ବୋଲି ଶ୍ରୀ ପ୍ରଧାନ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ପ୍ରଫେସର ଏଲ.କେ ମହାପାତ୍ରଙ୍କ ପୁଅ ସୁଜିତ୍ ମହାପାତ୍ର ଓ ଝିଅ ଶିଲା ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ବକୁଳ ଲାଇବ୍ରେରି ପରିଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର କେ. ବାସା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଏବଂ ପରୀକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଓ ସ୍ୱତନ୍ତ୍ର ସଚିବ ପ୍ରଫେସର ଏ.ବି ଓତା, ଉତ୍କଳ ବିଶ୍ୱବିଦ୍ୟାଳୟ ଆନ୍ଥ୍ରୋପୋଲୋଜି ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର କେ.ସି ତ୍ରିପାଠୀ, ପ୍ରଫେସର ଏଲ.କେ ମହାପାତ୍ରଙ୍କ ପରିବାର ସଦସ୍ୟ ଓ ଆତ୍ମୀୟସ୍ବଜନ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର