ବାଲିଅନ୍ତା ବଜାର: ଜାଗରରେ ମନ୍ଦିର ଯାଇ ଶିବ ଦର୍ଶନ କରିବାକୁ ବଡ଼ ଖୁସିରେ ସାଇକେଲ ଧରି ଘରୁ ବାହାରି ପଡ଼ିଥିଲା ନାବାଳକ। କିନ୍ତୁ ମହାଦେବଙ୍କ ଦର୍ଶନ ପାଇଁ ଯାଉଥିବା ନିରୀହ ନାବାଳକକୁ ସତେ ଯେମିତି ମହାକାଳ ଜଗି ବସିଥିଲା! ମନ୍ଦିରଠାରୁ ଅନତି ଦୂରରେ ନାବାଳକ ଉପରେ ମାଡ଼ିଗଲା ଏକ ଦ୍ରୁତଗାମୀ କ୍ଷୀର ଟ୍ୟାଙ୍କର୍। ମନ୍ଦିରରେ ଜାଗର ଦୀପ ଜାଳିବାକୁ ଯାଉଥିବା ନାବାଳକର ଜୀବନ ଦୀପ ଲିଭିଗଲା ଅଧବାଟରେ। ଆଜି ପୂର୍ବାହ୍ଣରେ ବାଲିଅନ୍ତା ସାଇଫନ୍ ଛକରେ ଘଟିଛି ଏଭଳି ଏକ ଦୁଃଖଦ ଦୁର୍ଘଟଣା। ମୃତକ ହେଲେ ତଳଗଡ଼ ଡାମରା ଗାଁ ସ୍ବାଇଁସାହିର ବେଣୁଧର ସ୍ବାଇଁଙ୍କ ଏକମାତ୍ର ପୁଅ ରାହୁଲ୍। ଆଜି ଭଳି ଦିନରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ୧୨ ବର୍ଷ ବୟସର ରାହୁଲ୍ର ମୃତ୍ୟୁରେ ସ୍ଥାନୀୟ ଲୋକେ ତାତି ଉଠିଥିଲେ। ବେପରୁଆ ଗାଡ଼ିଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଚାଳକକୁ ବହେ ଛେଚିବା ସହ କ୍ଷୀର ଟ୍ୟାଙ୍କର୍କୁ ଜାଳି ଦେଇଥିଲେ। ବିଧାୟକ, ସରପଞ୍ଚ ଓ ପୁଲିସ ବୁଝାସୁଝା କରିଥିଲେ ହେଁ ଉତ୍ତ୍ୟକ୍ତ ଲୋକଙ୍କୁ ନିୟନ୍ତ୍ରଣ କରିବା ସମ୍ଭବ ହୋଇନଥିଲା। ଉତ୍ତ୍ୟକ୍ତ ଲୋକେ ପ୍ରାୟ ୪ ଘଣ୍ଟା କାଳ ରାସ୍ତା ଅବରୋଧ କରି ତୁମୁଳକାଣ୍ଡ ଭିଆଇଥିଲେ।
ଗାଁରୁ ବାହାରି ରାହୁଲ୍ ହଂସପାଳ-ଅଭୟମୁଖୀ ରାସ୍ତାରେ ବାଲିଅନ୍ତା ଶିବ ମନ୍ଦିରକୁ ଯାଉଥିଲେ। ସେ ସାଇଫନ୍ ଛକସ୍ଥିତ ମେଡିସିନ୍ ଷ୍ଟୋର୍ ପାଖରେ ପହଞ୍ଚିଥିବା ବେଳେ ପଛରୁ ଆସୁଥିବା କ୍ଷୀର ଟ୍ୟାଙ୍କର୍(ଓଡି ୦୫ କେ ୦୯୪୮) ତାଙ୍କୁ ଧକ୍କା ଦେଇଥିଲା। ରାହୁଲ୍ ରାସ୍ତାରେ ପଡ଼ିଯିବା ପରେ ଟ୍ୟାଙ୍କର୍ ତାଙ୍କ ମୁଣ୍ଡରେ ଚଢ଼ି ଯାଇଥିଲା। ବଜାରରେ ଗହଳି ଥିବାରୁ ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ବିକଳରେ ଗାଡ଼ି ଛାଡ଼ି ଚାଳକ ଫେରାର ହେବାକୁ ଚେଷ୍ଟା କରିଥିଲା। କିନ୍ତୁ ଲୋକମାନେ ତାକୁ କାବୁ କରି ନିର୍ଘାତ୍ ମାଡ଼ ମାରିଥିଲେ ଏବଂ ଏକ ଘରେ ପୂରାଇ ଅଟକ ରଖିଥିଲେ। ଚାହୁଁଚାହୁଁ ଏହି ଖବର ଡାମରା ଗାଁରେ ପହଞ୍ଚିଯାଇଥିଲା। ବେଣୁଧର ଓ ତାଙ୍କ ସ୍ତ୍ରୀ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ପୁଅର ମୃତଦେହ ଦେଖିବା ପରେ ବାପାମା’ ରାସ୍ତାରେ ଲୋଟି ପଡ଼ିଥିଲେ ଏବଂ କାନ୍ଦିକାନ୍ଦି ଗୋଡ଼ିମାଟି ବିଦାରି ପକାଇଥିଲେ। ସେମାନଙ୍କ ବୁକୁଫଟା କ୍ରନ୍ଦନ ଦେଖି ଲୋକମାନେ ସମ୍ଭାଳି ପାରି ନଥିଲେ।
