ଭୁବନେଶ୍ବର: ଦିନରେ କୋହଲା ପାଗ ରହିଥିଲା। ମଧ୍ୟାହ୍ନ ବେଳକୁ ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିଲା। ଖରା ନଥିଲେ ମଧ୍ୟ ଗମ୍ଗମ୍ ଝାଳ ବ୍ୟସ୍ତ କରୁଥିଲା। ଦିନରେ ଗୁଳୁଗୁଳିରେ ଆଉଟୁପାଉଟୁ ହେଉଥିବା ସହରବାସୀ ରାତିରେ ବର୍ଷାର ତାଣ୍ଡବ ଦେଖିଛନ୍ତି। ସନ୍ଧ୍ୟାବେଳୁ ଝିପି ଝିପି ବର୍ଷା ହେଉଥିଲା। ତେବେ ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ଘୋଟି ଆସିଥିଲା କଳାବାଦଲ। ଚାହୁଁ ଚାହୁଁ ପବନ ସହ ପ୍ରବଳରୁ ଅତିପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା। ବିଜୁଳି ସହ ଘଡ଼ଘଡ଼ି ମାରି ରାଜଧାନୀକୁ ଥରାଇ ଦେଇଥିଲା। ବର୍ଷା ପବନରେ ସହରର ବିଭିନ୍ନ ସ୍ଥାନରେ ବିଜୁଳି ସେବା ପ୍ରଭାବିତ ହୋଇଛି। ଖଣ୍ଡଗିରି ଅଞ୍ଚଳରେ ରାତି ୧୧ ଟାରୁ ବିଦ୍ୟୁତ୍ କାଟ ହୋଇଥିବା ବେଳେ ରାତି ସାଢ଼େ ୧୨ ପର୍ଯ୍ୟନ୍ତ ଆସି ନଥିଲା। ଅନେକ ସ୍ଥାନରେ ତାର ଉପରେ ଗଛଡ଼ାଳ ପଡିଯିବାରୁ ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଥିଲା। ଅନେକ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବିଜୁଳି କଟିଥିଲା।
କ୍ଷୟକ୍ଷତି ପୂରା ସମ୍ପର୍କରେ ତଥ୍ୟ ମିଳି ନ ଥିଲେ ମଧ୍ୟ ପବନ ଯୋଗୁଁ ରେଳ ସଦନ ସମ୍ମୁଖ, ଆନନ୍ଦବନ ସମ୍ମୁଖ, ଘାଟିକିଆ ମୁଖ୍ୟରାସ୍ତା ସମେତ ଅନେକ ସ୍ଥାନରେ ଗଛଡ଼ାଳ ଭାଙ୍ଗିଥିବା ସୂଚନା ମିଳିଛି। ରିପୋର୍ଟ ଲେଖା ହେଲାବେଳକୁ ସହରରେ ବର୍ଷା ଲାଗିରହିଛି। ଖଣ୍ଡଗିରି, କଳିଙ୍ଗବିହାର, ଆଚାର୍ଯ୍ୟ ବିହାର, ବାଣୀବିହାର, ରାଜମହଲ ଛକ, ଜୟଦେବ ବିହାର, ପୋଖରୀପୁଟ, ରସୁଲଗଡ଼, ଚନ୍ଦ୍ରଶେଖରପୁର, ପଟିଆ, ଡମଣା, ମଞ୍ଚେଶ୍ବର, ଭିଏସ୍ଏସ୍ନଗର, ଲକ୍ଷ୍ମୀସାଗର, କଳ୍ପନା ପରି ଛକ ଓଭରବ୍ରିଜ୍ ତଳେ ରାତିରେ କାମ ସାରି ଫେରୁଥିବା ଲୋକେ ଅଟକି ରହିଥିଲେ। ଚନ୍ଦ୍ରଶେଖରପୁରରେ ପୁଲିସର ଚେକିଂ ବନ୍ଦ ହୋଇଯାଇଥିଲା।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ରାଜଧାନୀରେ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ହୋଇଛି। ରାତିରେ ଘଣ୍ଟାକ ମଧ୍ୟରେ ପ୍ରାୟ ୧୦ ମିମି ବର୍ଷା ହୋଇଛି। ବର୍ଷା ପବନ ଦ୍ବାରା ଭୁବନେଶ୍ବର ସମେତ ଖୋର୍ଦ୍ଧା, ଜଗତ୍ସିଂହପୁର, କଟକ, ଗଞ୍ଜାମ, ଗଜପତି, ଢେଙ୍କାନାଳର କେତେକ ସ୍ଥାନ ପ୍ରଭାବିତ ହୋଇଛି। ତେବେ ଭୋର ବେଳକୁ ବର୍ଷା କମିଯିବ। ଦିନରେ ପାଗ କୋହଲା ରହିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/BSCl9ix5gvGNtCNvTTIy.jpg)