ଭୁବନେଶ୍ୱର : ଜାଗା ମିସନ୍ ଅଧୀନରେ କାର୍ଯ୍ୟକ୍ଷମ ହେବାକୁ ଥିବା ଲାଇଟ୍ ହାଉସ୍ କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହେବାକୁ ଯାଉଛି। ସହରାଞ୍ଚଳରେ ରହୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ତାଲିମ୍ ପ୍ରଦାନ କରାଯିବା ସହ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ ପ୍ରସ୍ତୁତ ହୋଇଥିବା ଏହି କାର୍ଯ୍ୟକ୍ରମ ସହିଦନଗର ୱାର୍ଡ ଅଫିସ୍ର ପ୍ରଥମ ମହଲାରେ ପରିଚାଳିତ ହେବ। ଏହାକୁ ଗୃହ ଓ ନଗର ଉନନୟନ ମନ୍ତ୍ରୀ ଉଷା ଦେବୀ ଓ ଓଏସ୍ଡିଏ ଅଧ୍ୟକ୍ଷ ସୁବ୍ରତ ବାଗ୍ଚି ଉଦ୍ଘାଟନ କରିବେ। ପ୍ରାଥମିକ ପର୍ଯ୍ୟାୟରେ ୧୮ରୁ ୩୦ ବର୍ଷ ବୟସ ବର୍ଗର ୧୦ ହଜାରରୁ ଊର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭର କରିବା ପାଇଁ ଏହି ପ୍ରକଳ୍ପ କାମ କରିବ। ୬୦ ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ପରେ ଏହାର କଳେବର ବଢ଼ି ବଢ଼ି ଚାଲିବ ବୋଲି ବିଏସ୍ସିଏଲ୍ ପକ୍ଷରୁ ସୂଚନା ମିଳିଛି।
୨୦୨୧ ମସିହାରେ ବିଏସ୍ସିଏଲ୍ର ତତ୍କାଳୀନ ସିଇଓ ତଥା ବର୍ତ୍ତମାନର ସିଏମ୍ଡି ସଞ୍ଜୟ କୁମାର ସିଂହ ଏଭଳି ଏକ କାର୍ଯ୍ୟକ୍ରମର ପରିକଳ୍ପନା କରିଥିଲେ। ଏନ୍ଜିଓ ଲାଇଟ୍ ହାଉସ୍ କମ୍ୟୁନିଟିଜ୍ ସହାୟତାରେ ଏହି କାର୍ଯ୍ୟକ୍ରମ ହେବାକୁ ସ୍ଥିର ହୋଇଥିଲା। ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍(ଜେଏସ୍ପିଏଲ୍) ସିଏସ୍ଆର ଜରିଆରେ ଏହାକୁ ଆର୍ଥିକ ସହାୟତା କରିବ। ଯୁବକଯୁବତୀମାନେ ସମ୍ପୂର୍ଣ୍ଣ ମାଗଣାରେ ୧୦୦ ଘଣ୍ଟାର ଫାଉଣ୍ଡେସନ କୋର୍ସ କରିବେ। ପରେ ଧନ୍ଦାମୂଳକ କୋର୍ସ କରିବେ। ଏଥିରେ ସ୍ବାସ୍ଥ୍ୟ ସେବା, ଇ-କମର୍ସ, ରିଟେଲ୍, ବ୍ୟାଙ୍କିଙ୍ଗ୍, ଫାଇନାନ୍ସ, ଇନ୍ସିଓରାନ୍ସ ସେଲ୍ସ, ଆଇଟି ପ୍ରଭୃତି କ୍ଷେତ୍ରରେ ତାଲିମ୍ ଦିଆଯିବ। ଏଥିରେ ସେମାନଙ୍କୁ ଟଙ୍କାଟିଏ ଦେବାକୁ ପଡ଼ିବ ନାହିଁ। କୋର୍ସ ସରିବା ପରେ ସେମାନଙ୍କୁ ବିଭିନ୍ନ ସଂସ୍ଥାରେ ଚାକିରି ଦିଆଯିବାକୁ ଯୋଜନା ହୋଇଛି। ଉଦ୍ଘାଟନ ପୂର୍ବରୁ ଏହାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାତନାନ୍, ବିଏସ୍ସିଏଲ୍ ସିଇଓ ତଥା ବିଏମ୍ସି କମିସନର ବିଜୟ ଅମୃତା କୁଲାଙ୍ଗେ, ମହାପ୍ରବନ୍ଧକ କମଲ୍ଜିତ୍ ଦାସ ବୁଲି ଦେଖିଛନ୍ତି।