ରାସ୍ତା ଅବରୋଧ କରି କ୍ଷୀର ଟ୍ୟାଙ୍କର୍ରେ ନିଆଁ ଲଗାଇଦେଇଥିଲେ। ଗାଡ଼ିଟି ଜୋର୍ରେ ଜଳିବା ଆରମ୍ଭ କଲାବେଳକୁ ବାଲିଅନ୍ତା ଥାନା ପୁଲିସ ପହଞ୍ଚିଯାଇଥିଲା। କିନ୍ତୁ ଉତ୍ତ୍ୟକ୍ତ ଲୋକେ ନିଆଁକୁ ଲିଭାଇବା ପାଇଁ ପୁଲିସକୁ ସୁଯୋଗ ଦେଇନଥିଲେ। ଏମିତିକି ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ମଧ୍ୟ ଲୋକମାନେ ଜଳୁଥିବା ଗାଡ଼ି ନିକଟକୁ ସେମାନଙ୍କୁ ଛାଡ଼ିଲେ ନାହିଁ। ଫଳରେ ଗାଡ଼ିଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଲା ଏବଂ ପୁଲିସ ଓ ଅଗ୍ନିଶମ ବାହିନୀ ଅସହାୟ ହୋଇ ଠିଆ ହେବାକୁ ବାଧ୍ୟ ହେଲେ। ନିଆଁରେ କ୍ଷୀର ଟ୍ୟାଙ୍କର୍ର ଟାଙ୍କି ତରଳି କଣା ହୋଇଗଲା ଏବଂ ସବୁତକ କ୍ଷୀର ରାସ୍ତାରେ ବୋହିବାକୁ ଲାଗିଲା। ଉତ୍ତ୍ୟକ୍ତ ଲୋକମାନେ ଏମିତି ତୁମୁଳକାଣ୍ଡ ଘଟାଉଥିବା ବେଳେ କିଛି ଗଣମାଧ୍ୟମର ପ୍ରତିନିଧି ଫଟୋ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ମଧ୍ୟ ଲୋକଙ୍କ ଆକ୍ରୋଶରୁ ବାଦ୍ ପଡ଼ି ନଥିଲେ। ଏସିପି ବିଭୂତି ଭୂଷଣ ମହାପାତ୍ରଙ୍କ ସହ ପାହାଳ ଓ ବାଲିଅନ୍ତା ଥାନା ପୁଲିସ ଲୋକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ କିଛି ଶୁଣି ନଥିଲେ।
କ୍ଷତିପୂରଣ ବାବଦରେ ରାହୁଲ୍ଙ୍କ ବାପାମା’ଙ୍କୁ ୨୦ ଲକ୍ଷ ଟଙ୍କା ଦେବା ପାଇଁ ସେମାନେ ଅଡ଼ି ବସିଥିଲେ। ବାରମ୍ବାର ଏହି ରାସ୍ତାରେ ବେପରୁଆ ଗାଡ଼ିଚାଳକମାନେ ମୁଣ୍ଡ ପରେ ମୁଣ୍ଡ ନେଉଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଉତ୍ତେଜନା ଲାଗିରହିଥିବା ବେଳେ ବିଧାୟକ ନବକିଶୋର ମଲ୍ଲିକ, ସରପଞ୍ଚ କୃଷ୍ଣକେଶବ ଆପଟ୍ଟ ପହଞ୍ଚି ଲୋକଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଥିଲେ। ସେହିଭଳି ବାଲିଅନ୍ତା ଥାନାର ପୂର୍ବତନ ଆଇଆଇସି ରବୀନ୍ଦ୍ରନାଥ ମେହେର ପହଞ୍ଚିଥିଲେ। ସମସ୍ତେ ଗାଁ ମୁଖିଆମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଆଇନ ଅନୁସାରେ ନିଶ୍ଚୟ କ୍ଷତିପୂରଣ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରେଡ୍କ୍ରସ୍ ପକ୍ଷରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହାପରେ ଲୋକେ ରାସ୍ତାରୁ ହଟିଥିଲେ ଏବଂ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍କୁ ପଠାଇଥିଲା।