ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ମନ୍ଦିର ଗର୍ଭଗୃହରେ ଗତକାଲି ବିଦ୍ୟୁତ୍ ତାର ସ୍ପାର୍କିଂ ହୋଇ ନିଆଁ ବାହାରିଥିଲା। ଏପରିକି ଗର୍ଭଗୃହରେ ଲାଗିଥିବା ନୂଆ ଚାନ୍ଦୁଆ କଳା ପଡ଼ିଯାଇଥିଲା। ଏଥିଯୋଗୁଁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ଫଳରେ ସନ୍ଧ୍ୟା ସାଢ଼େ ୬ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଲାଇନ କଟିଯାଇଥିଲା। ବିଦ୍ୟୁତ୍ କାଟ୍ ଯୋଗୁଁ ମନ୍ଦିରରେ ଅନ୍ଧାର ହୋଇଯିବାରୁ ଭିତରେ ଥିବା ଭକ୍ତମାନେ ସିଂହଦ୍ବାରକୁ ଚାଲି ଆସିଥିଲେ। ମନ୍ଦିରର ବିଦ୍ୟୁତ୍ କାଟ୍ ନହେବା ପାଇଁ ବିଦ୍ୟୁତ୍ ବିଭାଗ ପଦକ୍ଷେପ ନେଉନଥିବାରୁ ଏପରି ଅବସ୍ଥା ହୋଇଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି। ତେବେ ଏନେଇ ଜେନେରେଟର ଦାୟିତ୍ବରେ ଥିବା ମନ୍ଦିର କର୍ମଚାରୀ କୁହନ୍ତି, ଚାପ ଡଙ୍ଗା ଡ୍ୟୁଟିରେ ଥିବାରୁ ସେ ଜେନେରେଟର ଲଗାଇ ପାରିନଥିଲେ। ଜାଣିବା ପରେ ଜେନେରେଟର ଲଗାଇଥିଲେ।
ଅପରପକ୍ଷରେ ଲିଙ୍ଗରାଜଙ୍କ ମନ୍ଦିରକୁ ଏବେ ଭକ୍ତଙ୍କ ସୁଅ ଛୁଟୁଛି। ପର୍ଯ୍ୟଟକଙ୍କ ସହ ସ୍ଥାନୀୟ ଭକ୍ତ ପ୍ରବେଶ ଯୋଗୁଁ ଗର୍ଭଗୃହରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ଆଜି ସଂକ୍ରାନ୍ତି ତିଥିରେ ୫୦ହଜାରର ଊର୍ଧ୍ବ ଭକ୍ତ ମନ୍ଦିରକୁ ଆସିଥିଲେ। ଫଳରେ ସାହାଣମେଲା ଦର୍ଶନ ବେଳେ ଭକ୍ତ ଗର୍ଭଗୃହରେ ପ୍ରବେଶ ବେଳେ ଲୋକ ରୁନ୍ଧି ହୋଇଯାଇଥିଲେ। ମନ୍ଦିରରେ ଅଧିକ ଏକ୍ଜିଟ୍ ଫ୍ୟାନ୍ ଲଗାଇବାକୁ ଦାବି ହେଉଛି।